ପ୍ରଶାସନର ବିଚିତ୍ର ବ୍ୟବସ୍ଥା: ଟୋକନ୍‌ ଆସିନି, ଖୋଲିଦେଲେ ମଣ୍ଡି

ଧାନ ବିକିବାକୁ ଆଶା ବାନ୍ଧିଛନ୍ତି ବର୍ଷା କ୍ଷତିଗ୍ରସ୍ତ ଚାଷୀ

ବାରିପଦା: ଧାନ ଅମଳ ବେଳକୁ ଅଦିନିଆ ବର୍ଷା। ବିଲରେ ପାଚିଲା ଧାନ ଗଜା ‌ହେଲାଣି। ଓଦା ଧାନ ବି ଶୁଖି ନାହିଁ। ଫଳରେ ମୟୂରଭଞ୍ଜର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଯାହା ଧାନ ଅମଳ ହେବ, ତାକୁ ମଣ୍ଡିରେ ବିକ୍ରି କରିବାକୁ ସେମାନେ ଆଶା ବାନ୍ଧିଛନ୍ତି। ଧାନ ସଂଗ୍ରହ ପାଇଁ ପ୍ରଶାସନ ବି ସଜବାଜ ହେଲାଣି। ହେଲେ ଦୁଃଖର କଥା, ଏଯାଏ ଟୋକନ୍‌ ଆସିନି। ସେହିପରି ପ୍ରଶାସନର ବ୍ୟବସ୍ଥାଗତ ତୃଟି ପାଇଁ ଚାଷୀମାନେ ଧାନର ଅଭାବୀ ବିକ୍ରିର ଶିକାର ହେବେ ବୋଲି ମଧ୍ୟ ଆକଳନ କରାଯାଉଛି।
ନିର୍ଦ୍ଧାରିତ ତାରିଖ ଅନୁସାରେ ଗତକାଲି ଶାମାଖୁଣ୍ଟା ବ୍ଲକ୍‌ରୁ ଧାନ ସଂଗ୍ରହ ଆରମ୍ଭ ହେବାର ଥିଲା। ଏନେଇ ସମବାୟ ଓ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ସପ୍ତାହେ ହେଲା ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ‌ମଣ୍ଡି ପ୍ରସ୍ତୁତ ହେବା ସହ ମିଲରମାନେ ବି ଆସି ପହଞ୍ଚି ଥିଲେ। ତେବେ ବ୍ଲକ୍‌ର ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଜଣଙ୍କର ବି ଟୋକନ୍‌ ଆସି ନଥିବା ଜଣାପଡ଼ିଥିଲା। ଫଳରେ ଜିଲ୍ଲାପାଳ ଧାନ ସଂଗ୍ରହ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏନେଇ ବାରିପଦା ସମବାୟ ସମିତି ସମୂହ ଉପନିବନ୍ଧକ କୃଷ୍ଣଚନ୍ଦ୍ର ଦାସଙ୍କୁ ପଚରାଯାଇଥିଲା। ସେ ଟୋକନ୍‌ ଆସି ନଥିବାରୁ ଆଜି ଧାନ ସଂଗ୍ରହ ବାତିଲ ହୋଇଛି ବୋଲି କହିଛନ୍ତି। ହେଲେ କାହଁକି ଚାଷୀଙ୍କ ପାଖକୁ ଟୋକନ୍‌ ଆସିନି ବୋଲି ପଚରାଯିବାରୁ ସେ ସରକାରଙ୍କୁ ତୁରନ୍ତ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପଟେ ଚାଷୀଙ୍କ ପାଖରେ ଟୋକନ୍‌ ପହଞ୍ଚିବାରେ ବିଳମ୍ବ ଦଲାଲ ଓ ଅସାଧୁ ବେପାରୀଙ୍କୁ ସୁହାଇବ ଏବଂ ଚାଷୀମାନେ ଧାନର ଅଭାବୀ ବିକ୍ରିର ଶିକାର ହେବେ ବୋଲି ଆଲୋଚନା ଚାଲିଛି। କାରଣ ଚଳିତ ଖରିଫରେ ଜିଲ୍ଲାର ୫୪ ହଜାର ୨୩୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସାଟେଲାଇଟ୍ ସର୍ଭେରୁ ୩ ଲକ୍ଷ ୭୫ ହଜାର ୨୫୬ ପ୍ଲଟ୍ ମଧ୍ୟରୁ ୫୩ ହଜାର ୫୬୧ଟି ପ୍ଲଟ୍ ନକଲି ‌‌ବୋଲି ଧରାପଡ଼ିଛି। ଉଲ୍ଲେଖ ଥାଉକି ୨୦୧୭-୧୮ ଖରିଫ ଋତୁରେ ଜିଲ୍ଲାର ପଞ୍ଜିକୃତ ୪୨ ହଜାର ୬୩୫ ଜଣ ଚାଷୀଙ୍କ ମଧ୍ୟରୁ ୧୭ ହଜାର ୧୮୧ ଜଣ ଧାନ ବିକ୍ରି କରିଥିଲେ।

ସେହିପରି ୨୦୧୮-୧୯ ଖରିଫ ଋତୁରେ ପଞ୍ଜିକୃତ ୪୦ ହଜାର ୫୭୭ ଜଣ ଚାଷୀଙ୍କ ମଧ୍ୟରୁ ୨୮ ହଜାର ୫୪୨ ଜଣ, ୨୦୧୯-୨୦ ଖରିଫ ଋତୁରେ ପଞ୍ଜିକୃତ ୩୯ ହଜାର ୭୬୫ ଜଣ ଚାଷୀଙ୍କ ମଧ୍ୟରୁ ୩୦ ହଜାର ୫୮୦ ଜଣ, ୨୦୨୦-୨୧ ଖରିଫ ଋତୁରେ ପଞ୍ଜିକୃତ ୫୬ ହଜାର ୫୬୮ ଜଣ ଚାଷୀଙ୍କ ମଧ୍ୟରୁ ୪୪ ହଜାର ୨୮୧ ଜଣ, ୨୦୨୧-୨୨ ଖରିଫ ଋତୁରେ ପଞ୍ଜିକୃତ ୭୧ ହଜାର ୮୫୪ ଜଣ ଚାଷୀଙ୍କ ମଧ୍ୟରୁ ୫୧ ହଜାର ୪୪୮ ଜଣ ଏବଂ ୨୦୨୨-୨୩ ଖରିଫ ଋତୁରେ ପଞ୍ଜିକୃତ ୬୩ ହଜାର ୨୩୭ ଜଣ ଚାଷୀଙ୍କ ମଧ୍ୟରୁ ୫୪ ହଜାର ୨୩୯ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ପ୍ରକାଶଯୋଗ୍ୟ; ଅଦିନିଆ ବର୍ଷାରେ ଧାନ କ୍ଷୟକ୍ଷତି ରିପୋର୍ଟ ଏଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇପାରି ନାହିଁ। ତହସିଲଦାର, ଆର୍‌ଆଇ ଓ କୃଷି ବିଭାଗର ମିଳିତ ଟିମ୍ କ୍ଷେତକୁ ଯାଇ ଧାନ କ୍ଷୟକ୍ଷତି ଆକଳନ କରିଛନ୍ତି। ତେବେ ଆଉ ୨-୩ ଦିନ ମଧ୍ୟରେ ପ୍ରକ୍ରିୟା ଶେଷ ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରିପୋର୍ଟ ଦାଖଲ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ।

ସମ୍ବନ୍ଧିତ ଖବର