ଖୋର୍ଦ୍ଧା ଜିଲ୍ଲାରେ ଥମୁନି ସଡ଼କ ଦୁର୍ଘଟଣା; ଅମାନିଆ ଗାଡ଼ିଚାଳକଙ୍କ ପ୍ରତି ଶୂନ ସହନଶୀଳତା ନେଇ ନିର୍ଦେଶ

ଖୋର୍ଦ୍ଧା: ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ପରିସଂଖ୍ୟାନରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ। ଦେଶର ଉଚ୍ଚତମ ନ୍ୟାୟାଳୟଙ୍କ ତାଗିଦ, ସଚେତନତା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଏହା ଥମୁନାହିଁ। ଗୋଟିଏ ପଟେ ଲୋକଙ୍କ ଟ୍ରାଫିକ ନିୟମର ଉଲ୍ଲଂଘନ ଓ ଆରପଟେ ପୁଲିସ ପ୍ରଶାସନର ନିୟମକୁ କାର୍ଯ୍ୟକାରୀ କରିବାରେ ଅବହେଳା ମଧ୍ୟରେ ଅନେକଙ୍କ ଜୀବନ ଅକାଳରେ ଚାଲିଯାଉଛି। ଜିଲ୍ଲା ପୁଲିସ ଓ ସଡ଼କ ପରିବହନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟାନୁସାରେ, ୨୦୨୧ ଜାନୁଆରୀ ଠାରୁ ନଭେମ୍ବର ମଧ୍ୟରେ ଖୋର୍ଦ୍ଧାରେ ୭୩୪ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ଏହାମଧ୍ୟରୁ ୬୦୬ଜଣ ଆହତ ହୋଇଥିବା ବେଳେ ୨୪୭ଜଣଙ୍କ ମୃତ୍ୟୁ ଘଟିଥିଲା, ଅର୍ଥାତ୍ ଦୁର୍ଘଟଣାର ୩୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୨୨ ଜାନୁଆରୀ ଠାରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ପୂର୍ବ ବର୍ଷ ଠାରୁ ୪୭୨ଟି ଅର୍ଥାତ୍ ୬୪.୩୧ ପ୍ରତିଶତ ବୃଦ୍ଧି ଘଟି ୧୨୦୬ରେ ପହଂଚିଛି।

ଏହା ମଧ୍ୟରୁ ୨୯୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୫୬ଜଣ ଆହତ ହୋଇଛନ୍ତି। ଯଦିଓ ୨୦୨୧ ଠାରୁ ୨୦୨୨ରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି। ୩୫ ପ୍ରତିଶତରୁ ପ୍ରାୟ ୨୫ ପ୍ରତିଶତକୁ କମିଛି। କିନ୍ତୁ ଭୁବନେଶ୍ୱର ଭଳି ଉଚ୍ଚକୋଟିର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଥାଇ ମଧ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବାସ୍ତବରେ ଚିନ୍ତାଜନକ ଅଟେ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଗତକାଲି ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆର୍ଟିଓ, ପୁଲିସ କମିଶନରଙ୍କୁ ଚିଠି ଲେଖି ଏଥିପ୍ରତି ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି। ସପ୍ତାହର ପ୍ରତି ମଙ୍ଗଳବାର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ ସହନଶୀଳ ହେବା ପାଇଁ ଧରପଗଡ଼କୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ଏହାଦ୍ୱାରା ଅମାନିଆ ଗାଡ଼ିଚାଳକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର