ଆଫଗାନିସ୍ତାନ ସିରିଜ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍

କାବୁଲ : ଆଫଗାନିସ୍ତାନରେ ଗୁରୁବାରଦିନ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍ । ଜଣେ ବରିଷ୍ଠ ଆଇଏସ କମାଣ୍ଡରଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏସବୁ ଆକ୍ରମଣ କରାଯାଇଥିବା ଆଇଏସ ପକ୍ଷରୁ କୁହାଯାଇଛି ।

ଗୁରୁବାରଦିନ ଆଫଗାନିସ୍ତାନର ୪ଟି ସ୍ଥାନରେ ହୋଇଥିବା ପୃଥକ ପୃଥକ ବିସ୍ଫୋରଣରେ ମୋଟ ୩୧ ଜଣ ଲୋକ ନିହତ ହେବା ସହ ୮୭ ଜଣ ଆହତ ହୋଇଥିଲେ ।

ସବୁଠାରୁ ବଡ଼ ବିସ୍ଫୋରଣଟି ଉତ୍ତର ଆଫଗାନିସ୍ତାନରେ ଥିବା ଐତିହାସିକ ମଜାର-ଏ-ସରିଫ୍ ସହରରେ ହୋଇଥିଲା । ଏକ ସିହା ମସଜିଦରେ ହୋଇଥିବା ଏହି ବିସ୍ଫୋରଣଟି ବେଶ୍ ଶକ୍ତିଶାଳୀ ଥିବା କୁହାଯାଉଛି । ପବିତ୍ର ରମଜାନ ମାସ ଚାଲିଥିବାରୁ ସାଇ ଡୋକେନ ମସଜିଦରେ ବେଶ ଭୀଡ଼ ଥିଲା । ସିହା ସଂପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ଏ ସଂପର୍କରେ ଆଇଏସ ପକ୍ଷରୁ କୁହାଯାଇଛି ଯେ ମସଜିଦରେ ଲୋକଭୀଡ଼ ଥିବାବେଳେ ଏକ ରିମୋଟ ଚାଳିତ ଡିଭାଇସ ମାଧ୍ୟମରେ ବୋମା ବିସ୍ଫୋରଣ କରାଯାଇଥିଲା ।

ସେହିପରି କାବୁଲର ଏକ ସ୍କୁଲ ଓ କୁନ୍ଦୁଜ ସହରରେ ବି ବିସ୍ଫୋରଣ ହୋଇଥିଲା । ୪ର୍ଥ ବିସ୍ଫୋରଣଟି ନଙ୍ଗରହାର ରାଜ୍ୟରେ ତାଲିବାନର ଏକ ଗାଡ଼ିକୁ ଏକ ଲାଣ୍ଡମାଇନ ଦ୍ବାରା ଉଡ଼ାଇ ଦିଆଯାଇଥିଲା । ଏଥିରେ ୪ ତାଲିବାନ ସଦସ୍ୟ ମୃତ୍ୟୁବରଣ କରିଥିଲେ ।

 

 

ସମ୍ବନ୍ଧିତ ଖବର