ଯାହାକୁ ଚାଲିବା ଶିଖାଇଲି ସେ ମୋତେ ଚାପି ଚାଲିଗଲା: ଶିବପାଲ

ଲଖନଉ: ଯାହାକୁ ଚାଲିବା ଶିଖାଇଲି ସେ ମୋତେ ଚାପି ଚାଲିଗଲା | ଆଜି କିଛି ଏଭଳି ଢଙ୍ଗରେ ନିଜ ପୁତୁରାଙ୍କୁ ଟାର୍ଗେଟ କରିଛନ୍ତି ଶିବପାଲ ଯାଦବ | ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ତାଙ୍କ କକେଇ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ ଆକ୍ରମଣ କରିଛନ୍ତି। ନିଜର ଯନ୍ତ୍ରଣା ପ୍ରକାଶ କରି ସେ କହିଛନ୍ତି ଯେ ଯାହାକୁ ସେ ଚାଲିବା ଶିଖେଇଥିଲେ, ସେ ତାଙ୍କୁ ଚାପି ଚାଲିଛି। ଇଦ୍ ଅବସରରେ ଶିବପାଲ ଯାଦବଙ୍କ ପୂର୍ବରୁ ଆଜାମ ଖାନ ମଧ୍ୟ ତାଙ୍କ ପୁଅର ଟ୍ୱିଟର ହ୍ୟାଣ୍ଡେଲ ସାହାଯ୍ୟରେ ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି।

ଶିବପାଲ ଲେଖିଛନ୍ତି, ମୋର ସମ୍ମାନର ସର୍ବନିମ୍ନ ସ୍ତରକୁ ଯାଇ ମୁଁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲି! ଏହା ସତ୍ତ୍ୱେ ଯଦି ମୁଁ ନାରାଜ ଅଛି ତେବେ ଆପଣ ଜାଣିପାରୁଥିବେ, ସେ ମୋ ହୃଦୟକୁ କେତେ ପରିମାଣରେ ଆଘାତ ଦେଇଥିବେ! ମୁଁ ତାଙ୍କୁ ଚାଲିବା ଶିଖାଇଥିଲି, କିନ୍ତୁ ସେ ମତେ ଚାପି ଚାଲିଛନ୍ତି’ | ସୂଚନା ମୁତାବକ ମୁଲାୟମ ସିଂହ ଯାଦବଙ୍କ ପାରିବାରିକ ରାଜନୀତିକୁ ନେଇ ଅଖିଳେଶ ଓ ଶିବପାଲଙ୍କ ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ | ୨୦୧୭ ମସିହାରେ ଅଖିଳେଶ ଓ ଶିବପାଲ ଅଲଗା ହୋଇଯାଇଥିଲେ |

ଶିବପାଲ ଯାଦବ ତାଙ୍କର ନୂତନ ଦଳ ଗଠନ କରିଥିଲେ। କିନ୍ତୁ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଶିବପାଲ ବଡ଼ ଭାଇ ମୁଲାୟମ ସିଂ ଯାଦବଙ୍କ ନିର୍ଦ୍ଦେଶରେ ରାଜି ହୋଇଥିଲେ। ୧୦୦ ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ଶିବପାଲଙ୍କୁ ଅଖିଳେଶ କେବଳ ଗୋଟିଏ ଆସନ ଦେଇଥିଲେ ଏବଂ ସାଇକେଲ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସର୍ତ୍ତ ରଖିଥିଲେ | ସେବେଠାରୁ ଶିବପାଲ ଅପମାନିତ ଅନୁଭବ କରୁଛନ୍ତି। ନିର୍ବାଚନରେ ​​ଏସପିର ପରାଜୟ ପରେ ଅଖିଳେଶ ଏବଂ ଶିବପାଲଙ୍କ ଦୂରତା ପୁଣି ଥରେ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର