ପ୍ରବଳ ଗରମ ଯୋଗୁଁ ଚଳିତ ବର୍ଷ କମିବ ଭାରତର ଗହମ ଉତ୍ପାଦନ, ପ୍ରଭାବିତ ହେବ ରପ୍ତାନି

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ବଜାରରେ ଗହମ ଅଭାବ ଦେଖାଦେଇଛି ।  ଫଳରେ ଗହମର ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତ ବିଶ୍ବର ୨ୟ ବୃହତ୍ତମ ଗହମ ଉତ୍ପାଦନକାରୀ ହୋଇଥିବାରୁ ଗହମ ରପ୍ତାନିକରି ଲାଭବାନ ହେବାକୁ ଭାରତ ଆଶା ରଖିଥିଲା । କିନ୍ତୁ ଏହି ଆଶା ଏବେ ନିରାଶାରେ ପରିଣତ ହେବାକୁ ଯାଉଛି । କାରଣ ଏବର୍ଷ ପ୍ରବଳ ଗରମ ଯୋଗୁଁ ଦେଶର ଗହମ ଉତ୍ପାଦନ କମିବାର ଆଶଙ୍କା ଜଳ ଜଳ ଦେଖାଗଲାଣି । ଏଣୁ ଦେଶର ଆବଶ୍ୟକତା ମେଣ୍ଟାଇବା ପରେ ରପ୍ତାନି ପାଇଁ କେତେ ବଳିବ ତାହାକୁ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୭.୮୫ ନିୟୁତ ଟନ ଗହମ ରପ୍ତାନି କରିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୭୫ ପ୍ରତିଶତ ଅଧିକ । ଚଳିତ ଆର୍ଥିକ ବର୍ଷ ପ୍ରାୟ ୧୨ ନିୟୁତ ଟନ ଗହମ ରପ୍ତାନି କରିବାକୁ ଭାରତ ଲକ୍ଷ୍ୟ ରଖିଥିଲା । କିନ୍ତୁ ଗ୍ରୀଷ୍ମପ୍ରବାହ ସବୁ ବିଗାଡ଼ି ଦେଇଛି ।

ଭାରତରେ ଗହମ ଫସଲ ପାଇଁ ମାର୍ଚ୍ଚ ମାସଟି ବେଶ ଗୁରୁତ୍ବପୂର୍ଣ୍ଣ ରହିଥାଏ । କାରଣ ମାର୍ଚ୍ଚ ମାସରେ ଗହମ ଫସଲର ଦାନା କୋମଳ ଅବସ୍ଥାରୁ କଠିନ ହେବା ଆରମ୍ଭ କରିଥାଏ । ଅତ୍ୟଧିକ ଗରମ ବାତାବରଣ ଏହି ପ୍ରକ୍ରିୟା ପାଇଁ ବାଧକ ସାଜିଥାଏ । କିନ୍ତୁ ଏବର୍ଷ ମାର୍ଚ୍ଚରୁ ହିଁ ଦେଶରେ ଗରମ ହେବା ଆରମ୍ଭ କରିଥିଲା । ଗତ ୧୨୧ ବର୍ଷ ୨୦୨୨ର ମାର୍ଚ୍ଚ ମାସ ହିଁ ସବୁଠାରୁ ଉତ୍ତପ୍ତଥିଲା । ଏଣୁ ଏହା ଗହମ ଫସଲକୁ ପ୍ରଭାବିତ କରିଛି ।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଚଳିତ ବର୍ଷ ଗହମ ଉତ୍ପାଦନ ୧୧୧ ନିୟୁତ ଟନ ରହିବ, କିନ୍ତୁ ମାର୍ଚ୍ଚ ଗରମ ପରେ ଏହା ୬ ପ୍ରତିଶତ କମି ୧୦୫ ନିୟୁତ ଟନକୁ ହ୍ରାସ ପାଇବାର ସମ୍ଭାବନା ରହିଛି ।

 

 

ସମ୍ବନ୍ଧିତ ଖବର