ଗୀତ ଗାଉଥିବା ସିପାହିଙ୍କ ଅବସାନରେ

କୁମାର ପ୍ରଶାନ୍ତ

ଜଣେ ସିପାହିଙ୍କ ଅବସାନ ଶୋକର ନୁହେଁ, ବରଂ ସଂକଳ୍ପର ମୁହୂର୍ତ୍ତ ହୋଇଥାଏ। ସଲେମ ନାନଜୁଦୈୟା ସୁବ୍ବାରାଓ ବା କେବଳ ସୁବ୍ବାରାଓଜୀ ଅଥବା ଦେଶ ତମାମ ଅନେକଙ୍କ ପାଇଁ ପରିଚିତ ଥିବା ଭାଇଜୀଙ୍କ ଅବସାନ ହେଉଛି ଏଭଳି ଜଣେ ସିପାହିଙ୍କ ଅବସାନ, ଯେଉଁଥିରେ ଯଦିଓ ଆମମାନଙ୍କର ମନ ଶୋକରେ ଭରି ଯାଇଛି, ତେବେ ସମସ୍ତଙ୍କ ମନ ସଂକଳ୍ପରେ ଭରି ଯାଉ ବୋଲି କାମନା କରାଯାଉଛି। ସେ ଭାରାକ୍ରାନ୍ତ ବା ନିରାଶ କି ଅସହାୟ ହୋଇ ଯାଇ ନାହାନ୍ତି; ବରଂ କାମ କରୁ କରୁ, ଗୀତ ଗାଇ ବାଜା ବଜାଇ ଥକି ପଡ଼ି ଅନନ୍ତ ବିଶ୍ରାମରେ ଲୀନ ହୋଇ ଯାଇଛନ୍ତି। ଏହା ଏପରି ଏକ ସତ୍ୟ ଯାହାର ସମ୍ମୁଖୀନ ପ୍ରତ୍ୟେକ ପ୍ରାଣୀକୁ ହେବାକୁ ପଡ଼ିଥାଏ, ଆଉ ବୟସ ଯଦି ୯୩ ବର୍ଷ ଛୁଇଁଯାଏ, ତେବେ ତ କୌଣସି ମୁହୂର୍ତ୍ତ ବି ଏହି ସତ୍ୟକୁ ସାମନା କରିବାର କ୍ଷଣ ପାଲଟି ଯାଏ। ୨୦୨୧ ଅକ୍ଟୋବର ୨୭ ସକାଳ ୬ଟା ସମୟ ହିଁ ସୁବ୍ବାରାଓଜୀଙ୍କ ପାଇଁ ଏଭଳି ଏକ ମୁହୂର୍ତ୍ତ ବୋଲି ପ୍ରମାଣିତ ହୋଇଥିଲା। ହୃଦ୍‌ଘାତ ହେଲା ଏବଂ ହୃତ୍‌ପିଣ୍ଡ ନିସ୍ପନ୍ଦ ହୋଇଗଲା। ଗାନ୍ଧୀଙ୍କ ସମ୍ପର୍କରେ ଅବଗତ କରାଉଥିବା ଆଉ ଜଣେ ଲେଖକଙ୍କ ଲେଖନୀ ଚାଳନା ବନ୍ଦ ହୋଇଗଲା।

ସୁବ୍ବାରାଓଜୀ ସ୍ବାଧୀନତା ସଂଗ୍ରାମର ସିପାହି ଥିଲେ, ମାତ୍ର ଯେଉଁମାନଙ୍କର ଲଢ଼େଇ ୧୯୪୭, ଅଗଷ୍ଟ ୧୫ରେ ସଂପୂର୍ଣ୍ଣ ହୋଇଯାଇଥିଲା, ସେ ଭଳି ସିପାହି ସେ ନ ଥିଲେ। ସେ ଏମିତି ସିପାହିମାନଙ୍କ ମଧ୍ୟରେ ରହିଥିଲେ, ଯେଉଁମାନଙ୍କ ଠାରେ ସ୍ବାଧୀନତାର ପରିଭାଷା ଲଗାତାର ପରିବର୍ତ୍ତିତ ହୋଇ ଚାଲିଥିଲା ଏବଂ ତା’ର ଦିଗନ୍ତ ଲଗାତାର ବିସ୍ତୀର୍ଣ୍ଣ ହୋଇ ଚାଲିଥିଲା। ତାହା କେବେ ଇଂରେଜଙ୍କ ଦାସତ୍ବରୁ ମୁକ୍ତିର ଲଢ଼େଇ ଥିଲା ତ କେବେ ଇଂରେଜୀ ମାନସିକତାର ଗୁଲାମିରୁ ମୁକ୍ତି ଲାଗି ଉଦ୍ୟମ ଥିଲା। ପୁଣି ଯେତେବେଳେ ବିନୋବା-ଜୟପ୍ରକାଶ ନୂତନ ମାନବୀୟ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଢ଼ିବାର ରଚନାତ୍ମକ ଲଢ଼େଇ ଆରମ୍ଭ କରିଥିଲେ, ସେତେବେଳେ ମଧ୍ୟ କିଶୋର ସୁବ୍ବାରାଓ ସେଠାରେ ନିଜକୁ ନିର୍ଭୀକତାର ସହ ହାଜର କରାଇଥିଲେ। ଏ କାହାଣୀ ୧୩ ବର୍ଷ ବୟସରେ ଆରମ୍ଭ ହୋଇଥିଲା, ଯେତେବେଳେ ମହାତ୍ମା ଗାନ୍ଧୀ ୧୯୪୨ରେ ଇଂରେଜୀ ଶାସକଙ୍କୁ ‘ଭାରତ ଛାଡ଼’ ଆହ୍ବାନ ଦେଇଥିଲେ। କୌଣସି ପରାଧୀନ ଦେଶର ମୁକ୍ତି ସଂଗ୍ରାମର ନାୟକ ଶାସକ ଦେଶକୁ ଏଭଳି ଶକ୍ତ ଆହ୍ବାନ ଦେଇପାରେ!, ଏ କଥା କେତେକଙ୍କୁ ଦୋହଲାଇ ଦେଇଥିଲା ତ କେତେକ ସବୁ କିଛି ଭୁଲି ଏହି ଆନ୍ଦୋଳନରେ ଲମ୍ଫ ପ୍ରଦାନ କରିଥିଲେ। କର୍ଣ୍ଣାଟକର ବାଙ୍ଗାଲୋରସ୍ଥିତ ଏକ ବିଦ୍ୟାଳୟରେ ପଢୁଥିବା ୧୩ ବର୍ଷର ସୁବ୍ବାରାଓଙ୍କୁ ଅନ୍ୟ କିଛି ପରାମର୍ଶ ନେବାର ଦରକାର ପଡ଼ିଲା ନାହିଁ ଏବଂ ସେ ନିଜ ବିଦ୍ୟାଳୟ ଓ ସହରର ବିଭିନ୍ନ କାନ୍ଥ ବାଡ଼ରେ ବଡ଼ ବଡ଼ ଅକ୍ଷରରେ ‘ଭାରତ ଛାଡ଼’ ଲେଖିବା ଆରମ୍ଭ କରିଦେଲେ। ସ୍ଳୋଗାନ୍‌ ଗୋଟିଏ ଥିଲା ତ ଦଣ୍ଡ ମଧ୍ୟ ଗୋଟିଏ ଥିଲା: ଜେଲ୍‌। ତେର ବର୍ଷୀୟ ସୁବ୍ବାରାଓଙ୍କୁ ଜେଲ୍‌ ପଠାଗଲା। ପରେ ସରକାର ବୟସ ପରଖି ତାଙ୍କୁ ମୁକ୍ତ କରିଦେଇଥିଲେ। କିନ୍ତୁ ସେତେବେଳର ପରିସ୍ଥିତି ଦେଖି ସୁବ୍ବାରାଓ ଏହି କାମରୁ କେବେ ବି ବିରତ ହୋଇନଥିଲେ। ସ୍ବାଧୀନତାର ଧ୍ବନି ଉଠାଇ ଯେଉଁ କିଶୋର ଦିନେ ଜେଲ୍‌ ଯାଇ ତା’ ପରେ ଆଉ ପଛକୁ ଫେରି ନ ଥିଲେ, ସେହି ଧ୍ବନିର ଉଚ୍ଚାରଣରେ ସେ ଏବେ ମହାମୌନରେ ଲୀନ ହୋଇଗଲେ।

ହାଫ୍‌ ପ୍ୟାଣ୍ଟ୍‌ ଓ ସାର୍ଟ ପିନ୍ଧା ହସ ହସ ମୁହଁର ସୁବ୍ବାରାଓ ଅତିଶୟ ଶୀତ ହେଲେ ଯାଇ ଗରମ ପୋଷାକ ପିନ୍ଧୁଥିଲେ। ନିଜ ବିଶ୍ବାସରେ ଅଟଳ ଅଥଚ ବ୍ୟବହାରରେ ବିନୀତ ଓ ସରଳ ଏହି ସୁବ୍ବାରାଓ ଗାନ୍ଧୀ ବିଦ୍ୟାଳୟର ଜଣେ ଅପ୍ରତିମ ଛାତ୍ର ଥିଲେ। ଗାନ୍ଧୀ ସିନା ଆଜି ଆଉ ନାହାନ୍ତି, ମାତ୍ର ତାଙ୍କ ବିଦ୍ୟାଳୟ ଆଜି ବି ସେମିତି ଖୋଲା ରହିଛି ଏବଂ ନୂଆ ସୁବ୍ବାରାଓଙ୍କୁ ଆହ୍ବାନ କରୁଛି।

ସେତେବେଳେ କଂଗ୍ରେସରେ ସାମିଲ ହୋଇଯିବାଟା ହିଁ ସ୍ବାଧୀନତା ଆନ୍ଦୋଳନ ଲଢ଼ିବାର ଏକମାତ୍ର ମାଧ୍ୟମ ଥିଲା। କଂଗ୍ରେସବାଲା ହୋଇଛ ମାନେ ସ୍ବାଧୀନତାର ସିପାହି ପାଲଟିଛ। ଖଦିର ଗାନ୍ଧୀ ଟୋପି ପିନ୍ଧି ଖଦିର ପତାକା ଧରିଥିବା ବ୍ୟକ୍ତି ଜଣକ ସେତେବେଳେ ଜଣେ ଆନ୍ଦୋଳନକାରୀ ଭାବେ ପରିଗଣିତ ହେଉଥିଲା, ଯାହା ସୁବ୍ବାରାଓଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା। କଂଗ୍ରେସରୁ ସେ କଂଗ୍ରେସ ସେବା ଦଳରେ ସାମିଲ ହୋଇଥିଲେ ଏବଂ ସେବା ଦଳର ତତ୍କାଳୀନ ସଂଚାଳକ ହାର୍ଡିକର ସାହେବଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ସୁବ୍ବାରାଓଙ୍କୁ ବର୍ଷକ ପାଇଁ ସେବା ଦଳରେ ନେବା ପାଇଁ ହାର୍ଡିକର ସାହେବ ସମସ୍ତଙ୍କୁ ରାଜି କରାଇଥିଲେ। ଯୁବକଙ୍କ ଭିତରେ କାମ କରିବାର ଅଦ୍ଭୁତ ସାମର୍ଥ୍ୟ ସୁବ୍ବାରାଓଙ୍କ ପାଖରେ ରହିଥିଲା ଏବଂ ସେହି ଉପାୟର ଅସ୍ତ୍ର ତାଙ୍କରି ପାଖରେ ହିଁ ରହିଥିଲା। ସ୍କୁଲ ସମୟରେ ତ ସେ ଭଜନ ଓ ଭକ୍ତି ସଂଗୀତ ଗାନ କରୁଥିଲେ, ଏବେ ସମାଜ ପରିବର୍ତ୍ତନର ଗୀତ ଗାଇବାକୁ ଲାଗିଲେ। ତାଙ୍କ ସ୍ବର ଆସିଲା ତ ଯୁବପିଢ଼ିଙ୍କ ଭିତରେ ତାହାର ପ୍ରତିଧ୍ବନି ଶୁଭିଲା। କର୍ଣ୍ଣାଟକୀ ସୁବ୍ବାରାଓଙ୍କ ବ୍ୟକ୍ତିତ୍ବର ଦ୍ବିତୀୟ ଦିଗଟି ହେଲା, ଦେଶର ଯୁବବର୍ଗଙ୍କ ପାଖରେ ପହଞ୍ଚିବାକୁ ହେଲେ ଦେଶର ତମାମ ଭାଷା ଉପ‌େର ଦଖଲ। ଏତେ ଗୁଡ଼ିଏ ଭାଷାରେ ଏପରି ପ୍ରବେଶ ଏଠି ଖୁବ୍‌ କମ୍‌ ଦେଖାଯାଏ। ଏପରି ଭାବରେ କଂଗ୍ରେସର ବା ସେବା ଦଳର ପରିଚୟ ଛାଡ଼ି ସୁବ୍ବାରାଓ କେତେବେଳେ ଖାଣ୍ଟି ସର୍ବୋଦୟ କାର୍ଯ୍ୟକର୍ତ୍ତା ପାଲଟିଗଲେ, ସେ କଥା କେହି ଜାଣିପାରିଲେ ନାହିଁ।
୧୯୬୯ ମସିହା ଥିଲା ଗାନ୍ଧୀ-ଜୟନ୍ତୀର ଶତବାର୍ଷିକୀ ବର୍ଷ। ସୁବ୍ବାରାଓଙ୍କର କଳ୍ପନା ଥିଲା ଯେମିତି ଗାନ୍ଧୀ ବିଚାର ଓ ଗାନ୍ଧୀଙ୍କ ଇତିହାସ ଦେଶର କୋଣ-ଅନୁକୋଣରେ ପହଞ୍ଚି ପାରିବ। ଯେମିତିକା ପ୍ରଶ୍ନ ହେଲେ ବି ସୁବ୍ବାରାଓଙ୍କ ପାଖରେ ଉତ୍ତର ରହିଥିଲା: ସେ କହିଥିଲେ, ‘ସରକାର ଛୋଟ ବଡ଼ ଉଭୟ ରେଳ ପଥରେ ମୋତେ ଦୁଇଟି ରେଳଗାଡ଼ି ଦେଲେ, ମୁଁ ଗାନ୍ଧୀ ଦର୍ଶନ ଟ୍ରେନ୍‌ର ଆୟୋଜନ କରିବି।’ ଏପରି ଅପୂର୍ବ କଳ୍ପନା ସତ ହେଲା। ସେହି ବର୍ଷ ସାରା ଦେଶବ୍ୟାପୀ ଦୁଇଟି ରେଳଗାଡ଼ି ଘୂରିଥିଲା। ଏହି ରେଳଗାଡ଼ି ଛୋଟ ଛୋଟ ଷ୍ଟେସନ୍‌ରେ ମଧ୍ୟ ପହଞ୍ଚି ଅଟକି ରହୁଥିଲା ଏବଂ ସ୍କୁଲ କଲେଜର ଛାତ୍ରଛାତ୍ରୀ, ନାଗରିକ ଓ ସ୍ତ୍ରୀପୁରୁଷ ଏହି ରେଳଗାଡ଼ି ଡବାରେ ବୁଲି ବୁଲି ଗାନ୍ଧୀଙ୍କୁ ଦେଖୁଥିଲେ, ବୁଝୁଥିଲେ ମଧ୍ୟ। ଏହା ଏକ ମହାଭିଯାନ ଥିଲା। ଏଥିରେ ଏକ ଦ୍ବିତୀୟ କଥା ବି ଜନ୍ମ ନେଇଥିଲା। ତାହା ଥିଲା ଦେଶବ୍ୟାପୀ ଯୁବପିଢ଼ିଙ୍କ ସହ ସିଧା ବା ଜୀବନ୍ତ ସମ୍ପର୍କ। ରଚନାତ୍ମକ କାର୍ଯ୍ୟକର୍ତ୍ତା ଗଢ଼ିବାର କଠିନ ସ୍ବପ୍ନ ଗାନ୍ଧୀଜୀଙ୍କର ଥିଲା, ଆଉ ସୁବ୍ବାରାଓ ରଚନାତ୍ମକ ମନରେ ଯୁବକମାନଙ୍କୁ ଯୋଡ଼ିବାର କାମ କଲେ।

ମଧ୍ୟପ୍ରଦେଶର ଚମ୍ବଲ ଇଲାକା ଅତିକ୍ରମ କଲା ବେଳେ ଯୁବକମାନଙ୍କୁ ରଚନାତ୍ମକ କାର୍ଯ୍ୟ ଯୋଗାଇବାର ଏକ ପଦକ୍ଷେପ ନେବାର ଇଚ୍ଛା ସୁବ୍ବାରାଓଙ୍କ ମନରେ ଦୀର୍ଘ ସମୟ ଧରି ରୂପ ନେଇଥିଲା ଏବଂ ତା’ ପରେ ଶ୍ରମ ଶିବିରର ଶୃଙ୍ଖଳା ଆରମ୍ଭ ହୋଇଥିଲା। ଯୁବ ବର୍ଗର ହଜାର ହଜାର ସଦସ୍ୟଙ୍କୁ ସାରା ଦେଶରୁ ଏକାଠି କରି ଶିବିରକୁ ଆଣିବା ଓ ଶ୍ରମର ଗୀତ ଗାୟନ ପୂର୍ବକ କ୍ଷେତ-ବନ୍ଧ–ସଡ଼କ-କୁଡ଼ିଆ, ଅନୁର୍ବର ଜମିକୁ ଶସ୍ୟ ଶ୍ୟାମଳ କରିବା ଆଉ ଭାଷା ବିନିମୟ ସୂତ୍ରରେ ଯୁବକମାନଙ୍କୁ ବାନ୍ଧି ରଖିବା ତାଙ୍କ ଜୀବନର ବ୍ରତ ପାଲଟିଗଲା। ଏହି ଶୃଙ୍ଖଳା ଏପରି ଚାଲିଲା ଯେ ଦେଶ ବିଦେଶ ସବୁଠି ତାଙ୍କର ଅନୁଗାମୀ ବାହାରିଲେ। ସେ ନିଜେ ଏକ ଚଳନ୍ତି ପ୍ରଶିକ୍ଷଣ ଶିବିର ପାଲଟି ଗଲେ। ସୁବ୍ବାରାଓ ଏପରି ଅସଂଖ୍ୟ ଯୁବ ଶିବିର ପରିଚାଳନା କଲେ। ଦେଶର କିଛି ଅଶାନ୍ତ ଅଞ୍ଚଳରେ ମଧ୍ୟ ଶିବିର ଚଳାଇବାର ଆହ୍ବାନକୁ ସେ ଗ୍ରହଣ କରିବା ସହିତ ସଫଳ ମଧ୍ୟ ହୋଇଥିଲେ।
ଚମ୍ବଲ ସେତେବେଳେ ଡକାୟତମାନଙ୍କର ଆଡ୍‌ଡ଼ା ସ୍ଥଳୀ ଥିଲା। ଏକକୁ ଆରେକ ଦୁର୍ଦ୍ଦାନ୍ତ ଡକାୟତ ଦଳ ସେଠାରେ ଲୁଟ୍‌ତରାଜ ଚଳାଇ ସେଇ ଉପତ୍ୟକାର ନିଘଞ୍ଚ ଅଞ୍ଚଳରେ ଛପି ଯାଉଥିଲେ। ସରକାର ସୁଦକ୍ଷ ପୁଲିସ ବଳ ଲଗାଇ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ କିଛି ବିଶେଷ ପରିଣାମ ମିଳି ପାରୁ ନଥିଲା। ତେବେ କେଉଁଠି ଗୋଟିଏ ଲହର ଉଠିଲା ଏବଂ ଏକ ଡକାୟତ ଦଳ ସନ୍ଥ ବିନୋବା ଭାବେଙ୍କ ଆଗରେ ନିଜର ବନ୍ଧୁକ ସମର୍ପି କହିଲେ: ଆମେ ଆମର କୃତ କର୍ମ ପାଇଁ ପ୍ରାୟଶ୍ଚିତ୍ତ କରୁଛୁ ଏବଂ ସାଧାରଣ ଜୀବନସ୍ରୋତକୁ ଫେରିବାକୁ ଚାହୁଛୁ। ଡକାୟତମାନଙ୍କର ଏପରି ଆତ୍ମସମର୍ପଣ ଦେଶ ଏବଂ ଦୁନିଆର ସମାଜ-ଶାସ୍ତ୍ରୀମାନଙ୍କୁ କିଛି ନୂଆ ଦେଖିବା ଓ ବୁଝିବା ଲାଗି ବାଧ୍ୟ କରିଥିଲା। ବିନୋବାଙ୍କ ଦ୍ବାରା ପୋତା ଯାଇଥିବା ଆତ୍ମଗ୍ଳାନିର ବୀଜ ବିକଶିତ ହୋଇ ଜୟପ୍ରକାଶ ନାରାୟଣଙ୍କ ପାଖରେ ପହଞ୍ଚିଥିଲା ଏବଂ ତା’ପରେ ଏମିତି କିଛି ହେଲା ଯେ ଚାରି ଶହରୁ ଅଧିକ ଡକାୟତ ଜୟପ୍ରକାଶଜୀଙ୍କ ପାଦ ତଳେ ନିଜ ନିଜର ବନ୍ଧୁକ ରଖି ଡାକୁ ଜୀବନକୁ ବିଦାୟ ଦେଇଥିଲେ। ସେମାନଙ୍କ ଭିତରେ ଏମିତି ଡାକୁ ବି ରହିଥିଲେ ଯେଉଁମାନଙ୍କ ମୁଣ୍ଡ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏଭଳି ସାର୍ବଜନୀନ ଦସ୍ୟୁ ଆତ୍ମସମର୍ପଣ ଦ୍ବାରା ଅପରାଧ ଶାସ୍ତ୍ରରେ ଏକ ନୂତନ ପୃଷ୍ଠା ଲେଖି ହୋଇଗଲା। ଜୟପ୍ରକାଶଜୀ କହିଥିଲେ: ‘ଏମାନେ ଡକାୟତ ନୁହନ୍ତି, ବରଂ ଆମର ଅନ୍ୟାୟପୂର୍ଣ୍ଣ ସାମାଜିକ ବ୍ୟବସ୍ଥାର ବିଦ୍ରୋହ କରୁ କରୁ ବିଗିଡ଼ି ଯାଇଥିବା ବ୍ୟକ୍ତି। ସେହି ରାସ୍ତାରୁ ସେମାନେ ଫେରି ଆସି ପାରି ଥିବାରୁ ସେମାନଙ୍କୁ ଆମେ ଆଲିଙ୍ଗନ କରିବା।’ ‘ବାଗୀ ଆତ୍ମ ସମର୍ପଣ’ର ଏହି ଅଦ୍ଭୁତ କାର୍ଯ୍ୟରେ ସୁବ୍ବାରାଓଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଚମ୍ବଲ ଇଲାକାର ଜୌରା ଠାରେ ସୁବ୍ବାରାଓଙ୍କର ନିଜସ୍ବ ଆଶ୍ରମ ରହିଥିଲା, ଯାହା ଏହି ଦସ୍ୟୁ ଆତ୍ମସମର୍ପଣର କେନ୍ଦ୍ର ପାଲଟି ଥିଲା।
ସୁବ୍ବାରାଓ ବହୁତ କିଛି କରିଥିଲେ, ମାତ୍ର ନିଜର ବେଶଭୂଷା କେବେ ବଦଳାଇ ନ ଥିଲେ। ହାଫ୍‌ ପ୍ୟାଣ୍ଟ୍‌ ଓ ସାର୍ଟ ପିନ୍ଧା ହସ ହସ ମୁହଁର ସୁବ୍ବାରାଓ ଅତିଶୟ ଶୀତ ହେଲେ ଯାଇ ଗରମ ପୋଷାକ ପିନ୍ଧୁଥିଲେ। ନିଜ ବିଶ୍ବାସରେ ଅଟଳ ଅଥଚ ବ୍ୟବହାରରେ ବିନୀତ ଓ ସରଳ ଏହି ସୁବ୍ବାରାଓ ଗାନ୍ଧୀ ବିଦ୍ୟାଳୟର ଜଣେ ଅପ୍ରତିମ ଛାତ୍ର ଥିଲେ। ଗାନ୍ଧୀ ସିନା ଆଜି ଆଉ ନାହାନ୍ତି, ମାତ୍ର ତାଙ୍କ ବିଦ୍ୟାଳୟ ଆଜି ବି ସେମିତି ଖୋଲା ରହିଛି ଏବଂ ନୂଆ ସୁବ୍ବାରାଓଙ୍କୁ ଆହ୍ବାନ କରୁଛି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

 

ସମ୍ବନ୍ଧିତ ଖବର