ୟୁଏନ୍‌ଏସ୍‌ସିରେ ବଡ଼ ଭୂମିକା ପାଇଁ ଭାରତ ପ୍ରସ୍ତୁତ, ନ୍ୟୁୟର୍କରେ କୂଟନୈତିକ ଶକ୍ତି ସୁଦୃଢ଼ କରୁଛି

ନୂଆଦିଲ୍ଲୀ: ଜାତିସଂଘରେ ବଡ଼ ଭୂମିକା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜାନୁଆରି ୨୦୨୧‌ରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଣ ସ୍ଥାୟୀ ସଦସ୍ୟ ଭାବେ ନୂଆ ଦାୟିତ୍ବ ତୁଲାଇବ। ଏଥିପାଇଁ ଭାରତ ଜାତିସଂଘରେ ଏହାର କୂଟନୈତିକ ଉପସ୍ଥିତିକୁ ଅଧିକ ସୁଦୃଢ଼ କରିବାପାଇଁ ନିଷ୍ପତ୍ତି ନେଇଛି ଏବଂ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜଣେ ଅତିରିକ୍ତ ଡିପିଆର୍‌ (ଉପ ସ୍ଥାୟୀ ପ୍ରତିନିଧି) ଏବଂ ଜାତିସଂଘକୁ ନିଯୁକ୍ତ ହୋଇଥିବା ଜଣେ କାଉନ୍‌ସେଲରଙ୍କ ସମେତ ଭାରତ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଗୁରୁ ଦାୟିତ୍ବ ତୁଲାଇବ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରତି ମାସରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବେ।

୧୯୯୯ ବ୍ୟାଚ୍‌ ଆଇଏଫ୍‌ଏସ୍‌ (ଭାରତୀୟ ବିଦେଶ ସେବା) ଅଧିକାରୀ ଆର୍‌ ରବିନ୍ଦ୍ରନ୍‌ ଯିଏ କି କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିଲେ ସେ ଜାତିସଂଘରେ ଭାରତୀୟ ସ୍ଥାୟୀ ମିସନ୍‌ରେ ଜଣେ ଡିପିଆର୍‌ ଭାବେ ଯୋଗ ଦେବେ। ସେହିପରି ୨୦୦୭ ଆଇଏଫ୍‌ଏଫ୍‌ ଅଫିସର ଏବଂ ଉପ ସଚିବ (ପିଏମ୍‌ଓ) ପ୍ରତୀକ ମାଥୁର ଜାତିସଂଘ ସୁରକ୍ଷା ପରିଷଦରେ ଜଣେ କାଉନ୍‌‌ସେଲର ଭାବେ ଯୋଗ ଦେବେ। ଟିଏସ୍‌ ତିରୁମୂର୍ତ୍ତି ଏବେ ଭାରତୀୟ ସ୍ଥାୟୀ ମିସନ୍‌ର ଅଧ୍ୟକ୍ଷତା କରୁଥିବାବେଳେ ନାଗରାଜ ନାଇଡ଼ୁ ଡିପିଆର ଅଛନ୍ତି। ଏହି ଦୁଇ ଅଫିସର୍‌ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଜାତିସଂଘର ୭୫ ତମ ଅଧିବେଶନ ଆରମ୍ଭ ପୂର୍ବରୁ ନୂଆ ଦାୟିତ୍ବ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ଆସନ ପାଇଁ ଭୋଟ୍‌ ଗ୍ରହଣ ସମୟରେ ଭାରତକୁ ୧୮୪ଟି ଭୋଟ୍‌ ମିଳିଥିଲା। କେବଳ ୧୨୯ଟି ଭୋଟ୍‌ର ଆବଶ୍ୟକତା ଥିବାବେଳେ ଭାରତକୁ ୧୮୪ଟି ଭୋଟ୍‌ ମିଳିଥିଲା। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାପାଇଁ ପ୍ରସ୍ତୁତ ‌ହେଉଛି।

ସମ୍ବନ୍ଧିତ ଖବର