ମାଟିର ଅମ୍ଲତା ବଢ଼ୁଛି, କୃଷି ଉତ୍ପାଦନ କମୁଛି: ଚାଷ ପାଇଁ ବାଟ ଦେଖାଉଛି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ

ଜୟପୁର: କୋରାପୁଟ ଜିଲ୍ଲାର ଚାଷ ଜମିରେ ଧିରେଧିରେ ଅମ୍ଲତା ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଏହି ଜମିର ଫସଲ ଉତ୍ପାଦନ କ୍ଷମତା କମିକମି ଯାଉଛି। ଅଧିକ ଉତ୍ପାଦନ ପାଇଁ ଅତ୍ୟାଧିକ ରାସୟନିକ ସାର୍ ପ୍ରୟୋଗ କରାଯାଉଥିବାରୁ ଜମିର ଉର୍ବରତା ନଷ୍ଟ ହେଉଛି। ମିଳିଥିବା ସୂଚନା ମୁତାବକ, ଗତ ୮ବର୍ଷ ମଧ୍ୟରେ ମାଟିର ଅମ୍ଲତା ୪୦ପ୍ରତିଶତ ବୃଦ୍ଧି ପାଇଛି। ୨୦୧୧-୧୨ ମସିହାରେ ମାଟିର ହାରାହାରି ଅମ୍ଲତା ୭୦ପ୍ରତିଶତ ରହିଥିବାବେଳେ ଏବେ ତାହା ୯୭ପ୍ରତିଶତରେ ପହଚିଂଛି। ଅମ୍ଲତା ବଢ଼ିବା ଯୋଗୁଁ ମାଟିର ଜଳଧାରଣ କ୍ଷମତା କମିବାରେ ବି ଲାଗିଛି। ଭୂତଳ ଜଳସ୍ତର ତଳକୁ ତଳ ଖସି ଚାଲିଛି। ତେଣୁ ଚାଷୀମାନେ ନିଜର ଜମିର ମାଟିକୁ ଚିହ୍ନିବା ପାଇଁ ରାଜ୍ୟ ସରକାର ସେମିଳିଗୁଡାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ସହ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଗାଡ଼ି ବି ବୁଲାଉଛନ୍ତି। ଏଥିରେ ଥିବା କର୍ମଚାରୀମାନେ ଜିଲ୍ଲାର ସବୁ ବ୍ଲକରେ ବୁଲି ବୁଲି ଚାଷୀଙ୍କ ଜମିର ମାଟିକୁ ନେଇ ପରୀକ୍ଷାକରିବା ସହ ସେମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରି ଆସୁଥିଲେ।

ମାଟିର ଅମ୍ଲତା, କ୍ଷାରତା, ଲବଲାଂଶ, ଜୈବିକ ଖତ, ଫସଫରସ, ପଟାସ, ନାଇଟ୍ରେଜେନ୍, ବୋରମ, ସଲଫର, ଜିଙ୍କ ପରୀକ୍ଷଣ କରାଯାଉଛି। ଜଳସେଚିତ ଅଂଚଳରୁ ଅଢ଼େଇ ହେକ୍ଟର ଜମିରୁ ଗୋଟିଏ ନମୁନା ଓ ଅଣ ଜଳସେଚିତ ଅଂଚଳରେ ୧୦ହେକ୍ଟର ଜମିରୁ ଗୋଟିଏ ନମୁନାକୁ ପରୀକ୍ଷା କରାଯାଇ ସଂପୃକ୍ତ ଅଂଚଳର ସମସ୍ତ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ବିତରଣ କରାଯାଉଛି। ଏହି କାର୍ଡ଼ ଜରିଆରେ ଚାଷୀଟିଏ ନିଜ ଜମିର ଉର୍ବରତା , ଅମ୍ଲତା, ଓ ଅନ୍ୟାନ୍ୟ ଉପାଦାନ ସଂପର୍କରେ ଜାଣି କେଉଁ ଚାଷ ପାଇଁ କେତେ ପରିମାଣର ସାର ପ୍ରୟୋଗ କରାଯିବ, ତାହା ଜାଣି ପାରୁଛି। ପ୍ରତିବର୍ଷ ମୃତ୍ତିକା ପରୀକ୍ଷଣର ଗୁରୁତ୍ବ ଅନୁସାରେ ଟାର୍ଗେଟ ମଧ୍ୟ ବୃଦ୍ଧି ହେଉଛି। ଚଳିତ ବର୍ଷ ୧୦ହଜାର ଟାର୍ଗେଟ ରହିଥିବା ବେଳେ ଅଦ୍ୟାବଧି ବିଭିନ୍ନ ବ୍ଲକରୁ ୬୬୩୨ଟି ନମୁନା ସଂଗ୍ରହ କରାଯାଇଛି ଏବଂ ୪୮୮୧ ନମୁନା ଲାବ୍ ରେ ପରୀକ୍ଷା ପାଇଁ ପହଚିଂଛି। ସେମିଳିଗୁଡାରୁ ୭୦୨,କୋରାପୁଟରୁ ୫୧୦,ଦଶମନ୍ତପୁରରୁ ୮୦୨, ନାରାୟଣପାଟଣାରୁ ୧୪୯, ବନ୍ଧୁଗାଁରୁ ୬୨, ଲକ୍ଷ୍ମୀପୁରରୁ ୪୨୦, ନନ୍ଦପୁରରୁ ୧୧୦୫, ପଟ୍ଟାଙ୍ଗୀରୁ ୪୨୭, ଜୟପୁରରୁ ୫୪୦, କୁନ୍ଦ୍ରାରୁ ୬୬୪, ବୋରିଗୁମ୍ମାରୁ ୯୧, କୋଟପାଡରୁ ୫୦ ଓ ବୈପାରୀଗୁଡାରୁ ୫୨ଟି ଏଭଳି ୬୬୩୨ଟି ନମୁନା ସଂଗ୍ରହ ହୋଇଛି। ସଂଗ୍ରହ ପାଇଁ ଲମତାପୁଟ ବ୍ଲକରେ ୯୫୦ଟି ଲକ୍ଷ୍ୟ ରହିଥିଲେ ହେଁ ଏଯାଏଁ ଗୋଟିଏ ବି ସଂଗ୍ରହ ହୋଇପାରିନି।

ନମୁନାଗୁଡିକର ପରୀକ୍ଷା ସରିବା ପରେ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯିବ ବୋଲି ସୂଚନା ମିଳିଛି। ମାଟିରେ ଅମ୍ଳ ବଢ଼ିଲେ କୃଷି ଉତ୍ପାଦନ ହ୍ରାସ ପାଏ। ଏହାର ମୁକାବିଲା ପାଇଁ ମାଟିରେ କ୍ୟାଲସିୟମ ସିଞ୍ଚନର ପରାମର୍ଶ ଦେଇଛନ୍ତି କୃଷି ଅଧିକାରୀ। ପେପର ମିଲ୍ରୁ ନିର୍ଗତ ସ୍ଲଜରେ ପ୍ରାୟ ୪୦ ପ୍ରତିଶତ କ୍ୟାଲସିୟମ ରହିଥାଏ। ପ୍ରତି ହେକ୍ଟର ଜମିରେ ୫ କ୍ବିଣ୍ଟାଲ ପେପର ସ୍ଲଜ ସିଞ୍ଚନ ହେଲେ ମାଟିର ଅମ୍ଳ ଦୂର ହେବା ସହିତ ଉତ୍ପାଦନ ପ୍ରାୟ ୨୫ ପ୍ରତିଶତ ବଢ଼ିପାରିବ ବୋଲି କୃଷି ବୈଜ୍ଞାନିକ ମାନେ ରିପୋର୍ଟ ପ୍ରକାଶ କରିଥିବା କହିଛନ୍ତି କୃଷି ଅଧିକାରୀ। ଜୟପୁରରେ ଥିବା ପେପର ମିଲ୍ ନିକଟରେ ପେପର ମିଲ ସ୍ଲଜ ପଡ଼ି ରହିଛି। ସେଭଳି ଆଖୁ ଛେଦାରେ ମଧ୍ୟ ବ୍ୟାପକ ପରିମାଣରେ କ୍ୟାଲସିୟମ ରହିଛି। ଏହାର ବ୍ୟବହାର ହୋଇ ମଧ୍ୟ ମାଟି ଅମ୍ଳ ଦୂର କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର