ସଡ଼କ ଦୁର୍ଘଟଣା ନେଲା ୩ ଜଣଙ୍କର ଜୀବନ

ପୁରୁ‌ଷୋତ୍ତମପୁର/ବୁଗୁଡ଼ା/ଚିକିଟି/ ଭଞ୍ଜନଗର: ଗତ ତିନିଦିନ ଧରି ହୋଲି ଓ ଦୋଳପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ଥିବା ବେଳେ ସଡ଼କ ଦୁର୍ଘଟଣା ଓ ଅଘଟଣ ୩ ଜଣଙ୍କ ଜୀବନ ନେଇଛି। ସେହିପରି ୧୫ ଜଣ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ମୃତ୍ୟୁ ସହ ଲଢ଼ୁଛନ୍ତି। ଏହାସହ ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେ. ନୂଆଗାଁ ଥାନା ଅନ୍ତର୍ଗତ ରମ୍ପା ପଞ୍ଚାୟତ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବର ଗତକାଲି ପୂର୍ଣ୍ଣାହୁତି ଥିବା ବେଳ‌େ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୮ଟା ୪୫ ମିନିଟରେ ବରଡ଼ା ଗ୍ରାମର ଏନ. ତ୍ରିନାଥ (୨୫) ନାମକ ଜଣେ ରାମଦୋଳିରେ ବସିଥିବା ସମୟରେ ଅସାବଧାନତାବଶତଃ ଖସିପଡ଼ି ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତ୍ରିନାଥଙ୍କୁ ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ରାତି ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ। ଏନେଇ କେ. ନୂଆଗାଁ ଥାନା‌ରେ କୌଣସି ଏତଲା ଦିଆଯାଇ ନଥିବା ଜଣାପଡ଼ିଛି।

ସେହିପରି ଗତକାଲି ରାତି ପ୍ରାୟ ୧୦ଟାରେ ବୁଗୁଡ଼ା ଥାନା ଅଧୀନ ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତା ବାଙ୍କେଶ୍ବରୀ ଓ ପାଙ୍ଗିଡ଼ି ରାସ୍ତାରେ ଥିବା ଏକ ଗଛରେ କାର ପିଟି ହୋଇଯିବାରୁ ଚାଳକ ତଥା ଅରଖପୁର ଗ୍ରାମର କାଳୁଚରଣ ଦଳେଇ (୩୨) ପ୍ରାଣ ହରାଇଛନ୍ତି। କାଳୁ ରାତିରେ ୮ଟାରେ ନିଜେ କାର ଚଳାଇ ପେଟ୍ରୋଲ ପକାଇବାକୁ ବୁଗୁଡ଼ା ଆସିଥିଲେ। ସେଠାରୁ ଅରଖପୁର ‌ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କାର ଭିତରେ ଚାପି ହୋଇ ରହିଥିବା ଶବକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ।

ଏନେଇ ବୁଗୁଡ଼ା ଥାନାରେ କେସ ନମ୍ବର ୧୬୨/୨୩ ଅନୁସା‌ରେ ମାମଲା ରୁଜୁ ହୋଇଛି। ସେହିପରି ପୁରୁଷୋତ୍ତମପୁର ଥାନା ଅଧୀନ ରଣଝାଲି ନିକଟ ଋଷିକୁଲ୍ୟା ନଦୀ ପୋଲରେ ଗତକାଲି ଅପରାହ୍ନ ୫ଟା‌ରେ ଏକ ମୋପେଡ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ରଣଝାଲି ଗ୍ରାମର ମୋପେଡ ଚାଳକ ବାବୁ ବେ‌ହେରା। ସେହିପରି ଗୁରୁତର ବାଇକ ଚାଳକ କୈଳାସ ବେହେରାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୈଳାସଙ୍କ ସହ ବାଇକରେ ବସିଥିବା ଆଉ ୩ ଜଣ ଯୁବକ ମଧ୍ୟ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ବାବୁ ଓ ତାଙ୍କର ଜଣେ ସହଯୋଗୀ ମୋପେଡରେ ନଦୀହୁଡ଼ାରୁ ବାହାରି ରଣଝାଲି ଗ୍ରାମକୁ ଆସୁଥିଲେ। ଏହି ସମୟରେ ତାରାତାରିଣୀ ଛକପଟୁ କୈଳାସ ଓ ତାଙ୍କର ୩ ଜଣ ସାଙ୍ଗ ଦ୍ରୁତ ଗତିରେ ବାଇକରେ ଆସି ମୋପେଡକୁ ଧକ୍କା ଦେଇଥିଲେ। ପୁଲିସ ପହଞ୍ଚି ସମସ୍ତଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲା। କିନ୍ତୁ ବାବୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତଦନ୍ତ ଜାରି ରହିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପ‌ରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ସେହିପରି ଭଞ୍ଜନଗର ଥାନା ଅଧୀନ ମୁଦୁଲିପଲ୍ଲୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ଟୁକୁନା ‌ଗୌଡ଼, ସୁଶାନ୍ତ ଗୌଡ଼, ନରସିଂହ ଗୌଡ଼, ଶ୍ରୀନିବାସ ବେହେରା, ରଞ୍ଜିତ ଗୌଡ଼ ଏବଂ ନୃପ ସାହୁ। ଦଦରାଲୁଣ୍ଡା ଗ୍ରାମର କିଛି ଯୁବକ ବେଲଗୁଣ୍ଠା ବ୍ଲକ ପଳାସପଲ୍ଲୀ ଗ୍ରାମକୁ ଏକ ନାମଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ଅନ୍ୟପକ୍ଷରେ ଗତ ତିନିଦିନ ଭିତରେ ଭଞ୍ଜନଗର ଏବଂ ଆଖପାଖ ଇଲାକାରେ ପୃଥକ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର କଳିଙ୍ଗାଘାଟିର ଅନ୍ଧାରକୋଟି ନିକଟରେ ଏକ ବାଇକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଆସିକାର ଏ. ଅଜୟ (୩୨) ଏବଂ ଏ. ରାହୁଲ (୨୦) ଗୁରୁତର ହୋଇଛନ୍ତି। ଉଭୟ କଳିଙ୍ଗାରୁ କ୍ରିକେଟ ମ୍ୟାଚ ଖେଳି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଆଜି ମଧ୍ୟାହ୍ନରେ ବେଲଗୁଣ୍ଠା ଥାନା ଉଡ୍ରା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୁତି ଗ୍ରାମର ସୁନୀଲ ଡାକୁଆ (୪୮) ଓ ବୁଗୁଡ଼ା ଥାନା ବିରଞ୍ଚିପୁର ଗ୍ରାମର ବାଦଲ ନାୟକ ଆହତ ହୋଇଛନ୍ତି। ଏହାସହ ଭଞ୍ଜନଗରର ରଘୁନାଥ ମନ୍ଦିର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଡହ ଗ୍ରାମର ଚନ୍ଦ୍ରମଣି ସ୍ବାଇଁ (୩୭) ଗୁରୁତର ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର