ହିଜାବ ବିରୋଧୀ ଆନ୍ଦୋଳନ: ଇରାନରେ ପ୍ରଥମ ମୃତ୍ୟୁଦଣ୍ଡାଦେଶ

ତେହେରାନ: ହିଜାବ ପିନ୍ଧି ନ ଥିବା କାରଣରୁ ୨୨ ବର୍ଷୀୟା ମେହସା ଆମିନିଙ୍କୁ ଗିରଫ କରି ହାଜତରେ ନିର୍ଯାତନା ଦେଇ ହତ୍ୟା କରାଯିବା ଘଟଣା ପରେ ସମଗ୍ର ଇରାନରେ ହିଜାବ-ବିରୋଧୀ ଆନ୍ଦୋଳନ ତେଜିଛି। ଇରାନ ସରକାର ଏହାକୁ ଆମେରିକା ଓ ଇସ୍ରାଏଲର ଷଡ଼୍‌ଯନ୍ତ୍ର ବୋଲି ଅଭିଯୋଗ କରିବା ସହ ପ୍ରତିବାଦକାରୀଙ୍କ ଉପରେ ଦମନଲୀଳା ଚଳାଇଛନ୍ତି। ହିଜାବ-ବିରୋଧୀ ଆନ୍ଦୋଳନକୁ ‘ଆଲ୍ଲାଙ୍କ ବିରୋଧରେ ଯୁଦ୍ଧ’ ବୋଲି ଅଭିହିତ କରି ତେହେରାନର ରିଭଲ୍ୟୁସନାରି କୋର୍ଟ ଜଣେ ଲୋକକୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।

ଉକ୍ତ ଲୋକ ‘ଆ‌ଲ୍ଲାଙ୍କ ବିରୋଧରେ ଯୁଦ୍ଧ’ କରିବାକୁ ଯାଇ ଏକ ସରକାରୀ ଘର ପୋଡ଼ିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟୂନ ଆଉ ୨୦ ଜଣଙ୍କ ବିରୋଧରେ ସମାନ ଅଭିଯୋଗ ଥିବାରୁ ସେମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡାଦେଶ ମିଳିପାରେ ବୋଲି କୁହାଯାଉଛି। ମାନବାଧିକର ସଂଗଠନଗୁଡ଼ିକ ପକ୍ଷରୁ ସରକାରଙ୍କ ଦମନ ନୀତିର ନିନ୍ଦା କରାଯାଇଛି। ଇରାନ ହିଜାବ-ବିରୋଧୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୩୪୮ ଜଣ ପ୍ରତିବାଦକାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୫୨ ଜଣ ହେଉଛନ୍ତି ପିଲା। ବର୍ତ୍ତମାନ ସୁଦ୍ଧା ୧୬,୦୦୦ରୁ ଅଧିକ ଲୋକଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର