ନ୍ୟାୟାଧୀଶ ଶନିଦେବ

ଗ୍ରହମଣ୍ଡଳର ସପ୍ତମ ଗ୍ରହ ଭାବରେ ଗ୍ରହରାଜ ଶନିଦେବ ଅଭିଷିକ୍ତ। ଗ୍ରହମାନଙ୍କ ମଧ୍ୟରେ ଏହି ଗ୍ରହ ସବୁଠାରୁ ପ୍ରଭାବଶାଳୀ। ସୂର୍ଯ୍ୟ ଓ ଛାୟାଙ୍କର ଏହି ପୁତ୍ର ଅତ୍ୟନ୍ତ ବିଷ୍ଣୁ ଭକ୍ତ। ସେ ସର୍ବଦା ବିଷ୍ଣୁ ଚିନ୍ତନରେ ମଗ୍ନ ରହିଥାନ୍ତି। ସବୁଠାରୁ ବଡ଼ କଥା ହେଲା, ଏଥିପାଇଁ ତାଙ୍କୁ ଏକଦା ଅଭିଶପ୍ତ ହେବାକୁ ପଡ଼ିଥିଲା। ସେହି କାରଣରୁ, ଆଜି ବି ତାଙ୍କ ଦୃଷ୍ଟିକୁ ନିନ୍ଦା ସହ୍ୟ କରିବାକୁ ହୋଇଥାଏ।

ଘଟଣାଟି ଏହିପରି।

ଥରେ ଶନିଦେବଙ୍କର ପତ୍ନୀ ଋତୁସ୍ନାନ କରି, ବସନ ଭୂଷଣରେ ବିଭୂଷିତା ହୋଇ ଶନିଙ୍କ ପାଖକୁ ଆସିଲେ। ଆଗ୍ରହର ସହିତ, ସେ କିପରି ଦିଶୁଛନ୍ତି ବୋଲି ପଚାରିଲେ। ଶନି କିନ୍ତୁ କୃଷ୍ଣଙ୍କ ଚିନ୍ତନରେ ଏପରି ମଜ୍ଜି ଯାଇଥିଲେ ଯେ ସେ କିଛି ଶୁଣିପାରିଲେ ନାହିଁ। ବାରମ୍ବାର ପଚାରିବା ସତ୍ତ୍ୱେ କୌଣସି ଉତ୍ତର ନପାଇ, ଶନିପତ୍ନୀ ଅପମାନିତ ହେଲେ ଏବଂ ଶନିଙ୍କୁ ଅଭିଶାପ ଦେଲେ- ଆଜିଠାରୁ ତୁମର ଦୃଷ୍ଟି ଯାହା ଉପରେ ପଡ଼ିବ ସେ ବିନଷ୍ଟ ହୋଇଯିବ। ସେହି ଅଭିଶାପ ହେତୁ କ୍ଷୁଣ୍ଣମନା ହୋଇ, ଶନିଦେବ କାହା ଉପରେ ଦୃଷ୍ଟିପାତ କଲେ ନାହିଁ।

ଏହି ସମୟରେ ଦିନେ ସମସ୍ତ ଦେବଗଣ ଗଣେଶଙ୍କ ଜନ୍ମ ଉତ୍ସବ ପାଳନପାଇଁ କୈଳାସ ଯାତ୍ରା କଲେ। ଶନି ମଧ୍ୟ ଗଲେ। କିନ୍ତୁ ତଳକୁ ମୁହଁ କରି ଏକ କୋଣରେ ଚୁପ୍‌ଚାପ୍ ବସି ରହିଲେ। ତାଙ୍କୁ ସେପରି ବସିଥିବା ଦେଖି ଗଣେଶଙ୍କୁ ଦର୍ଶନ କରିବା ନିମିତ୍ତ ପାର୍ବତୀ ତାଙ୍କୁ ଡାକିଲେ। ଶନି ତାଙ୍କୁ ତାଙ୍କ ପତ୍ନୀ ଦେଇଥିବା ଅଭିଶାପ କଥା ଶୁଣାଇବାରୁ ପାର୍ବତୀ ତାହାକୁ ହସି ଉଡ଼ାଇଦେଲେ ଏବଂ ଶନିଙ୍କୁ ବାଧ୍ୟ କରି ଗଣେଶଙ୍କ ପାଖକୁ ନେଇଗଲେ। ଶନିଙ୍କ ଦୃଷ୍ଟିପାତରେ ଗଣେଶଙ୍କର ମସ୍ତକ ଲୋପ ପାଇଗଲା। ତାହା ଦେଖି ପାର୍ବତୀ ଶନିଙ୍କୁ ଖଞ୍ଜ ହୋଇଯିବାକୁ ଅଭିଶାପ ଦେଲେ। ପରେ ଗଣେଶ ଜୀବିତ ହେଲା ପରେ, ପାର୍ବତୀ ଶନିଙ୍କୁ ଆଶୀର୍ବାଦ ଦେଇ କହିଲେ- ତୁମ କ୍ରୂର ଦୃଷ୍ଟି କୌଣସି ବିଷ୍ଣୁଭକ୍ତଙ୍କୁ ପ୍ରଭାବିତ କରିପାରିବ ନାହିଁ।

ଭଗବାନ ଶିବ ଗ୍ରହମାନଙ୍କ ମଧ୍ୟରୁ ଶନିଙ୍କୁ ନ୍ୟାୟାଧୀଶ ପଦରେ ନିଯୁକ୍ତ କରିଥିଲେ। କୌଣସି ନ୍ୟାୟବାନ ବ୍ୟକ୍ତିକୁ ଶନି ଯେପରି କୌଣସି ଦଣ୍ଡ ଦିଅନ୍ତି ନାହିଁ; ସତ୍‌ମାର୍ଗରେ ଚାଲୁଥିବା ବ୍ୟକ୍ତିଙ୍କୁ ସେହିପରି ସାହାଯ୍ୟ କରିଥାନ୍ତି। ଖଞ୍ଜ ହେତୁ ଶନିଙ୍କ ଗତି ଅତି ମନ୍ଥର। ତେଣୁ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯିବାପାଇଁ ତାଙ୍କୁ ବହୁତ ସମୟ ଲାଗେ।

ଶନିଙ୍କର ନିବାସସ୍ଥାନ ଅଶ୍ୱତ୍‌ଥ ବୃକ୍ଷ। ତେଣୁ ଶନିବାରରେ ଏହି ବୃକ୍ଷକୁ ପୂଜା କଲେ ଶନି ସନ୍ତୁଷ୍ଟ ହୋଇଥାନ୍ତି। ମୁନିମାନଙ୍କୁ ସୁରକ୍ଷା ଦେବାପାଇଁ ଏକଦା ସେ ଏହି ବୃକ୍ଷରେ ନିବାସ କରିଥିଲେ। ବୈଶାଖ ମାସରେ ଶନିଯଜ୍ଞ ନାମରେ ଶନିଙ୍କର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ଶାଗୁଣା ଶନିଙ୍କର ବାହନ। ସଂସାରକୁ ମଳମୁକ୍ତ କରିବାରେ ଗୃଧ୍ର ପକ୍ଷୀ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ଏ ଦୃଷ୍ଟିରୁ ଶନିଙ୍କ ସହିତ ସେ ମଧ୍ୟ ପୂଜିତ ହୋଇଥାଏ। ମନୁଷ୍ୟ ଜୀବନରେ ଶନି ଏକ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ସୁଦୃଷ୍ଟି ପାଇବାପାଇଁ ଅନେକ ଯାଗଯଜ୍ଞ କରାଯାଇଥାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର