ଭାରତକୁ ଅନୁପ୍ରବେଶ କରିବା ପାଇଁ ସୀମା ଆରପଟରେ ଜଗିଛନ୍ତି ୪୦୦ ଆତଙ୍କବାଦୀ

ଶ୍ରୀନଗର : ଭାରତକୁ ଅନୁପ୍ରବେଶ କରିବାକୁ ସୀମା ଆରପାରିରେ ଜଗି ବସିଛନ୍ତି ୪୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ | ଆଉ ପାକିସ୍ତାନ ସେନାର ସହାୟତାରେ ଖୁବ ଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି | ସୁରକ୍ଷା ଏଜେନ୍ସି କିଛି ଏଭଳି ସୂଚନା ଦେଇଥିବା ବେଳେ ସେନା ଆଲର୍ଟରେ ରହିଛି | ମିଳିଥିବା ସୂଚନା ମୁତାବକ ପ୍ରାୟ ୪୦୦ ଆତଙ୍କବାଦୀ, ଲାଇନ୍ ଅଫ୍ କଣ୍ଟ୍ରୋଲର ଅପର ପାର୍ଶ୍ୱରେ ଥିବା ‘ଲଞ୍ଚ ପ୍ୟାଡ୍’ରେ ଥିବାବେଳେ ଶୀତଦିନେ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି। ତେବେ ଆତଙ୍କବାଦୀଙ୍କୁ ଭାରତୀୟ ସୀମାକୁ ପ୍ରଵେଶ ନ କରାଇଦେବା ପାଇଁ ସେନା ଅହରହ ପହରା ଦେଉଛି |

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୨୦ରେ ୪୪ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୧ ଏବଂ ୨୦୧୮ରେ ୧୪୩ ଥିଲା। ଭାରତର ଅନୁପ୍ରବେଶ ବିରୋଧୀ ଅଭିଯାନରେ ବିବ୍ରତ ହୋଇ ପାକିସ୍ତାନ ସେନା ୨୦୨୦ରେ ୫୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି |

ଅଧିକାରୀଙ୍କ କହିବାନୁସାରେ, ପିର ପଞ୍ଜଲ (କାଶ୍ମୀର ଉପତ୍ୟକାର ଉତ୍ତର ପାର୍ଶ୍ୱ)ରେ ଥିବା ଏଲଓସି ନିକଟରେ ଲଞ୍ଚ ପ୍ୟାଡରେ ୧୭୫-୨୧୦ ଆତଙ୍କବାଦୀ ଥିବାବେଳେ ପିର ପଞ୍ଜଲର ଜାମ୍ମୁ ଅଞ୍ଚଳ (ଏଲଓସିର ଦକ୍ଷିଣ ପାର୍ଶ୍ୱ)ରେ ୧୧୯-୨୧୬ ଆତଙ୍କବାଦୀ ଅଛନ୍ତି। ସୁରକ୍ଷା ଅଧିକାରୀମାନେ କହିଛନ୍ତି ପାକିସ୍ତାନ ଏଜେନ୍ସିମାନେ ଜମ୍ମୁକାଶ୍ମୀରରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ପଠାଇବା ପାଇଁ ସୁଡ଼ଙ୍ଗର ବ୍ୟବହାର କରୁଥିବାବେଳେ ଶୀତ ବଢିବାକୁ ଅପେକ୍ଷା କରି ରହିଛନ୍ତି |

ସମ୍ବନ୍ଧିତ ଖବର