୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ ଦିଦି ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ଅଭିଷେକ ବାନାର୍ଜୀ: ଟିଏମସି ସାଂସଦ

କୋଲକାତ‌ା: ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ଅଭିଷେକ ବାନାର୍ଜୀ। ଆଜି ଏଭଳି ଟ୍ବିଟ କରିଛନ୍ତି ଟିଏମସି ସାଂସଦ ଅପରୂପା ପୋଡ୍ଡାର। ସବୁଠୁ ବଡ଼ କଥା ହେଲା ଏଭଳି ବଡ଼ ଘୋଷଣା ଟ୍ବିଟ ମାଧ୍ୟମରେ କରିବା ପରେ କିଛି ସମୟ ମଧ୍ୟରେ ଅପରୂପା ଟ୍ବିଟକୁ ହଟାଇ ଦେଇଛନ୍ତି। ତେବେ ସେ କରିଥିବା ଟ୍ବିଟର ସ୍କ୍ରିନସଟ ଏବେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ସ୍କ୍ରିନସଟରେ ଦେଖାଯାଇଛି ଯେ, ଅପରୂପା ଦେଶରେ ପିଉସୀ-ପୁତୁରାଙ୍କ ରାଜ୍ ଚାଲିବ ବୋଲି ଲେଖିଛନ୍ତି। ତାଙ୍କ ଟ୍ବିଟ ଅନୁଯାୟୀ, ୨୦୨୪ ମସିହାରେ, ମମତା ବାନାର୍ଜୀ ଆରଏସଏସ ଦ୍ୱାରା ମନୋନୀତ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ। ତେବେ ଏଭଳି ଟ୍ବିଟ କରିବାର କିଛି ଘଣ୍ଟା ପରେ ସେ ଟ୍ବିଟକୁ ହଟାଇ ଦେଇଛନ୍ତି।

ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଟିଏମସିର ତୃତୀୟ କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ଅବସରରେ ଦଳର ମୁଖପାତ୍ର କୁନାଲ ଘୋଷ କହିଥିଲେ ଯେ ଟିଏମସିର ଜଣେ ସଦସ୍ୟ ଭାବରେ ମୁଁ କହିପାରିବି ଯେ ମମତା ବାନାର୍ଜୀ ୨୦୩୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବେ ଏବଂ ୨୦୩୬ ମସିହାରେ ଅଭିଷେକ ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ମମତା ବାନାର୍ଜୀ ଅଧିକ ବର୍ଷ ଧରି କ୍ଷମତାରେ ରହିବାର ରେକର୍ଡ ସୃଷ୍ଟି କରିବେ। ତେବେ କୁନାଲଙ୍କ ଏଭଳି ବୟାନ ପରେ ଅପରୂପାଙ୍କ ଏଭଳି ଟ୍ବିଟ ଏବେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର