ଆସାମରେ ବନ୍ୟାର ତାଣ୍ଡବ: ୨୪ଟି ଜିଲ୍ଲାର ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୭ଜଣଙ୍କ ମୃତ୍ୟୁ

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୪ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଅନୁଯାୟୀ, ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପରେ ପାହାଡ଼ିଆ ଜିଲ୍ଲା ଦିମା ହସାଓକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ହାଫଲଙ୍ଗକୁ ଯାଉଥିବା ସମସ୍ତ ରାସ୍ତା ଏବଂ ରେଳ ଲାଇନ ମେ’ ୧୫ରୁ ବନ୍ଦ ରହିଛି। ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି। ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ୟା ଯୋଗୁଁ କଛାର ଜିଲ୍ଲାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଦିମା ହସାଓରେ ଭୂସ୍ଖଳନ ହେତୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୨୦ ଟି ଜିଲ୍ଲାର ମୋଟ ୬୫୨ଟି ଗ୍ରାମ ବର୍ତ୍ତମାନ ସୁଦ୍ଧା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ସାତୋଟି ଜିଲ୍ଲାରେ ପ୍ରାୟ ୫୫ ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି, ଯେଉଁଥିରେ ୩୨ ହଜାର ୯୫୯ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ଏସଡିଆରଏଫ କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର