ପଥର କୁଆଁରୀ ଚୋରି ବେଳେ ଧରାପଡିଲେ ତିନି ଚୋର

ବୈପାରିଗୁଡା: ପଥର କୁଆଁରୀ ଚୋରି କରୁଥିବା ବେଳେ ତିନିଜଣ ଚୋର ଧରାପଡ଼ିଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାଅନୁଯାୟୀ, ରବିବାର ତିନିଜଣ ଯୁବକ ଏକ ଅଟୋ ଯୋଗେ ବୈପାରିଗୁଡା ଥାନା ଅନ୍ତର୍ଗତ ଟୋପାଯୋଡି ନିକଟରେ ପହଞ୍ଚିଥିଲେ। ଅଟୋକୁ ଗାଁ ନିକଟରେ ରଖି ପଥର କୁଆଁରୀରେ ପହଞ୍ଚିଥିଲେ। ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କ ଅଗୋଚରରେ ଦୁଇଟି ଲୁହା ପ୍ଲେଟ ଆଣି ଅଟୋରେ ରଖିବା ପରେ ପୁଣି ଥରେ କୁଆଁରୀ ନିକଟକୁ ଯାଇ ଲୁହା ପ୍ଲେଟ ଆଣିବା ପାଇଁ ଚେଷ୍ଟା ଉଦ୍ୟମ କରୁଥିବା ବେଳେ ଶ୍ରମିକ ମାନଙ୍କ ନଜରରେ ଆସିଥିଲା।

ଶ୍ରମିକ ମାନେ ତିନି ଜଣ ଯୁବକଙ୍କୁ କାବୁ କରିବା ସହ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ ଗିରଫ କରିବା ସହ ଚୋରି ପାଇଁ ବ୍ୟବହାର କରୁଥିବା ଓଡି ୧୦ଏ ୦୮୬୧ ନମ୍ବର ବିଶିଷ୍ଟ ଅଟୋକୁ ଜବତ କରିଛନ୍ତି। ତିନି ଯୁବକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାଗ୍ରାଗୁଡାର କମଳ ଲୋଚନ ଖିଲ ଏବଂ ସୈରାଗୁଡାର ଗୋରା ସଉରା ହୋଇଥିବା ବେଳେ ଟାଉନ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ପେଟାର ସାମିଲ ବାଘ। ଏମାନଙ୍କ ନାମରେ ଏକାଧିକ ଚୋରି ମାମଲା ଜୟପୁର ଟାଉନ ଥାନା ଏବଂ ସଦର ଥାନାରେ ରହିଥିବା ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର