୮୫ ପରଠୁ ପୁରୀ ଦେଖିନି କଂଗ୍ରେସ ମୁହଁ

ପୁରୀ,(ଗଦାଧର ପଣ୍ଡା): ଭାରତର ପ୍ରମୁଖ ଧାମ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ତଥା ପୁରୀ ନିର୍ବାଚନମଣ୍ଡଳୀରେ ବାଜିମାତ ପାଇଁ ସବୁ ରାଜନୈତିକ ଦଳ ସର୍ବଦା ଉଦ୍ୟମ କରି ଆସିଛନ୍ତି। ୧୯୮୫ ମସିହାରୁ ପୁରୀ ବିଧାନସଭା ଆସନରେ କେବଳ ଅଣକଂଗ୍ରେସ ଦଳ ହିଁ ଏଠାରେ ରାଜୁତି କରି ଆସିଛି। ଏହାପୂର୍ବରୁ ୧୯୮୦ରେ ଶେଷ ଥର ପାଇଁ ଗଦାଧର ମିଶ୍ର କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୩୫ ବର୍ଷ ହେବ ପୁରୀ ଆସନ କଂଗ୍ରେସ ମୁହଁ ଦେଖି ନାହିଁ। ଗତ ୩୫ ବର୍ଷ ଭିତରେ ଜନତା ଦଳ ୧୫ ବର୍ଷ କ୍ଷମତା ଦଖଲ କରିଥିବା ବେଳେ ବିଜେଡି( ବିଜୁ ଜନତା ଦଳ) ଗତ ୪ଟି ନିର୍ବାଚନରେ ଏହି ଆସନକୁ ଦଖଲ କରି ରଖିଛି। ତେବେ ଏହି ୩୫ ବର୍ଷ ଭିତରେ ବ୍ରଜ ତ୍ରିପାଠୀଙ୍କୁ ୧୦ ବର୍ଷ ସୁଯୋଗ ମିଳିଛି ଓ ମନ୍ତ୍ରୀ ମହେଶ୍ବର ମହାନ୍ତି ଲଗାତର ୧୯୯୫ରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସମସ୍ତ ପ୍ରତିଦ୍ବନ୍ଦ୍ବୀକୁ ଦମନ କରିବାରେ ମହେଶ୍ବର ସଫଳ ହୋଇଛନ୍ତି।

ଏଥର ପୁରୀ ବିଧାନସଭାକୁ ନେଇ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମ୍ବେଦନଶୀଳ ରହିଛନ୍ତି। ଗତ ୧୯୯୫ରୁ ଲଗାତର ଭାବେ ମହେଶ୍ବରଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ସ୍ବୀକାର କରି ଆସୁଥିବା ଉମା ବଲ୍ଲଭ ରଥ ଏଥର ବାଧ୍ୟ ହୋଇ ପୁରୀ ଛାଡିଛନ୍ତି। କଂଗ୍ରେସ ନେତା ଉମାବଲ୍ଲଭ ପୁରୀ ଛାଡି ଆଠଗଡ଼ ଯାଇଛନ୍ତି। ତେଣୁ ପ୍ରଥମ କରି ପୁରୀ ଉମା‌ଙ୍କ ବିନା ପ୍ରତିଦ୍ବନ୍ଦ୍ବିତ‌ା ‌ହେବା‌ ଏକ ପ୍ରକାର ନିଶ୍ଚିତ ରହିଛି।

ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ବିଜେଡି ମହେଶ୍ବରଙ୍କୁ ପୁଣିଥରେ ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡିଛି। ଅବଶ୍ୟ ଏଥର ଚିତ୍ର ଟିକେ ଭିନ୍ନ ରହିଛି। ପୁରୀରେ ମହେଶ୍ବରଙ୍କ ବିରୋଧରେ ଥିବା ଜନ ଆକ୍ରୋଶ ହିଁ ମହେଶ୍ବରଙ୍କ ଚିନ୍ତା ବଢାଇଛି। ଶ୍ରୀମନ୍ଦିର ସଂସ୍କାର ମନ୍ଦିର ବିବାଦ, ପୁରୀ ହିଂସା, ପୁରୀର ମନ୍ଥର ବିକାଶ ଓ ପୁରୀରେ ବଢୁଥିବା ଅପରାଧକୁ ନେଇ ପୁରୀବାସୀ କ୍ଷୁବ୍ଧ ଅଛନ୍ତି। ସିଧା ସଳଖ ଦଳ ଉପରେ ନଥିଲେ ବି ନେତାଙ୍କ ବି‌ରୋଧରେ ଜନମତ ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ମହେଶ୍ବର ମହାନ୍ତି    ୭୬,୭୬୦
କଂଗ୍ରେସ   ଉମାବଲ୍ଲଭ ରଥ     ୪୨୦୩୯
ବିଜେପି    କୃଷ୍ଣଚନ୍ଦ୍ର ପଣ୍ଡା       ୧୭୫୬୦

ତେବେ ରାଜନୀତି ଗୋଟି ଚାଳନାରେ ସମର୍ଥ ମହେଶ୍ବର ବିରୋଧୀଙ୍କୁ ପୁଣିଥରେ କେତେଦୂର ଏକାଠି କରିପାରୁଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଅନ୍ୟପକ୍ଷରେ କଂଗ୍ରେସରୁ ସେବକ ସଂପ୍ରଦାୟରୁ କଂଗ୍ରେସ ମୁଖପାତ୍ର ବିନାୟକ ଦାସମହାପାତ୍ର ଦାବିଦାର ଥିବା ବେଳେ କଂଗ୍ରେସ ନେତା ବିଶ୍ବଜିତ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସେହିଭଳି ବିଜେପିରୁ ସିନେ ଅଭିନେତ୍ରୀ ମହାେଶ୍ବତା ରାୟଙ୍କ ନାମ ସର୍ବାଗ୍ରେ ରହିଥିବ‌ା ବେଳେ ବିଜେପି ନେତା କୃଷ୍ଣ ପଣ୍ଡା, ଭବାନୀ ଦାସମହାପାତ୍ର ଆଶାୟୀ ରହିଛନ୍ତି। ତେବେ ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେପି ଟିକେଟ ପାଇଁ ଆଶାୟୀ ତାଲିକାରେ ରହିଛି। ଜୟନ୍ତଙ୍କୁ ବିଜେଡିରୁ ଟିକେଟ ନ ମଳିଲେ ସେ ବିଜେପିକୁ ଭରସା କରିବେ ବୋଲି ଚର୍ଚ୍ଚା ‌‌ହେଉଛି।

ସମ୍ବନ୍ଧିତ ଖବର