ମାକ୍ରନ୍‌-ମୋଦୀ ଆଲୋଚନା ପୂର୍ବରୁ ଭାରତୀୟ ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରେଞ୍ଚ ଗ୍ରୁପ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବ୍ୟବହିତ ପୂର୍ବରୁ ଫ୍ରେଞ୍ଚ ଡିଫେନ୍ସ ମେଜର ନାଭାଲ ଗ୍ରୁପ୍ ଘୋଷଣା କରିଛି ଯେ, ପି-୭୫ ଇଣ୍ଡିଆ (ପି-୭୫ଆଇ) ପ୍ରକଳ୍ପରେ ଏହା ଅଂଶଗ୍ରହଣ କରିପାରିବ ନାହିଁ, ଯେଉଁ ପ୍ରକଳ୍ପରେ ଭାରତୀୟ ନୌସେନା ପାଇଁ ଭାରତରେ ଛଅଟି ପାରମ୍ପରିକ ବୁଡ଼ା ଯୁଦ୍ଧପୋତ (ସବ୍‌ମେରିନ୍) ନିର୍ମାଣ ହୋଇଥାନ୍ତା। ଉକ୍ତ ଗ୍ରୁପ୍, ଯେକି ୪୩,୦୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ସଂକ୍ଷିପ୍ତୀକୃତ ତାଲିକାଭୁକ୍ତ ପାଞ୍ଚଟି ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ, କହିଛି ଯେ ଏହା ପ୍ରସ୍ତାବରେ ଥିବା ସର୍ତ୍ତାବଳି ପୂରଣ କରିପାରିବ ନାହିଁ, ତେଣୁ ଏଥିରୁ ସେ ଓହରିଯାଉଛି। ନୂତନ ରଣନୀତିକ ପାର୍ଟନରସିପ ମଡେଲ ଅଧୀନରେ ଏହା ହେଉଛି ବୃହତ୍ତମ ପ୍ରକଳ୍ପ, ଯେଉଁଥିରେ ଏକ ଭାରତୀୟ କମ୍ପାନି ଅନ୍ତର୍ଜାତୀୟ ଅରିଜିନାଲ ଇକ୍ବିପ୍‌ମେଣ୍ଟ ମାନୁଫ୍ୟାକ୍‌ଚରର (ଓଇଏମ୍) ସହ ମିଶି ଭାରତରେ ବୁଡ଼ା ଯୁଦ୍ଧପୋତ ନିର୍ମାଣ କରିବ ଏବଂ ପ୍ରଯୁକ୍ତିର ମଧ୍ୟ ଆଦାନପ୍ରଦାନ ହେବ। ଭାରତରେ ସବ୍‌ମେରିନ୍ (ମଗ୍ନପୋତ) ନିର୍ମାଣ କରିବାରେ ପି-୭୫ଆଇ ହେଉଛି ଦ୍ବିତୀୟ ପ୍ରକଳ୍ପ। ନାଭାଲ ଗ୍ରୁପ୍ ଏଇ ନିକଟରେ ପି-୭୫ ପ୍ରକଳ୍ପ ଅଧୀନରେ ୬ଟି କାଲବାରି କ୍ଲାସ୍ (ସ୍କର୍ପିନ୍ ଶ୍ରେଣୀ)ର ପାରମ୍ପରିକ ବୁଡ଼ା ଯୁଦ୍ଧଜାହାଜ ନିର୍ମାଣ ଶେଷ କରିଛି। ଉକ୍ତ ୬ଟିରୁ ୪ଟି ମଗ୍ନପୋତ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ଷଷ୍ଠଟି ଗତମାସରେ ଲଞ୍ଚ ହୋଇଛି ଏବଂ ଆସନ୍ତା ବର୍ଷ ନୌବାହିନୀରେ ସାମିଲ ହେବାର ସମ୍ଭାବନା ରହିଛି।

ଫ୍ରେଞ୍ଚ ଡିଫେନ୍ସ ମେଜର ନାଭାଲ ଗ୍ରୁପ୍‌ର ଉକ୍ତ ଘୋଷଣା ପରେ ନାଭାଲ ଗ୍ରୁପ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଲରେଣ୍ଟ ଭିଡିଉ କହିଛନ୍ତି, ସର୍ତ୍ତ ଅନୁସାରେ ଫୁଏଲ ସେଲ ଏଆଇପି ସମୁଦ୍ର ପାଇଁ ଉପଯୁକ୍ତ ହେବା ଦରକାର କିନ୍ତୁ ଫ୍ରେଞ୍ଚ ନେଭି ଏ ପ୍ରକାର ପ୍ରପଲ୍‌ସନ ସିଷ୍ଟମ୍ ବ୍ୟବହାର କରେ ନାହିଁ। ଏଆଇପି ହେଉଛି ପାରମ୍ପରିକ ମଗ୍ନପୋତ ପାଇଁ ବ୍ୟବହୃତ ଏୟାର-ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ସନ ଟେକ୍ନୋଲୋଜି, ଯାହା ଜାହାଜକୁ ପାଣି ଭିତରେ ଅଧିକ ସମୟ ବୁଡ଼ି ରହିବାର କ୍ଷମତା ଦିଏ ଏବଂ ଡିଜେଲ-ଇଲେକ୍ଟ୍ରିକ୍ ପ୍ରପଲ୍‌ସନ ସିଷ୍ଟମ୍ ପରି ଏହା ବେଶି ଶବ୍ଦ କରେ ନାହିଁ। ଭିଡିଉ କହିଛନ୍ତି ଯେ, ନାଭାଲ ଗ୍ରୁପ୍ ଆତ୍ମନିର୍ଭର ଭାରତ ନୀତି ଅନୁଯାୟୀ ପି-୭୫ଆଇ ପ୍ରକଳ୍ପ ପାଇଁ ଏହି ସମସ୍ୟାର ସମାଧାନ ବାହାର କରିବ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୪ରେ ଫ୍ରାନ୍ସ ଗସ୍ତ କରିବା ସହ ପୁନଃନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁଙ୍କୁ ସାକ୍ଷାତ୍ କରିବେ। ଏହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର