ବାଜିଲା ‘ଚଇତି‘ର ବିଗୁଲ

ରାୟଗଡା: ବାଜିଲା ‘ଚଇତି‘ର ବିଗୁଲ । ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା। ଆଜି କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର ପ୍ରସିଦ୍ଧ ଦେବଗିରି ଶୈବ ପୀଠରୁ ରାୟଗଡା ଜିଲ୍ଳାର ଲୋକ ମହୋତ୍ସବ “ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩”ର ଶୁଭାରମ୍ଭ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ନୃତ୍ୟ,ଗୀତ ସହ ବାଜାର ତାଳେ ତାଳେ ଢେମସା, ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ ମଧ୍ୟରେ ହଜାର ହଜାର ଲୋକଙ୍କ ଗହଳରେ ଚଇତି-୨୦୨୩ର ଶୁଭାରମ୍ଭ ହୋଇଛି। ଏଥିରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଉପାଧ୍ୟକ୍ଷ ବନମାଳୀ କାଡ୍ରକା, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଆମ ଓଡିଶା ନବୀନ ଓଡିଶା ସଂଯୋଜକ ପି.ଗୌରୀ ଶଙ୍କର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ପିଏ ଆଇଟିଡିଏ ଦିଲ୍ଲୀପ ବେହେରା, ଶାନ୍ତିପ୍ରଭା ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଗ, କଲ୍ୟାଣସିଂହପୁର ବିଡ଼ିଓ ରାଜୀବ ଦାସ, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ବଛାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାୟଗଡା ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି “ଚଇତି ” ବୋଲି ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ।

ଦେବଗିରି ଶୈବ ପୀଠରେ ଅତିରିକ୍ତ ଜିଲ୍ଳାପାଳ ତଥା ଚଇତି ଉତ୍ସବ କମିଟି ଆବାହକ ଭାସ୍କର ରଇତ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିବା ପରେ ଆଜ୍ଞାମାଳ ସହ ଦେବଗିରି ପାହାଡ଼ ଉପରେ ଥିବା ଗଙ୍ଗା ଯମୁନା ଜଳ କୁଣ୍ଡରୁ ପବିତ୍ର ଜଳ ଜିଲ୍ଲାର ୧୧ଟି ବ୍ଲକର ଚଇତି କଳସରେ ଅଣାଯାଇଥିଲା। ଚଇତିର ସଫଳତା ଓ ଶୁଭକାମନା ନେଇ କଲ୍ୟାଣୀ, ନାଗାବଳି ନଦୀ ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିରରେ ଅତିଥିମାନେ ପୂଜାପାଠ କରିଥିଲେ। କଳସ ପୂଜା ଅନୁଷ୍ଠିତ ହେବା ପରେ କଳସ ଯାତ୍ରାରେ ନଗର ପରିକ୍ରମା କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଅନୁଷ୍ଠିତ ସଭାସ୍ଥଳରେ ପହଞ୍ଚିଥିଲା। ସଭା ଆରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ଜିଲ୍ଳାର କଳା,ସଂସ୍କୃତି, ପରମ୍ପରା,ଐତିହ୍ୟର ମହାକୁମ୍ଭ ଚଇତି -୨୦୨୩ ଚଳିତ ମାସ ଡିସେମ୍ବର ୨୬ ତାରିଖରୁ ୩୦ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେଉଥିବାରୁ ସମସ୍ତେ ଆନନ୍ଦ ଉଲ୍ଳାସର ସହ ପାଳନ କରିବାକୁ କହିଥିଲେ। ପରେ ଅତିଥିମାନଙ୍କ ଦ୍ୱାରା ଚଇତି ପୋଷ୍ଟର ଉନ୍ମୋଚନ କରାଯିବା ସହ ପ୍ରଚାର ପ୍ରସାର ପାଇଁ ଚଇତି ରଥକୁ ଶୁଭାରମ୍ଭ କରାଯାଇଥିଲା। ସଭାସ୍ଥଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଭାଗୀୟ ଯୋଜନାର ସଚେତନତା ପାଇଁ ଷ୍ଟଲମାନ ଖୋଲାଯାଇଥିଲା। କାର୍ଯ୍ୟକ୍ରମରେ ଡିଆଇପିଆରଓ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗୋପୀନାଥ ପରିଛା ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର