କେତେ ଫାଇଲ୍‌ସ-କାହା କାହାର ନଥି ଖୋଲିବେ

କୁମାର ପ୍ରଶାନ୍ତ

କୁହାଯାଏ, ମିଛଠୁ ବି ଅର୍ଦ୍ଧସତ୍ୟ ଅଧିକ ବିପଜ୍ଜନକ। ଏକଥା ମଧ୍ୟ ସତ ଯେ ଜଣେ କୁଶିକ୍ଷିତ ବ୍ୟକ୍ତି ଅଶିକ୍ଷିତ ବ୍ୟକ୍ତି ଠାରୁ କାହିଁ କେତେ ଅଧିକ ବିପଜ୍ଜନକ। ଏହାର ନବୀନତମ ପ୍ରମାଣ ରୂପରେ ଏବେ ସତ୍ତାପ୍ରେରିତ ଉନ୍ମାଦନା ବଢ଼ାଇ ଚାଲିଥିବା ଫିଲ୍‌ମ ‘ଦି କାଶ୍ମୀର ଫାଇଲ୍‌ସ’ ଆସିଛି। ଏହା ଫିଲ୍‌ମ ହୋଇ ରହିନାହିଁ, ବରଂ କ୍ଷମତାର ରାଜନୈତିକ ଏଜେଣ୍ଡା ପୂରଣ କରିବା ପାଇଁ କ୍ଷମତା ସହିତ ଏବଂ ସମ୍ଭବତଃ ତାହାର ଅର୍ଥ ସହଯୋଗରେ କୁଶିକ୍ଷିତ ବ୍ୟକ୍ତିମାନଙ୍କର ପ୍ରହସନ ପାଲଟିଛି। ଏଥିରେ କଳାକାରମାନେ ନାହାନ୍ତି, ବରଂ, କ୍ଷମତାର ଅନୁକମ୍ପା ଲିପ୍‌ସୁ ଜଣାଶୁଣା ପଦାତିକ ସିପାହିମାନେ ମିଶି ଇତିହାସର ଏକ ବିକୃତ ବିନିଯୋଗ କରିଛନ୍ତି। ଏଇ ଫିଲ୍‌ମ ଦେଖିବା ପାଇଁ ନୁହେଁ, ଦେଖେଇବା ପାଇଁ ହୋଇଛି। ଭାଜପା ଶାସିତ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ନିଜର ବିଚାରଧାରା ବୁଣିବା ଲାଗି ସାର୍ବଜନୀନ ସମ୍ପତ୍ତିର ଅପଚୟରେ ତାହାକୁ ମନୋରଂଜନ କରରୁ ମୁକ୍ତ କରିଦେଇଛନ୍ତି। ଏହା ଏପରି ଏକ ଫିଲ୍‌ମ ଯାହା ମାଧ୍ୟମରେ ଇତିହାସକୁ ବୁଝିହେଉଛି ଓ ବୁଝେଇ ହେଉଛି ବୋଲି ଯୋଉ ପ୍ରଧାନମନ୍ତ୍ରୀ କହୁଛନ୍ତି, ତାଙ୍କର ବୌଦ୍ଧିକ ଦାରିଦ୍ର୍ୟର ସୀମା ନାହିଁ।

ପ୍ରସଙ୍ଗ ହେଉଛି ସେଇ କାଶ୍ମୀରର ଯାହା ଏକ ବଡ଼ ସଂକଟମୟ ମୁହୂର୍ତ୍ତରେ, ଏକ ସଂକଟମୟ ସ୍ଥିତିରେ ନବଜାତ ସ୍ବତନ୍ତ୍ର ଭାରତରେ ସାମିଲ ହୋଇଥିଲା। ଯୋଉ ଭାରତକୁ ଦି’ ଭାଗ କରି ଲହୁଲୁହାଣ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା, ଆପାଦମସ୍ତକ ସାମ୍ପ୍ରଦାୟିକ ବିଦ୍ବେଷର ଅଗ୍ନି ଜାଳି ଦିଆଯାଇଥିଲା, ତହିଁରେ ତାହା ଛଟପଟ ହେବାରେ ଲାଗିଥଲା। ଏମିତି ତ କାଶ୍ମୀରର ହିନ୍ଦୁ ମହାରାଜା ହରି ସିଂହ ନିଜର ମୁସଲମାନ ପ୍ରଜାଙ୍କୁ ଧରି ଅଚାନକ ଭାରତର ଶରଣ ପଶି ପାକିସ୍ତାନ ସେନା କବଳରୁ ରକ୍ଷା ମିଳୁ ବୋଲି ନିବେଦନ କରିଥିଲେ।

ନିଜ ନିଜର ରାଜନୈତିକ ସ୍ବାର୍ଥ ପାଇଁ ଭାରତକୁ କାଶ୍ମୀର ମିଳୁ ବୋଲି କେବଳ ପାକିସ୍ତାନର ମହମ୍ମଦ ଅଲ୍ଲି ଜିନ୍ନା କାହିଁକି, ତତ୍କାଳୀନ ଆମର ଇଂରେଜୀ ମୁନିବ ଏବଂ ଆମେରିକା ସମେତ ୟୁରୋପର ଅନ୍ୟ ଦାଦା ଶ୍ରେଣୀୟ ଦେଶ, ଏପରିକି ସାମ୍ୟବାଦୀ ରୁଷିଆ ବି ଚାହିଥିଲା। ଆମର ଏବଂ ଆମ ଦେଶୀୟ ରାଜ୍ୟଗୁଡ଼ିକର ଏକତ୍ରୀକରଣରେ ନିମଗ୍ନ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ କାଶ୍ମୀର ପାଇଁ ସେଭଳି ବ୍ୟଗ୍ର କି ଆତୁର ନ ଥିଲେ। ସେଥିପାଇଁ ତ ମହାରାଜା ହରି ସିଂହଙ୍କର ନିବେଦନକୁ ଅଣଦେଖା କରାଯାଇଥିଲା। ମାତ୍ର ସେତେବେଳେ ଦେଶର ନେତୃତ୍ବ ବାମନଙ୍କ ହାତରେ ନ ଥିଲା। ସେଥିପାଇଁ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ କାଶ୍ମୀରର ଭୌଗୋଳିକ ସ୍ଥିତିର ରଣନୀତିକ ମହତ୍ତ୍ବ ତଥା ପାକ୍-ବ୍ରିଟିସ୍‌-ଆମେରିକାକୁ ନିଜର ସୀମା ଭିତରେ ସ୍ଥାନ ନ ଦେବାର ରାଷ୍ଟ୍ରୀୟ ଚିନ୍ତାଧାରା କାରଣରୁ ହରି ସିଂହଙ୍କ ଯାଚନାକୁ ଏକ ରାଜନୈତିକ ସ୍ବରୂପ ଦିଆଯାଇଥିଲା। ତାହାର ବିଲୟ ଲାଗି ସନ୍ଧିପତ୍ରରେ ସ୍ବାକ୍ଷର କରାଯାଇଥିଲା। କାଶ୍ମୀର ଜନମତର ପ୍ରତିନିଧି ଶେଖ ଅବଦୁଲ୍ଲା ଓ ତାଙ୍କ ନ୍ୟାସନାଲ୍ କନ୍‌ଫରେନ୍‌ସ ଦଳକୁ ତାହା ସହ ଯୋଡ଼ା ଯାଇଥିଲା ଏବଂ ସାଙ୍ଗରେ ନାମମାତ୍ର ସାଧନ ଥିବା ଆମର ସେନା କାଶ୍ମୀର ମାଟିରେ ଯାଇ ପାଦ ରଖିଥିଲେ।

ମହାରାଜା ହରି ସିଂହ ଚାଲାକି କରି ଆମ ଶରଣ ପଶିଥିଲେ, ସେଭଳି ସୁଯୋଗ ହାତଛଡ଼ା କରିବାକୁ ଭାରତ ବି ପ୍ରସ୍ତୁତ ନ ଥିଲା। ତେଣୁ ତାଙ୍କ ସହ ବିଲୟ ସନ୍ଧିରେ ଏପରି କିଛି କଥାକୁ ସ୍ବୀକାର କରିବା କାରଣରୁ କାଶ୍ମୀର ଏକ ବିଶେଷ ରାଜନୀତିକ ସ୍ଥିତି ପାଲଟିଗଲା। ତାହା ଆଗକୁ କିଛି ବିଶେଷ ଅସୁବିଧା ସୃଷ୍ଟି କରିବ ବୋଲି ଜବାହରଲାଲ ନେହରୁ ଅନୁମାନ କରି ଶେଖ ଅବଦୁଲ୍ଲା ଓ ତାଙ୍କର ପ୍ରତିନିଧିମାନଙ୍କୁ ସମ୍ବିଧାନ ସଭାର ସଦସ୍ୟ ଭାବେ ଦେଶର ମୁଖ୍ୟ ଧାରାରେ ଯୋଡ଼ି ଦେଇଥିଲେ। ଦେଶର ସଂପୂର୍ଣ୍ଣ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଦେଶୀୟ ରାଜ୍ୟଗୁଡ଼ିକର ବିଲୟ ପାଇଁ ଆଇନଗତ ପୋଷାକ ପିନ୍ଧାଇଥିବା ସମ୍ବିଧାନ ସଭା ହିଁ କାଶ୍ମୀରର ବୈଧାନିକ ବିଲୟର ମାଧ୍ୟମ ପାଲଟିଥିଲା। ଧାରା ୩୭୦କୁ କାଶ୍ମୀରୀମାନେ ନୁହେଁ, ଭାରତର ସମ୍ବିଧାନ ସଭା ହିଁ ପ୍ରସ୍ତୁତ ଓ ପାରିତ କରିଥିଲା। ଏ ସବୁ ହେଉଛି ଇତିହାସର ଏପରି ପୃଷ୍ଠା ଯାହାର ଗଭୀର ଅଧ୍ୟୟନ ନାରାବାଜମାନଙ୍କ ଦ୍ବାରା ନୁହେଁ, ବିଦ୍ବାନମାନଙ୍କ ଦ୍ବାରା ହେବା ଦରକାର।

ଏହି କ୍ଷଣଭଙ୍ଗୁର ବିଲୟକୁ ହିନ୍ଦୁତ୍ବବାଦୀଙ୍କ ସାମ୍ପ୍ରଦାୟିକ କୁଣ୍ଡଳୀ ଲେଖିବାର ଅଭିଯାନ ଚଳାଇଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ହିଁ ପହିଲି ଚୋଟ ମାରିଥିଲେ। ଏହାର ପ୍ରତିକ୍ରିୟାରେ ସମ୍ୟକ୍ ରାଜନୈତିକ ମହତ୍ତ୍ବାକାଂକ୍ଷା କାରଣରୁ ଦ୍ବିତୀୟ ଚୋଟ ଶେଖ୍ ଅବଦୁଲ୍ଲା ମାରିଥିଲେ। ଜବାହରଲାଲ ନିଜର ସେଇ ପ୍ରିୟ ମିତ୍ରଙ୍କୁ ତତ୍କାଳ ଜେଲ୍ ପଠେଇ ଦେଇଥିଲେ। ରାଜ୍ୟକୁ ନିଜ ହାତମୁଠାରେ ରଖିବାକୁ ଚାହୁଥିବା ଦୃଢ଼ କଂଗ୍ରେସୀ ଚିନ୍ତାଧାରା ହିଁ ଏଥିରେ ତୃତୀୟ ଚୋଟ ମାରିଥିଲା। ଏକ ରାଷ୍ଟ୍ରର ଏଭଳି ଐତିହାସିକ ପ୍ରୟାସକୁ ବିଷାକ୍ତ ଦୁଃସ୍ବପ୍ନରେ ବଦଳାଇବାରେ ସମସ୍ତଙ୍କର ଭୂମିକା ରହିଥିଲା। ଏକାକୀ କେବଳ ଜୟପ୍ରକାଶ ଏଇ ପୂରା ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କୁ ଚହଲାଇ ରାଷ୍ଟ୍ରୀୟ ତଥା ଲୋକତାନ୍ତ୍ରିକ ବାଟରେ ଦେଶକୁ ରଖିବାରେ ଗଭୀର ପ୍ରୟାସ କରିଥିଲେ।

ଫିଲ୍‌ମି ପ୍ରହସନ ‘ଦି କାଶ୍ମୀର ଫାଇଲ୍‌ସ’ରେ ଏ ସବୁର ଲେଶମାତ୍ର ସୂଚନା ନାହିଁ। ଏଥିରେ ଏକ ଭିନ୍ନ କାଶ୍ମୀରର ମନଗଢ଼ା କାହାଣୀ ଶୁଣାଇ ଦିଆଯାଉଛି। କାଶ୍ମୀର ପଣ୍ଡିତଙ୍କର ସେଠାରେ ହଜାରେ ବର୍ଷର ଇତିହାସ ରହିଛି। ୧୯୯୦ ମସିହା ପୂର୍ବରୁ କେବେ ବି ହିନ୍ଦୁ ହୋଇଥିବା କାରଣରୁ ସେମାନଙ୍କୁ ଅତ୍ୟାଚାର କି ନିର୍ଯାତନା କରାଯାଇନଥିଲା। ଯେଉଁ ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ମୁସଲମାନ, ସେଠାରେ ୨ରୁ ୩ ପ୍ରତିଶତ ହିନ୍ଦୁ କେବଳ ମହଜୁଦ ନ ଥିଲେ, ବରଂ ମହତ୍ତ୍ବପୂର୍ଣ୍ଣ ସ୍ବର ପାଲଟି ରହିଥିଲେ। ଯେତେବେଳେ ସାମ୍ପ୍ରଦାୟିକ ବିଷର ପ୍ରସଙ୍ଗ ଉଠୁଥିଲା, ସେତେବେଳେ ପ୍ରକୃତରେ କାଶ୍ମୀର ‘ଭୂସ୍ବର୍ଗ’ ହୋଇ ରହିଥିଲା। ହିନ୍ଦୁତ୍ବବାଦୀ ଓ ଇସଲାମୀ ଶକ୍ତି ଦ୍ବାରା ସାମ୍ପ୍ରଦାୟିକତାକୁ ଧର୍ମର ପୋଷାକ ପିନ୍ଧାଇ ଦେଶକୁ ଯେବେ ନିଆଁରେ ଜାଳି ଦିଆଯାଉଥିଲା, କାଶ୍ମୀରରେ ସେତେବେଳେ ସୌହାର୍ଦ୍ଦ ବଜାୟ ରହିଥିଲା। ଏହି ଅନ୍ଧକାର ଭିତରେ କାଶ୍ମୀର ଏକ ଆଶାର କିରଣ ବୋଲି ମହାତ୍ମା ଗାନ୍ଧୀ ଏମିତି କେବେ କହିନଥିଲେ। ଅପରପକ୍ଷେ, ତାହା ଭାରତର ସହ-ଅସ୍ଥିତ୍ବର ପ୍ରମାଣ ଏବଂ କଷଟି ପଥର ବୋଲି ଜବାହରଲାଲ, ସର୍ଦ୍ଦାର, ଜୟପ୍ରକାଶ ଓ ଲୋହିଆ ଆଦି ସମସ୍ତେ ନିଜ ନିଜ ଢଙ୍ଗରେ ଗୁରୁତ୍ବାରୋପ କରିଥିଲେ। ସେଭଳି କାଶ୍ମୀର ତାହାର ନଥି ନିର୍ମାଣକାରୀଙ୍କୁ ଦେଖାଗଲା ନାହିଁ।

ସେମାନଙ୍କୁ କେବଳ କାଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ସେଥିରେ ମୁସଲମାନ ଓ କଂଗ୍ରେସୀ ରାଜ୍ୟର ଭୂମିକା ଦେଖାଗଲା। ଅବଶ୍ୟ ଏମିତି କୌଣସି ଅଧ୍ୟୟନରେ ଖଣ୍ଡ ଖଣ୍ଡ ଦ୍ବାରା ସଂପୂର୍ଣ୍ଣ ଚିତ୍ର ଗଢ଼ିବାର ପ୍ରୟାସ କରାଯାଇଥାଇପାରେ। ତେବେ ଏଇଠି ପ୍ରଶ୍ନ ଉଠୁଛି, ସେଭଳି ଅଧ୍ୟୟନରେ ସାଧୁତା ନା ପକ୍ଷପାତିତା ରହିଛି? ଏହାର ପ୍ରଥମ ଅନ୍ବେଷଣ ତ ଏପରି କରିବାର ଥିଲା କି ୧୯୯୦ରେ ଏମିତି କ’ଣ ଘଟିଲା ଯେ କାଶ୍ମୀର ପଣ୍ଡିତଙ୍କୁ ସେଠାରୁ ପଳାୟନ କରିବାକୁ ପଡ଼ିଲା? ସେତେବେଳେ ରାଜନୀତିର କୁରୂପ ଦେଖିବାକୁ ପଡ଼ିଥିଲା। ଏବଂ ରାଷ୍ଟ୍ରୀୟ ଆସନରେ ଅନୁପଯୁକ୍ତ ଲୋକମାନେ ଆସୀନ ହେବାକୁ ଲାଗିଥିଲେ।

ଏ ପରିପ୍ରେକ୍ଷୀରେ ଭି.ପି. ସିଂହଙ୍କ ସଂଖ୍ୟାଲଘୁ ସରକାରଙ୍କୁ ସାମ୍ୟବାଦୀ ଓ ବିଜେପିବାଲା ସମର୍ଥନ ଦେଇ ଧରି ରଖିଥିଲେ କାଳେ କଂଗ୍ରେସକୁ ଆଡ଼ କରି ନିଜର ଏଜେଣ୍ଡା ପୂରା କରିପାରିବେ। ଭି. ପି. ସିଂହ କ୍ଷମତାରେ ଥିବା ସମୟତକ ଗାଦି ବଞ୍ଚାଇବା ଲାଗି ରାଷ୍ଟ୍ରୀୟ ଧାରାକୁ ସାମ୍ପ୍ରଦାୟିକତାରୁ ଦୂରେଇ ରଖିବା ପାଇଁ କସରତ କରି ଚାଲିଥିଲେ। ତାଙ୍କ ସରକାରର ଗୃହମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦ୍‌ଙ୍କ ଝିଅ ରୁବିୟାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଲେ। ସେମାନେ ତାଙ୍କୁ ଛାଡ଼ିଦେବା ପାଇଁ ନିଜର ୫ ଜଣ ଆତଙ୍କୀ ସାଥୀଙ୍କୁ ସରକାର ମୁକ୍ତ କରିବା ପାଇଁ ସର୍ତ୍ତ ରଖିଥିଲେ। ସେମାନଙ୍କ ସର୍ତ୍ତ ବି ମାନିନେବାକୁ ପଡ଼ିଲା। ଜଣେ ଉତ୍ତମ, ମାତ୍ର ଦୁର୍ବଳ ପ୍ରଧାନମନ୍ତ୍ରୀ ଦେଶ ପାଇଁ କେତେ ଅନିଷ୍ଟକର, ଭି. ପି. ସିଂହ ତାହାର ଉଦାହରଣ ପାଲଟିଗଲେ। ତେବେ ଆତଙ୍କବାଦୀଙ୍କ ମୁକ୍ତି ଲାଗି ସରକାରଙ୍କ ଭୀରୁ ନିଷ୍ପତ୍ତିକୁ ବିଜେପି କେବେ ବିରୋଧ ନ କରି ସେହି ମଉକାରେ କାଶ୍ମୀରରେ ନିଜ ପସନ୍ଦର ରାଜ୍ୟପାଳ ଜଗମୋହନଙ୍କୁ ଅବସ୍ଥାପିତ କରାଇଲା। କହିବା ବାହୁଲ୍ୟ, ଜଗମୋହନ ପୂର୍ବରୁ କଂଗ୍ରେସ ପସନ୍ଦର ରାଜ୍ୟପାଳ ରହିଥିଲେ। ଏଥିରୁ ସହଜରେ ସ୍ପଷ୍ଟ ଯେ ଶାସନ କ୍ଷମତାରେ ସମାନ ତାସମୁଠା ରହିଛି, ଫରକ କେବଳ ତାହା ଫେଣ୍ଟିବାରେ।

ରୁବିୟା ପ୍ରସଙ୍ଗରେ ଏଭଳି ଏକ ପ୍ରଥା ଆରମ୍ଭ ହେଲା ଯେଉଁଥି ପାଇଁ ଅଟଳ ବିହାରୀ ବାଜପେୟୀ ସରକାର କାନ୍ଦାହାର ପ୍ରସଙ୍ଗରେ ସମାନ କଥା ଦୋହରାଇଲେ।
ଜଗମୋହନ ତାଙ୍କ ଦ୍ବିତୀୟ ପାଳିରେ କାଶ୍ମୀରକୁ ସାମ୍ପ୍ରଦାୟିକତାରେ ଭିଜେଇ ଦେଇଥିଲେ। ସେ ହିଁ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ବରଖାସ୍ତ କରିଥିଲେ। ମାତ୍ର ଆତଙ୍କବାଦୀମାନେ କାଶ୍ମୀରକୁ ଚରାଭୂଇଁ କଲା ବେଳେ ତାହାର ବିରୋଧ ଲାଗି ସେ କିଛି କରିନଥିଲେ। କାରଣ ସାମ୍ପ୍ରଦାୟିକ ଧ୍ରୁବୀକରଣ ଥିଲା ବିଜେପିର ରଣନୀତି। ଭୀତତ୍ରସ୍ତ କାଶ୍ମୀର ପଣ୍ଡିତମାନଙ୍କୁ ସେଇ ଜଗମୋହନ ସାହସ ଓ ସୁରକ୍ଷା ଦେବା ବଦଳରେ ସେମାନଙ୍କୁ ପଳାୟନ ଲାଗି ସୁବିଧା କରାଇଥିଲେ। ପଳାୟନ ସର୍ବଦା ଭୟ, ଲୋଭ ଓ ଭୀରୁତାରୁ ଜନ୍ମ ନେଇଥାଏ। ଆଜି କାଶ୍ମୀର ପଣ୍ଡିତମାନେ ଚାଲାକିର ସେଇ ବିଷାକ୍ତ ରସ ପାନ କରୁଛନ୍ତି।

‘ଦି କାଶ୍ମୀର ଫାଇଲ୍‌ସ’ବାଲାଙ୍କୁ ଏସବୁ ଇତିହାସ ଦେଖାଗଲାନି ନା ସେସବୁ ଦେଖାଇବା ସେମାନଙ୍କ ଏଜେଣ୍ଡାରେ ନ ଥିଲା? ଇତିହାସ ଆକଳନର ଦ୍ବିତୀୟ ନାମ ହେଉଛି ତଟସ୍ଥ ସଚ୍ଚୋଟତା ଯାହାର ଏହି ପ୍ରହସନ ସହ କୌଣସି ସମ୍ପର୍କ ନାହିଁ। କାରଣ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ସହିତ ଅନେକ କାଶ୍ମୀରୀ ମୁସଲମାନଙ୍କର ବି ଜୀବନ ଯାଇଥିବା କଥା ଫିଲ୍‌ମରେ କୁହାଯାଇ ପାରିଥା’ନ୍ତା। ମହମ୍ମଦ ୟୁସୁଫ ହଲଵାଇ କିଏ ଏବଂ କେମିତି ମଲେ, ଜି. ଏମ୍. ବଟାଲିଙ୍କ ଉପରେ ଘାତକ ଆକ୍ରମଣ କାହିଁକି ହେଲା ଏବଂ ଗୁଲସନ ବଟାଲିଙ୍କୁ କେମିତି ମରାଗଲା, ତାହା ଫିଲ୍‌ମ ବତାଇ ନାହିଁ। କାଶ୍ମୀରରେ ପାଖାପାଖି ୨୫ ହଜାର ମୁସଲମାନଙ୍କୁ ହତ୍ୟା କରାଯାଇଛି ଏବଂ ୨୦ ହଜାର ମୁସଲମାନ କାଶ୍ମୀରରୁ ପଳାୟନ କରିଥିବା କୁହାଯାଏ। ଅପରପକ୍ଷେ, ମରିଥିବା କାଶ୍ମୀର ପଣ୍ଡିତଙ୍କ ସଂଖ୍ୟା ହଜାରେ ବି ନୁହେଁ, ପଳାୟନ କରିଥିବା ପଣ୍ଡିତଙ୍କ ସଂଖ୍ୟା ବିବାଦାସ୍ପଦ ହେଲେ ବି ଲକ୍ଷେ ହେବ। ଯଦି କାଶ୍ମୀରର ସାଧାରଣ ମୁସଲମାନ ପଣ୍ଡିତଙ୍କ ବିରୋଧରେ ଯାଇଥା’ନ୍ତେ, ତେବେ ଏ ସଂଖ୍ୟା ସଂପୂର୍ଣ୍ଣ ଓଲଟି ଯାଇଥା’ନ୍ତା। ମାତ୍ର ସତ କଥା ସେୟା ନୁହେଁ।

ଦୁର୍ବଳ ଭାରତ ସରକାର ଓ ମନ୍ଦ ଉଦ୍ଦେଶ୍ୟକାରୀ ରାଜ୍ୟପାଳଙ୍କ ଯୋଗୁଁ ସେତେବେଳେ ଆତଙ୍କବାଦୀଙ୍କୁ ପାକିସ୍ତାନ ଖୁବ୍ ସାହାଯ୍ୟ ଯୋଗାଇଥିଲା ଏବଂ ଭାରତ ସମର୍ଥକ ତତ୍ତ୍ବଙ୍କୁ ନିଶାଣ କରିଥିଲା। ସେଠାରେ ହିନ୍ଦୁ-ମୁସଲମାନଙ୍କ ମାମଲା ନ ଥିଲା, ଥିଲା ଭାରତ ସମର୍ଥକ ଓ ଭାରତ ବିରୋଧୀ ତତ୍ତ୍ବଙ୍କ ମାମଲା। ପଣ୍ଡିତଙ୍କୁ ବଞ୍ଚାଇବା ଲାଗି କିଛି ମୁସଲମାନ ଆଗେଇ ଆସିଥିଲେ। କେତେ ଜଣ ହିନ୍ଦୁ ଗୁଜରାଟ ହତ୍ୟାକାଣ୍ଡ ବେଳେ ସଂଗଠିତ ଭାବେ ମୁସଲମାନମାନଙ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଥିଲେ?

ଇତିହାସର ଉଭୟ କଳା ଓ ସଫେଦ ପୃଷ୍ଠା ରହିଥାଏ, କିଛି ଧୂସର ଓ ଅପରିଷ୍କାର ବି। ସେ ସବୁ ତ ଆମର। କେତେ ନଥି (ଫାଇଲ୍) ଆପଣ ଖୋଲିବେ? ଦଳିତ-ଆଦିବାସୀମାନଙ୍କ ଉପରେ ହେଉଥିବା ବର୍ବର ଆକ୍ରମଣର ଫାଇଲ୍ ଖୋଲିବେ? ଭାଗଲପୁର-ମଲିୟାନା-ମିରଟ ଫାଇଲ୍ ଖୋଲିବେ? ଗୁଜରାଟ ଦଙ୍ଗାର? ସତ୍ତାଧାରୀଙ୍କ କଳାଧନର? ସ୍ବିସ୍ ବ୍ୟାଙ୍କର? ଜୈନ ଡାଏରିର? ଜନତା ପାର୍ଟି ସରକାରକୁ ଭାଙ୍ଗିବାର? ଦୀନଦୟାଲ ଉପାଧ୍ୟାୟଙ୍କ ହତ୍ୟାର? ସଂଘ ପରିବାରକୁ ମିଳିଥିବା ଓ ମିଳୁଥିବା ଅର୍ଥର? କୋଭିଡ୍ ବେଳେ ହୋଇଥିବା ଚିକିତ୍ସା ଦୁର୍ନୀତିର? ଟିକାର ଦର ନିର୍ଦ୍ଧାରଣ ମାମଲାର? ସିବିଆଇ ଓ ଅନ୍ୟ ସରକାରୀ ସଂସ୍ଥାର ଅନୈତିକ ଉପଯୋଗର? କାଠ କଣ୍ଢେଇ ରାଜ୍ୟପାଳଙ୍କର?

ଏତେ ଫାଇଲ୍ ପଡ଼ି ରହିଛି ଯେ ଆପଣ ଥକିଯିବେ। ସେଥିପାଇଁ ଏତିକି କେବଳ କରନ୍ତୁ କି ନିଜ ମନର ଅନ୍ଧାରିଆ କଳୁଷିତ କୋଣକୁ ଖୋଲି ନିଜକୁ ପଚାରନ୍ତୁ: ସତ୍ୟର ଶିଖାକୁ କ’ଣ ଡର ଲାଗୁଛି କି? ଡରୁଥିବା ଲୋକେ ଏକ ଡରିଲା ଭଳି ଦେଶ ତିଆରି କରନ୍ତି। କଳାର କାମ ଡରାଇବା କି ଧମକାଇବା ନୁହେଁ, ହିମ୍ମତ ଆଉ ଆଶାର ସଂଚାରଣ କରିବା।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର