ପେଟ ପାଇଁ ଯାଯାବର ଜୀବନ: ବାହାର ରାଜ୍ୟରୁ ଆସି ପରିବାରର ପ୍ରତିପୋଷଣ

ଜୟପୁର: ପେଟ ଚାଖଣ୍ଡକ ପାଇଁ ଯାଯାବର ଜୀବନ। ଆଜି ଏହି ରାଜ୍ୟରେ, ଆଉ କିଛି ମାସ ପରେ ଅନ୍ୟ ରାଜ୍ୟରେ। କିଏ ଗୁପଚୁପ ବିକୁଛି ତ , ଆଉ କିଏ ଆୟର୍ବେଦିକ ଔଷଧ, ଘରକରଣା ସାମଗ୍ରୀ, ଟେଡିବିୟର, ଲୁଗା, ହେଲମେଟ୍, ଚଷମା, ଗୁପଚୁପ୍, ଆଇସକ୍ରୀମ, ବାଦାମ ମିଲ୍କ, ଶାମୀ, ବେଢ଼ସିଟ୍, ଆୟୁର୍ବେଦିକ ଔଷଧ ସହ ଘରକରଣା ସାମଗ୍ରୀର ବ୍ୟବସାୟ କରୁଛନ୍ତି। ଜୟପୁର ସହରର ଚତୁଃପାର୍ଶ୍ବରେ ଏଭଳି ଯାଯାବର ଜୀବନ ଅତିବାହିତ କରୁଥିବା ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହା‌ରାଷ୍ଟ୍ର, ନୂଆଦିଲ୍ଲୀ, ହରିଆନା ପ୍ରମୁଖ ରାଜ୍ୟରୁ ଆସିଥିବା ଶତାଧିକ ଲୋକଙ୍କୁ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବ୍ରହ୍ମପୁର ଅଂଚଳରୁ ଆସିଛନ୍ତି ସେକ୍ ସଲିମ୍। ତାଙ୍କ ସହ ତାଙ୍କ ଅଂଚଳ ବାଦେ ମେଦିନାପୁର ଜିଲ୍ଲାରୁ କିଛି ବ୍ୟବସାୟୀ ଆସି ଜୟପୁର ସହରରେ ଛୋଟ ଭଡ଼ା ଘର ନେଇ ରହି ଗାଁ ଗହଳିକୁ ସାଇକେଲରେ ଘର କରଣା ସାମଗ୍ରୀ, ଲୁଗା, ଚାଦର, ସଲ୍, କମ୍ବଳ ଆଦି ନେଇ ବିକ୍ରୀ କରି ବଂଚୁଥିବା ଦେଖିବାକୁ ମିଳିଛି। ତେଲଙ୍ଗନା ଓ ଆନ୍ଧ୍ର ଅଂଚଳରୁ ଆସିଥିବା କିଛି ଯାଯାବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ପଡିଆରେ ରହି ଫୁଲଦାନୀ, ପିଲାଙ୍କ ପାଠ ପଡିବା ଟେବୁଲ, କିଛି ମନୋହରୀ ସାମଗ୍ରୀ ବିକ୍ରି କରୁଛନ୍ତି।

ସେଭଳି ରାଜସ୍ଥାନରୁ କିଛି ଯୁବକ ଆସି ସହରର ବିଭିନ୍ନ ଛକ ବଜାରରେ ରାଜସ୍ଥାନର ଚିନାବାଦାମ ଆଣି ବିକ୍ରି କରୁଛନ୍ତି। ସେଭଳି ଆନ୍ଧ୍ରରୁ ଆସିଥିବା କିଛି ଯାଯାବର ମହିଳା ବିଭିନ୍ନ ଷ୍ଟିଲର ବାସନକୁସନ ଧରି ସହରର ବିଭିନ୍ନ ସାହି ଓ ଗଳିରେ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସେଭଳି ସ୍ଥାନୀୟ ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ସମ୍ମୁଖରେ ବିହାର ଓ ଉତ୍ତର ପ୍ରଦେଶ ଅଂଚଳରୁ ଆସିଥିବା ଯାଯବର ମାନେ ରହିବା ସହ ପିଲା ଠାରୁ ବୁଢ଼ା ଓ ଛୋଟ ଝିଅ ଠାରୁ ବୟସ୍କ ମହିଳା ମାନେ ସହର ସାରା ବୁଲି ବିଭିନ୍ନ ଡମ୍ପିଂୟାର୍ଡ ଓ ମଇଳା ପଡିବା ସ୍ଥାନରୁ ପ୍ଲାଷ୍ଟିକ, ଲୁହା, କାଗଜ ଡକୁ, ବୋତଲ ଆଦି ସଂଗ୍ରହ କରି ଏସବୁକୁ ନେଇ ସେମିଳିଗୁଡା କିମ୍ବା ଜୟପୁରର କାୱାଡିୱାଲାଙ୍କ ନିକଟରେ ବିକ୍ରି କରି ବଂଚୁଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରୁ କିଛି ଯାଯାବର ପାୱାରହାଉସ କଲୋନୀ ଅଂଚଳରେ ରହି ଲୁହାର ବିଭିନ୍ନ ଘରକରଣା ଚାକୁ, ଛୁରୀ, ପନିକି, ଟାଙ୍ଗିଆ , ନଡିଆ କୋରା ଆଦି ତିଆରି କରି ବିକ୍ରୀ କରୁଛନ୍ତି। ସେଭଳି ନୂଆଦିଲ୍ଲୀ ଅଂଚଳରୁ ଆସିଥିବା କିଛି ଯୁବକ ‌ରାସ୍ତା ପାର୍ଶ୍ବରେ ହେଲମେଟ୍ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପେଟପାଇଁ ସଂଘର୍ଷ କରୁଥିବା ଏହି ଯାଯବରଙ୍କ ସହ ଆଲୋଚନା କରିବା ସମୟରେ ‌ଏମାନେ କହିଲେ ଯେ ୪ରୁ ୫ମାସ ଧରି ଗାଁରେ ରୁହନ୍ତି।

ବଳକା ସମୟ ଗାଁକୁ ଗାଁ ଯାଯାବର ଭାବେ ବୁଲି ପରିବାରର ପ୍ରତିପୋଷଣ ପାଇଁ ବିଭିନ୍ନ କାମ ଧନ୍ଦା କରି ବୁଲନ୍ତି। ଏହି ୭ରୁ ୮ମାସ ଯାହା ଲାଭ କରନ୍ତି ତାହାକୁ ନେଇ ପୁରା ପରିବାର ବର୍ଷ ତମାମ ଚଳେ ବୋଲି କହିଛନ୍ତି ପଶ୍ଚିମବଙ୍ଗର ଫେରି ବ୍ୟବସାୟୀ ସାହାକାର ଆଲ୍ଲୀ, ମହମ୍ମଦ ଆଲ୍ଲୀ, ତେଲଙ୍ଗନାର ସୁରାମ୍ମା, ଉତ୍ତର ପ୍ରଦେଶର ବିଜୟ ତ୍ରିବେଦୀ, ନୂଆଦିଲ୍ଲୀର ସଲିମ। କିଛି ଯାଯାବର ପୁରା ପରିବାରକୁ ନେଇ ବୁଲୁଥିବା ବେଳେ ଆଉ କିଛି ଯାଯାବର ନିଜ ପରିବାରକୁ ଗାଁରେ ଛାଡି ଆସିଥାନ୍ତି। ଏପରିକି ପରିବାରର ପୁରା ସଦସ୍ୟ ଆସିଥିବା ବେଳେ ପିଲା ମାନେ ପାଠ ପଢ଼ିବାର ବଂଚିତ ହେବା ସହ ଏମାନେ ପରିବାରର ବଡ ମାନଙ୍କୁ ସେମାନଙ୍କ କାମରେ ସହଯୋଗ କରିବା ଦେଖିବାକୁ ମିଳେ। ତେବେ ଏସବୁ ପେଠ ଚାଖଣ୍ଡକ ପାଇଁ କରିବାକୁ ପଡେ ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧିତ ଖବର