ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘର ନିକଟରେ ରାତି ୮ଟା ପରେ ବାଜି ପାରିବ ନାହିଁ ମାଇକ; କାଲକାଟା ହାଇକୋର୍ଟ ଲଗାଇଲେ ପ୍ରତିବନ୍ଧକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନ ନିକଟରେ ରାତି ୮ଟା ପରେ କୌଣସି ଲାଉଡସ୍ପିକର ବା ମାଇକ୍‌ ବ୍ୟବହାର କାରାଯାଇ ପାରିବ ନାହିଁ ବୋଲି କାଲକାଟା ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଏବଂ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ପ୍ରଶାସନ ନିଶ୍ଚିତ କରିବ।

ନିଜ ବାସଭବନର ସୁରକ୍ଷା ଉପରେ ଅଧିକାରୀଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରି କାଲକାଟା ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜଶେଖର ମନ୍ଥା କହିଛନ୍ତି ଯେ ପୂର୍ବ ମେଦିନିପୁର ଜିଲ୍ଲାର କଣ୍ଟାଇଠାରେ ବିଧାୟକଙ୍କ ଘର ଏକ ସମ୍ବେଦନଶୀଳ ଅଞ୍ଚଳରେ ଅଛି ଏବଂ ଏହା ନିକଟରେ ରାଲି କିମ୍ବା ବୈଠକ କରିବା ପାଇଁ ଅନୁମତି ଦେବାର ନିୟମ ବିଷୟରେ କୋର୍ଟଙ୍କୁ ଅବଗତ କରିବାକୁ ପ୍ରଶାସନକୁ କହିଛନ୍ତି।

ବିରୋଧୀ ଦଳର ନେତା କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ଉପଭୋଗ କରନ୍ତି ବୋଲି କୋର୍ଟ କହିଛନ୍ତି ଏବଂ ରାତି ୮ଟା ପରେ ବିଜେପି ନେତାଙ୍କ ବାସଭବନ ନିକଟରେ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଧିକାରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ରାଜ୍ୟ ପୁଲିସ୍‌ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ କର୍ମଚାରୀମାନେ ତାଙ୍କ ବାସଭବନ ଏବଂ ଏହାର ଆଖପାଖରେ କିପରି ସିସିଟିଭି ଲଗାଯିବ ତାହା ସ୍ଥିର କରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଫେବ୍ରୁଆରି ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

ସମ୍ବନ୍ଧିତ ଖବର