ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୟୁପି ମୈନପୁରୀ ଜିଲ୍ଲାର କରହଲରୁ ଲଢିବେ ନିର୍ବାଚନ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୈନପୁରୀ ଜିଲ୍ଲାର କରହଲ ନିର୍ବାଚନ ମଣ୍ଡଳୀରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବେ ବୋଲି ଗୁରୁବାର ଦିନ ଦଳ ଘୋଷଣା କରିଛି। କରହଲରେ ମତଦାନ ଫେବ୍ରୁଆରି ୨୦ରେ ଧାର୍ଯ୍ୟ କରାଯାଇଛି।

ବର୍ତ୍ତମାନ ଅଖିଳେଶ ଯାଦବ ଆଜମଗଡ ସଂସଦୀୟ କ୍ଷେତ୍ରରୁ ଲୋକସଭା ସାଂସଦ ଅଛନ୍ତି। ସେ କେବେ ବି ରାଜ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ଯେତେବେଳେ ସେ ୨୦୧୨ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେ ବିଧାନ ପରିଷଦର ସଦସ୍ୟ ଥିଲେ।

ଏହା ପୂର୍ବରୁ ସମାଜବାଦୀ ପାର୍ଟି ନେତା ମୈନପୁରୀ ସଦର, କନ୍ନୌଜର ଛିବ୍ରାମାଉ, ଆଜମଗଡର ଗୋପାଳପୁର କିମ୍ବା ସମଭାଲର ଗୁନାଉରରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ସେ କରହଲ ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ଦଳ ଘୋଷଣା କରିଛି।
ବର୍ତ୍ତମାନ ସମାଜବାଦୀ ପାର୍ଟିର ସୋବରନ ସିଂ ଯାଦବ ହେଉଛନ୍ତି କରହଲ ବିଧାୟକ। ସମାଜବାଦୀ ପାର୍ଟି ୧୯୯୩ ପରଠାରୁ ସାତ ଥର ଏହି ଆସନ ଜିତିଛି।

ଅନ୍ୟପକ୍ଷରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଅର୍ବାନରୁ ନିର୍ବାଚନ ଲଢିବେ। ଆଜାଦ ସମାଜ ପାର୍ଟିର ଚନ୍ଦ୍ର ଶେଖର ଆଜାଦ ମଧ୍ୟ ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଫେବ୍ରୁଆରି ୧୦ରୁ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ରେ ଭୋଟ୍‌ ଗଣନା ହେବ। ଏଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ବିଜେପି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମଧ୍ୟରେ ଚତୁର୍ମୂଖୀ ଲଢ଼େଇ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର