ଆମେରିକା ରାଜି : ଭାରତ ସମେତ ୮ଟି ଦେଶ ଇରାନରୁ କିଣିପାରିବେ ତେଲ, ତାଲିକାରେ ଚୀନ ବି ଅଛି

ୱାସିଂଟନ : ଭାରତ, ଜାପାନ ଓ ଦକ୍ଷିଣ କୋରିଆ ସମେତ ମୋଟ ୮ଟି ରାଷ୍ଟ୍ର ଇରାନରୁ ତେଲ କିଣିପାରିବେ । ଏଥିପାଇଁ ଆମେରିକା ନିଜ କଟକଣାକୁ କୋହଳ କରିବ । ଏସବୁ ରାଷ୍ଟ୍ରଙ୍କୁ ଆମେରିକା ନିଜର ସାମରିକ ସହଯୋଗୀ ଭାବେ ଦେଖୁଛି । ଏଣୁ ଏସବୁ ଦେଶମାନଙ୍କ ଅର୍ଥନୀତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଆମେରିକା ଏସବୁ ସହଯୋଗୀ ଦେଶମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବ ।

କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ଚୀନ ଏହି ୮ ଜଣଙ୍କ ମଧ୍ୟରେ ରହିଛି । ଚୀନକୁ ଆମେରିକା ନିଜର ମିତ୍ର ଦେଶ ବୋଲି ଭାବେ ନାହିଁ । ଏହି ୮ଟି ଦେଶ ତାଲିକାରେ ଥିବା ଅନ୍ୟ ୪ଟି ଦେଶଙ୍କ ନାଁ ଗୋପନ ରଖାଯାଇଛି । ତେବେ ଏହି କୋହଳତା ଏକ ସୀମିତ ସମୟ ପାଇଁ ରହିବ । ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭାରତର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ କୁ ଇରାନରୁ ୧.୨୫ ନିୟୁତ ଟନ ଅଶୋଧିତ ତେଲ ଆମଦାନୀ କରିବାକୁ ଆମେରିକା ଅନୁମତି ଦେବ । ଏ ନେଇ ଦୁଇ ଦେଶ ସହମତ ହୋଇଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ଏ ନେଇ ଘୋଷଣା କରାଯିବ । ଏହା ହେଲେ ଭାରତ ଶସ୍ତାରେ ତେଲ ପାଇପାରିବ ।

ଆସନ୍ତା ୫ ତାରିଖରୁ ଇରାନଠାରୁ ତେଲ ଆମଦାନୀ ବନ୍ଦ କରିବା ପାଇଁ ସୁପରପାଓ୍ଵାର ଆମେରିକା ବିଶ୍ୱର ସବୁ ଦେଶଙ୍କ ଉପରେ ହୁକୁମ ଜାରି କରିଛି । ଏହି ସମୟ ପରେ ଯେଉଁ ଦେଶମାନେ ଇରାନଠାରୁ ତେଲ କିଣିବେ ସେମାନଙ୍କ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇବାକୁ ଆମେରିକା ଧମକ ଦେଇଛି ।

ସମ୍ବନ୍ଧିତ ଖବର