ଅଭିନେତ୍ରୀ ଛବି ପାଣ୍ଡେଙ୍କ ମୋଡ଼ ବଦଳାଇଲା ପ୍ରଥମ ପ୍ରବେଶ

ନିଜର ଅଭିନୟ ଦକ୍ଷତାରେ ଦର୍ଶକଙ୍କର ହୃଦ୍‌ସ୍ପନ୍ଦନ ସାଜିବା ପାଇଁ ଚଳଚ୍ଚିତ୍ର ସବୁଠୁ ବଳିଷ୍ଠ ମଞ୍ଚ ହୋଇଥିଲେ ହେଁ ଏବେ ଅନେକ କଳାକାର ଟିଭି ପରଦାରେ ହିଁ ଅନୁରୂପ କୃତି ସାଉଁଟିବାରେ ଲାଗିଛନ୍ତି। ବିଭିନ୍ନ ଟିଭି ଚ୍ୟାନେଲ୍‌ ସାଙ୍ଗକୁ ଭିନ୍ନ ରୁଚିର ଧାରାବାହିକ ଉପଲବ୍‌ଧ ଥିବାରୁ କଲାକାରମାନଙ୍କୁ ଏଥିରେ ବ୍ୟାପକ ସୁଯୋଗ ମିଳିପାରୁଛି। ସେହି ଧାରାରେ ସାମିଲ ହୋଇଥିବା ଅଭିନେତ୍ରୀ ଛବି ପାଣ୍ଡେ ହେଉଛନ୍ତି ସେଭଳି ଜଣେ ଦକ୍ଷ କଳାକାର, ଯିଏ ଚଳଚ୍ଚିତ୍ର ଜଗତ୍‌ର ସ୍ବାଦ ଚାଖି ମଧ୍ୟ ସେ ଦିଗକୁ ମନ ନ ବଳେଇ ଟିଭି ପରଦାରେ ହିଁ ନିଜକୁ ସୀମିତ ରଖିବାକୁ ପସନ୍ଦ କରିଛନ୍ତି। ବିହାରର ପାଟନା ଠାରେ ୧୯୮୬ ଜୁଲାଇ ୧୮ରେ ଜନ୍ମିତ ଛବି ସମାଜ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶାସ୍ତ୍ରୀୟ ନୃତ୍ୟ କଥକର ଜଣେ ପ୍ରବୀଣା ନୃତ୍ୟାଙ୍ଗନା ଏବଂ ଜଣେ ପ୍ରଶିକ୍ଷିତା କଣ୍ଠଶିଳ୍ପୀ ଭାବେ ଶାସ୍ତ୍ରୀୟ ସଂଗୀତ ଓ ଲଘୁ ସଂଗୀତରେ ଦଖଲ ଥିବା ଛବି କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ ଶାସ୍ତ୍ରୀୟ ସଂଗୀତର ଜଣେ ଜାତୀୟ ବୃତ୍ତିଧାରୀ କଣ୍ଠଶିଳ୍ପୀ। ନିଜର ଏପରି ବହୁବିଧ ଦକ୍ଷତାକୁ ଭିତ୍ତି କରି ସେ ଟିଭି ପରଦାକୁ ପ୍ରଥମେ ପ୍ରବେଶ କରିଥିଲେ ୨୦୦୮ରେ ପ୍ରସାରିତ ବାସ୍ତବଧର୍ମୀ ଟିଭି ସୋ’ ଇଣ୍ଡିଆଜ୍‌ ଗଟ୍‌ ଟାଲେଣ୍ଟ୍‌ରେ। ଏଥିରେ ସେ ବିଚାରକମାନଙ୍କର ମନ କିଣିନେବା ସହ ଜଣେ ସେମିଫାଇନାଲିଷ୍ଟ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ତେବେ ଏହି ପ୍ରଥମ ପଦାର୍ପଣ ହିଁ ଜଣେ କଣ୍ଠଶିଳ୍ପୀ ଭାବେ ଜୀବନ ବିତାଇବାକୁ ଚାହୁଥିବା ଛବିଙ୍କର ମୋଡ଼ ବଦଳାଇ ଅଭିନୟକୁ ଆପଣେଇବା ପାଇଁ ପ୍ରୋତ୍ସାହିତ କରିଥିଲା।

ଫଳରେ ସେ ଏହାପରେ ଭୋଜପୁରୀ ଚଳଚ୍ଚିତ୍ର ‘ବିଦେଶୀୟା’ ମାଧ୍ୟମରେ ବଡ଼ପରଦା ଆଡ଼କୁ ମୁହାଁଇ ନିଜର ଅଭିନୟ ଦକ୍ଷତା ପରଖିଥିଲେ। ମାତ୍ର ତାହା ତାଙ୍କୁ ନା ସନ୍ତୁଷ୍ଟ କରାଇପାରିଥିଲା ନା ସେ ସେ ଦିଗରେ ଆଗକୁ ଯିବାକୁ ପ୍ରୟାସ କରିଥିଲେ। ବାସ୍‌, ଟିଭି ପରଦା ହିଁ ତାଙ୍କ ପାଇଁ ପ୍ରକୃଷ୍ଟ ଦରବାର ବିଚାରି ସେ ୨୦୧୧ରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ‘ସଜ୍‌ଦା ତେରେ ପ୍ୟାର୍‌ ମେଁ’ରୁ ନିଜର ଜୟଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ଅଭିନୟକୁ ଦର୍ଶକ ମନଭରି ଉପଭୋଗ କରିବା ସହ ତାଙ୍କର ପରବର୍ତ୍ତୀ ଆକର୍ଷଣ ‘ତେରି ମେରି ଲଭ୍‌ ଷ୍ଟୋରି’କୁ ମଧ୍ୟ ଆଶାତୀତ ସ୍ବୀକୃତି ଅର୍ପିଥିଲେ। ତେବେ ପରବର୍ତ୍ତୀ ଧାରାବାହିକ ‘ଏକ ବୁନ୍ଦ୍‌ ଇସ୍କ’ରେ ଛବି ନିଭାଇଥିବା ତାରା ଭୂମିକା ତାଙ୍କୁ ଜଣେ ଲୋକପ୍ରିୟ ତାରକା ଆସନରେ ବସାଇଥିଲା। ଏହାପରେ ‘ୟେ ହୈ ଆସିକି’, ‘ବନ୍ଧନ- ସାରି ଉମଙ୍ଗ ହମେଁ ସଙ୍ଗ ରେହନା ହୈ’ ଓ ‘ସିଲସଲା ପ୍ୟାର୍‌ କା’ ଆଦି ଧାରାବାହିକ ତାଙ୍କୁ ନିରନ୍ତର ଲୋକପ୍ରିୟତା ଯୋଗାଇଥିଲା। ତେବେ ୨୦୧୭ରେ ପ୍ରସାରିତ ‘ସୌରବୀର ଏକଲବ୍ୟ କି ଗାଥା’ ଓ ‘କାଲ୍‌ ଭୈରବୀ ରହସ୍ୟ’ ପରି ଭିନ୍ନ ସ୍ବାଦର ଧାରାବାହିକରେ ତାଙ୍କର ଭିନ୍ନ ଅବତାର ଛବିଙ୍କର ବହୁମୁଖୀ ପ୍ରତିଭାକୁ ପରିବ୍ୟାପ୍ତ କରିବାରେ ସହାୟକ ହୋଇଥିଲା। ସେହିପରି ୨୦୧୮-୧୯ର ‘ଲେଡିଜ୍‌ ସ୍ପେସିଆଲ୍‌’ରେ ତାଙ୍କର ପ୍ରାର୍ଥନା କାଶ୍ୟପ ଚରିତ୍ରକୁ ଦର୍ଶକ ଏବେ ବି ଗୁମୁରି ହେଉଛନ୍ତି। ଏଥି ସହିତ ପରବର୍ତ୍ତୀ ଧାରାବାହିକ ‘ଅପନା ନ୍ୟୁଜ୍‌ ଆୟେଗା’, ‘ନମଃ’, ‘ତେରା କ୍ୟା ହୋଗା ଆଲ୍ଲା’ ଓ ‘ପ୍ରେମ ବନ୍ଧନ’ରେ ଛବିଙ୍କର ଭିନ୍ନ ଭିନ୍ନ ଭୂମିକା ମଧ୍ୟ ଦର୍ଶକଙ୍କୁ ମନଭରି ମୁଗ୍‌ଧ କରି ପାରିଥିଲା।

ସମ୍ବନ୍ଧିତ ଖବର