ଗୋଗ୍ରା-ହଟସ୍ପ୍ରିଙ୍ଗରୁ ପଛକୁ ଫେରିବେ ଚୀନ, ଭାରତ ସୈନ୍ୟ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ୧୬ତମ କୋର କମାଣ୍ଡର ସ୍ତରୀୟ ଆଲୋଚନାରେ କେତେକ ସକାରାତ୍ମକ ଖବର ମିଳିଛି । ଲଦାଖର ଗୋଗ୍ରା ଓ ହଟସ୍ପ୍ରିଙ୍ଗ ଇଲାକାରୁ ସୈନ୍ୟ ପ୍ରତାହାର ପାଇଁ ଉଭୟ ଦେଶର ସେନା ରାଜି ହୋଇଛନ୍ତି । ବିଶେଷକରି ଚୀନ ସେନା ୨୦୨୦ର ପୂର୍ବସ୍ଥିତିକୁ ଫେରିଯିବାକୁ ରାଜି ହୋଇଛି । ଏହା ସହିତ ପେଙ୍ଗାଙ୍ଗ ହ୍ରଦଠାରୁ କିଛି ବାଟ ଦୂରକୁ ଯିବାକୁ ଚୀନ ରାଜି ହୋଇଛି ।

ଏ ନେଇ ଦୁଇ ସେନା ପକ୍ଷରୁ ଜାରି ମିଳିତ ବୟାନରେ କୁହାଯାଇଛି ଯେ ଏହି ସୈନ୍ୟ ପ୍ରତ୍ୟାହାର ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଶାନ୍ତି ଓ ସ୍ଥିରତା ବିରାଜମାନ କରିବ । ଏହା ସତ୍ତ୍ବେ ଦେପସାଙ୍ଗ ଅଂଚଳରେ ଏବେ ବି ଚୀନ ସେନା ଅଛନ୍ତି । ଏହା ଭାରତର ଅଂଚଳ ହୋଇଥିଲେ ବି ଏହାର ଏକ ବଡ଼ ଭାଗକୁ ଚୀନ କବଜା କରି ରଖିଛି ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରିଥିଲା । ଗଲଓ୍ବାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ନିୟମିତ ଭାବେ ଜାରି ରହିଥିଲା । ତେବେ ଉତ୍ତେଜନା ହ୍ରାସ ପାଇଁ ଦୁଇ ସେନା ନିୟମିତ ଆଲୋଚନା ଜାରି ରଖିଥିଲେ ।

 

 

 

ସମ୍ବନ୍ଧିତ ଖବର