ମାତିଲେଣି ମାଫିଆ: ଟିକରପଡ଼ା ପାହାଡ଼ରୁ ନୀଳପଥର ଜବତ

କାଳିଆପାଣି: କଟକ ବନଖଣ୍ଡ ଟମକା ରେଞ୍ଜ୍ କାଳିଆପାଣି ଥାନା କଅଁସ ଫରେଷ୍ଟ୍‌ ସେକ୍ସନ ଅନ୍ତର୍ଗତ ଟିକରପଡ଼ା ପାହାଡ଼ରେ ପୁଣି ନୀଳପଥର ମାଫିଆ ମାତିଲେଣି। ଗତ ସପ୍ତାହରେ ବନ ବିଭାଗ ପକ୍ଷରୁ ‌ଟିକରପଡ଼ା ଗାଁର ତଳସାହି ଜଙ୍ଗଲ ପାଖରୁ ପ୍ରାୟ ୫୦ ବସ୍ତା ନୀଳପଥର ଉଦ୍ଧାର କରାଯାଇଛି। ଖାଲି ପିଡିଏସ୍‌ ଚାଉଳ ବସ୍ତାରେ ନୀଳପଥର ଭର୍ତ୍ତି କରାଯାଇ ଏହାର ମୁହଁ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏହା ପଛରେ କାଳିଆପାଣି ଇଲାକାର ଜନୈକ ରତ୍ନ ପଥର ମାଫିଆ ଓ ଅନ୍ୟ ଜଣେ ସହଯୋଗୀର ହାତ ଥିବା ବନ ବିଭାଗକୁ ସୂଚନା ମିଳିଛି।

ଘଟଣାସ୍ଥଳରେ କେହି ଅଭିଯୁକ୍ତର ଦେଖା ନମିଳିବାରୁ ଏକ କେସ୍‌ ରୁଜୁକରି ତଦନ୍ତ ପାଇଁ ରେଞ୍ଜର ବଳରାମ ସାହୁ ତାଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ବନପାଳ ଗ‌ଣେଶ ଚନ୍ଦ୍ର ଦାସ କହିଛନ୍ତି। ଅନ୍ୟପକ୍ଷରେ ଗତ କିଛିବର୍ଷ ଧରି ଦୈତାରୀ ପର୍ବତମାଳାର ପାଦଦେଶରେ ଥିବା ଟିକରପଡ଼ା ପାହାଡ଼ ନୀଳପଥର ମାଫିଆଙ୍କ ଚରାଭୂଇଁ ପାଲଟିଛି। ଏଠାରୁ ନିୟମିତ ମୂଲ୍ୟବାନ ନୀଳପଥର ଲୁଟ୍‌ ହେଉଥିବା ନେଇ ପୁଣି ସ୍ପଷ୍ଟ ହୋଇଛି। ଟିକରପଡ଼ା ତଳସାହି ବାମ ପଟକୁ ଥିବା ଜଙ୍ଗଲ ଓ ପୁରୁଣା ସ୍କୁଲ ପାଖ ଜଙ୍ଗଲରେ ମାଫିଆମାନେ ପାଦଚଲା ରାସ୍ତାକରି ଜଙ୍ଗଲ ସଫା କରିବା ପରେ ଏଠାରୁ ପଥର ସଂଗ୍ରହ କରୁଛନ୍ତି। ସଂଗୃହୀତ ପଥରକୁ ସିମେଣ୍ଟ୍‌ ଜରିଅଖା କିମ୍ବା ଚାଉଳ ବସ୍ତାରେ ଭର୍ତ୍ତି କରାଯାଇ ପ୍ରଥମେ ଭାର, ସାଇକଲ୍‌ କିମ୍ବା ବାଇକ୍‌ ଯୋଗେ ପାହାଡ଼ ତଳ ବିଭିନ୍ନ ବସ୍ତିକୁ ବୋହିଆଣିବା ପରେ ଟ୍ରକ୍‌ ଓ ଟିପ୍ପର ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଗତ ୨ମାସ ମଧ୍ୟରେ ଏଠାରୁ ଏକାଧିକ ଟ୍ରିପ୍‌ ନୀଳପଥର ଚାଲାଣ ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ବଡ଼ବଡ଼ ଗଛ କଟାଯାଇ ଘଞ୍ଚ ଜଙ୍ଗଲ‌ରେ କିଛି ବାଟ ପର୍ଯ୍ୟନ୍ତ ଟ୍ରାକ୍ଟର ଯିବା‌ ଭଳି ରାସ୍ତା ନିର୍ମାଣ କରାଯାଇଛି। ଦୈତାରୀ ପାହାଡ଼ ଆଡ଼କୁ ଲମ୍ବିଥିବା ଜଙ୍ଗଲ ମଧ୍ୟରେ ୧ ରୁ ୨ କିଲୋମିଟର ବ୍ୟାସାର୍ଦ୍ଧରେ ବିଭିନ୍ନ ସ୍ଥାନରେ ଏହି ପଥର ମିଳୁଛି। ଏହାକୁ ଭାଙ୍ଗି ଖଣ୍ଡଖଣ୍ଡ କରାଯିବା ପରେ ବୋହି ନେଲା ଭଳି ବସ୍ତାରେ ଏସବୁକୁ ଭର୍ତ୍ତି କରାଯାଇଥାଏ। ଏଥିପାଇଁ ପ୍ରତ୍ୟହ ୮ ରୁ ୧୦ ଜଣ ମୂଲିଆ ନିୟୋଜିତ ହେଉଛନ୍ତି। ଗାଁର ଦୁର୍ଗମ ରାସ୍ତା ଓ ବଣ ପାହାଡ଼ ଘେରା ଅଞ୍ଚଳ ଏବଂ ବନ ବିଭାଗର ତଳିଆ କର୍ମଚାରୀଙ୍କ ସଂପୃକ୍ତି, ମାଇନିଂ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍ ଓ ପୁଲିସ୍ ନିଷ୍କ୍ରିୟତା ମାଫିଆମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପର୍ବତମାଳାର ସବୁଜିମା ଓ ଜୈବ ବିବିଧତା ଧ୍ବଂସ ମୁଖ‌ରେ ପଡ଼ୁଥିବାରୁ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି।

ବନ ବିଭାଗ ପକ୍ଷରୁ ଗତ ୨୦୧୯ ମସିହା ମାର୍ଚ ୩୦ ତାରିଖ ଓ ୨୦୧୮ ମସିହା ଅକ୍ଟୋବର ମାସ ୯ ତାରିଖରେ ଦୁଇଟି ଚଢ଼ଉ କରାଯାଇ ଟିକରପଡ଼ା ରାସ୍ତାରୁ ଦୁଇଟି ନୀଳପଥର ‌ବୋଝେଇ ଟ୍ରକ୍‌(ଓଆର୍-୦୪ଇ-୪୩୮୫ ଏବଂ ଓଆର୍-୦୯ଏନ୍-୭୨୫୩) ଜବତ କରାଯାଇଥିଲା। ଅତୀତରେ ୨୦୧୫ ମସିହା ଏପ୍ରିଲ ୧୭ ତାରିଖରେ ଟମକା‌ ପୁଲିସ୍ ଦ୍ବାରା ଏକ ନୀଳପଥର ‌ବୋଝେଇ ଟ୍ରକ୍‌(ଓଆର୍-୦୫କେ-୫୯୧୫) ଏବଂ ସେହିବର୍ଷ ଅଗଷ୍ଟ ୧୯ ତାରିଖ କାଳିଆପାଣି ପୁଲିସ୍‌ ଟିକରପଡ଼ା ଗାଁରୁ ଅନ୍ୟ ଏକ ନୀଳପଥର ‌ବୋଝେଇ ଭ୍ୟାନ୍(ଓଆର୍-୧୩ବି-୯୧୧୮) ଜବତ କରିଥିଲା। ବାରମ୍ବାର ମୂଲ୍ୟବାନ ପଥର ଲୁଟ୍‌ ଦ୍ବାରା ବ୍ୟାପକ ରାଜସ୍ବ ହାନି ହେଉଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟଧାରା ଶୂନ। ମାଇନିଂ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର