ବ୍ୟାଙ୍ଗ୍‌କକ୍‌ସ୍ଥିତ ଅଷ୍ଟ୍ରେଲୀୟ ଦୂତାବାସ ମହିଳା ବାଥ୍‌ରୁମ୍‌ରେ ସ୍ପାଇ କ୍ୟାମେରା ଲଗାଇଥିବା ଅଭିଯୋଗରେ ପୂର୍ବତନ କର୍ମଚାରୀ ଗିରଫ

ବ୍ୟାଙ୍ଗ୍‌କକ୍‌: ବ୍ୟାଙ୍ଗ୍‌କକ୍‌ସ୍ଥିତ ସୁରକ୍ଷିତ ସରକାରୀ ଅଟ୍ଟାଳିକାରେ ଥିବା ଅଷ୍ଟ୍ରେଲୀୟ ଦୂତାବାସରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ନାନାଗାରରୁ ‘ସ୍ପାଇ କ୍ୟାମେରା’ ମଳିବା ପରେ ଥାଇଲାଣ୍ଡ୍‌ ପୁଲିସ ଦୂତାବାସର ଜଣେ ସ୍ଥାନୀୟ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି।

ସମ୍ଭବତଃ କିଛି ବର୍ଷ ହେବ ଲାଗିଥିବା ଉକ୍ତ କ୍ୟାମେରାଗୁଡ଼ିକ ଉପରେ ଏଯାବତ୍‌ କାହାର ଦୃଷ୍ଟି ନ ପଡ଼ିବା କଥା ସନ୍ଦେହ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ସୁନିଶ୍ଚିତ କରି ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ବିଭାଗ କହିଛି ଯେ, ଅଷ୍ଟ୍ରେଲୀୟ ଦୂତାବାସରେ ନିଯୁକ୍ତ ଜଣେ ସ୍ଥାନୀୟ କର୍ମଚାରୀଙ୍କୁ ଏଥିପାଇଁ ଜାନୁଆରି ୬ ତାରିଖରେ ‘ରୟାଲ୍‌ ଥାଇ ପୋଲିସ୍‌’ ଗିରଫ କରିଛି।

Image Courtesy of ABC News

ପ୍ରାପ୍ତ ସୂଚନା ଅନୁସାରେ, ବ୍ୟାଙ୍କ୍‌ ଥାମ୍‌ସୋଙ୍ଗ୍‌ ନାମକ ଉକ୍ତ ପୂର୍ବତନ କର୍ମଚାରୀ ହେଉଛନ୍ତି ଉଭୟ ଅଷ୍ଟ୍ରେଲିଆ ଏବଂ ଥାଇଲାଣ୍ଡ୍‌ର ନାଗରିକ। ୨୦୧୩ରୁ ସେ ଦୂତାବାସର ଆଇଟି ସିଷ୍ଟମ୍‌ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଥିଲେ। ଅଷ୍ଟ୍ରେଲିଆରେ ବସବାସ କରି ପାଠ ପଢ଼ିବା ପରେ ସେ ଅଷ୍ଟ୍ରେଲୀୟ ସରକାରଙ୍କ ବହୁ ପଦବଦବୀରେ ଚାକିରି କରିଥିଲେ।

ଗତବର୍ଷ ସ୍ନାନାଗାର ଚଟାଣରେ ମହିଳା କର୍ମଚାରୀମାନଙ୍କ ଫଟୋଥିବା ଗୋଟାଏ ‘ଏସ୍‌ଡି କାର୍ଡ’ ମିଳିବା ପରେ ଦୂତାବାସସ୍ଥିତ ମହିଳାଙ୍କ ସାୱାର୍‌ ଏବଂ ଟଏଲେଟ୍‌ ଆଡ଼କୁ ମୁହଁ କରି ଏକାଧିକ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା।

କିନ୍ତୁ, କେତେ ଦିନ ହେବ ଉକ୍ତ କ୍ୟାମେରା ଲଗାଯାଇଥିଲା ଏବଂ ସେଥିରୁ କେତେ ଦୃଶ୍ୟ ସଂଗ୍ରହ କରାଯାଇଛି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର