କାଦର୍‌ ଖାନ୍‌ଙ୍କ ପରଲୋକ, କାନାଡ଼ାରେ ଶେଷକୃତ୍ୟ

ମୁମ୍ବାଇ: ‌ବଲିଉଡ୍‌ ଅଭିନେତା ତଥା ସଂଳାପ ଲେଖକ କାଦର୍‌ ଖାନ୍‌ଙ୍କର ପରଲୋକ ହୋଇଛି। ଗତକାଲି ଦେଶବାସୀ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରାକ୍‌ ପ୍ରସ୍ତୁତିରେ ମସ୍‌ଗୁଲ୍‌ ଥିବା ବେଳେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଜାଗା ବନାଇଥିବା ଏହି ହାସ୍ୟାଭିନେତା ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। କାନାଡ଼ାର ଏକ ଡାକ୍ତରଖାନାରେ ୧୬ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ କାଦର୍‌ ଖାନ୍‌। ତାଙ୍କ ପୁଅ ସର୍ଫରାଜ୍‌ ଖାନ୍‌ ଏହି ସୂଚନା ଦେବାପରେ ଭାରତୀୟ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। କାନାଡ଼ାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଫଗାନିସ୍ତାନ ରାଜଧାନୀ କାବୁଲରେ ୧୯୩୭ ମସିହା ଅକ୍ଟୋବର ୨୨ରେ ଜନ୍ମଗ୍ରହଣ କରିଥିଲେ କାଦର୍‌ ଖାନ୍‌। ଗତକିଛି ମାସ ହେଲା ସେ ଶ୍ବାସଜନିତ ରୋଗ‌ରେ ପୀଡ଼ିତ ଥିବା ବେଳେ ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା। ଗତକାଲି ଅପରାହ୍ନରେ ସେ କୋମାକୁ ଚାଲିଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଇଞ୍ଜିନିୟରିଂରେ ଅଧ୍ୟାପନାରୁ କ୍ୟାରିୟର ଆରମ୍ଭ କରିଥିବା କାଦର୍‌ ଖାନ୍‌ ସଂଳାପ ଲେଖିବାରେ ମାହିର ଥିଲେ। ଏଥିପାଇଁ ତାଙ୍କୁ ବିପୁଳ ସୁଯୋଗ ମିଳିଥିଲା। ତେବେ ୧୯୭୩ରେ ସେ ରାଜେଶ ଖାନ୍ନାଙ୍କ ସହ ‘ଦାଗ୍’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେହିଦିନ ଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ। ପ୍ରାୟ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା କାଦର୍‌ ଖାନ୍‌ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ ସଂଳାପ ଓ ପଟକଥା ଲେଖିଥିଲେ। ଅଭିନେତା ହେବା ପୂର୍ବରୁ କାଦର୍‌ ଖାନ୍‌ ରଣଧୀର କପୁର ଓ ଜୟା ବଚ୍ଚନଙ୍କ ଅଭିନୀତ ‘ଯୱାନୀ ଦିୱାନୀ’ ପାଇଁ ସଂଳାପ ଲେଖିଥିଲେ। କିମ୍ବଦନ୍ତୀ ବଲିଉଡ୍‌ ଅଭିନେତା ଅମିତାଭ୍‌ ବଚ୍ଚନ କାଦର୍‌ ଖାନ୍‌ଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି କହିଛନ୍ତି, ‌‘‘କାଦର୍‌ ପ୍ରତିଭାର ଧନୀ ଥିଲେ ଏବଂ ଚଳଚ୍ଚିତ୍ର ଶିଳ୍ପ ପାଇଁ ନିଜକୁ ସମର୍ପି ଦେଇଥିଲେ। ସେ ଜଣେ ଉଚ୍ଚକୋଟୀର ଲେଖକ ମଧ୍ୟ ଥିଲେ। ମୋର ଅଧିକାଂଶ ସଫଳ ଚଳଚ୍ଚିତ୍ରକୁ ସେ ହିଁ ଲେଖିଥିଲେ।’’ ଉଲ୍ଲେଖଯୋଗ୍ୟ, ଅମିତାଭ ଓ କାଦର୍‌ ଏକାଠି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତନ୍ମଧ୍ୟରେ ‘ଦୋ ଔର ଦୋ ପାଞ୍ଚ୍‌’, ‘ଅଦାଲତ୍‌’, ‘ମୁକଦ୍ଦର୍‌ କା ସିକନ୍ଦର୍‌’, ‘ମିଷ୍ଟର ନଟ୍‌ୱରଲାଲ୍‌’, ‘ସୁହାଗ୍‌’, ‘କୁଲି’, ‘କାଲିଆ’, ‘ସେହନ୍‌ସା’ ଆଦି ଅନ୍ୟତମ। କାଦର୍‌ଙ୍କ ମୃତ୍ୟୁରେ ବଲିଉଡ୍‌ ଶିଳ୍ପରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ତାଙ୍କ ସହ ଅଭିନୟ କରିଥିବା କଳାକାରମାନେ କହିଛନ୍ତି।

ସମ୍ବନ୍ଧିତ ଖବର