‘୮୩ ମୃତଶରୀର ବର୍ତ୍ତମାନ ସୁଧା ଚିହ୍ନଟ ହୋଇ ପାରିନାହିଁ, ସେଥିମଧ୍ୟରୁ ୫୦ଟିର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି’

ମୃତ ଶରୀର ନେବାକୁ ଆସିଥିବା ପରିବାର ଲୋକଙ୍କ ପାଇଁ ରହିବା, ଖାଇବାର ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି

ଭୁବନେଶ୍ବର: ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ।

ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ସେଥିମଧ୍ୟରୁ ୫୦ଟି ମୃତଶରୀରର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି। ବର୍ତ୍ତମାନ ସୁଧା ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ଶେଷ କଲର ଯାଞ୍ଚ୍‌ ହେଉଛି। ଦୁର୍ଘଟଣା ପୂର୍ବରୁ ଯେଉଁମାନେ ଫୋନରେ କଥା ହୋଇଛନ୍ତି ଏବଂ ପରେ ମୋବାଇଲ କେଉଁ ଲୋକେସନରେ ଥିଲା ତାହା ଯାଞ୍ଚ୍‌ ହେଉଛି। କିଏ କଥା ହୋଇଥିଲା। କାହାକୁ କଲ କରାଯାଇଥିଲା। ସେସବୁ ମଧ୍ୟ ଯାଞ୍ଚ କରାଯାଉଛି।’

ଏହାଛଡ଼ା ସେ ଆହୁରି ବି କହିଛନ୍ତି ଯେ ଏଭଳି ବିଭିନ୍ନ ପର୍ଯ୍ୟାୟ ଯାଞ୍ଚ ପରେ ହିଁ ମୃତ ଶରୀର ହସ୍ତାନ୍ତର ହେଉଛି। ମୃତ ଶରୀର ନେବାକୁ ଆସିଥିବା ପରିବାର ଲୋକଙ୍କ ପାଇଁ ରହିବା, ଖାଇବାର ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି। ଲଗାତାର ଭାବେ ଦୁଇ ଦିନ ଧରି ଖବର ଆସୁଛି ଗୋଟିଏ ମୃତ ଦେହକୁ ଏକାଧିକ ଦାବିଦାର ଥିବା ନଜରକୁ ଆସିଛି। ତେବେ ବୈଜ୍ଞାନି ପଦ୍ଧତିରେ ଯାଞ୍ଚ୍‌ ପରେ ହିଁ ମୃତ ଶରୀର ହସ୍ତାନ୍ତର କରାଯିବ।

ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହୋଇଛି। ଏହା ବାଦ୍‌ ଇଞ୍ଜିନ୍‌, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଥି ସହିତ ମୃତକ ଯାତ୍ରୀମାନଙ୍କ ପରିଜନଙ୍କୁ ଓ ଆହତମାନଙ୍କୁ କ୍ଷତିପୂରଣ ପାଇଁ ରେଳବାଇକୁ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।

 

ସମ୍ବନ୍ଧିତ ଖବର