ମୋଦୀଙ୍କ ମୁହଁରେ ନବୀନ ଓ ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ଆକାଶମାର୍ଗରୁ ସର୍ଭେ କରାଯାଇଛି। ୧୪ ହଜାର ଗାଁ ପ୍ରଭାବିତ ହୋଇଛି। ବାତ୍ୟା ପୂର୍ବରୁ ରାଜ୍ୟ ସରକାର ପୂରା ପ୍ରସ୍ତୁତି ସହ କାମ କରିଛନ୍ତି। ପ୍ରଶାସନ କଥା ମାନିଥିବାରୁ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ ଓଡିଶା ଲୋକେ, ମତ୍ସ୍ୟଜୀବୀମାନେ ପ୍ରଶାସନ କଥା ମାନିଥିଲେ। ପ୍ରଶାସନ କଥା ମାନି ନିଜ ନିଜ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳକୁ ଯାଇଥିଲେ। ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କିଛି ଛୋଟ କଥା ନୁହେଁ। ରାଜ୍ୟ ସରକାରଙ୍କ ଏଭଳି ଏକ ବଡ଼ ପଦକ୍ଷେପ ପାଇଁ ବହୁତ କମ ଲୋକଙ୍କ ଜୀବନ ଗଲା। କୋଠା ଭାଙ୍ଗିଛି, କୋଠା ତିଆରି ହୋଇଯିବ। କିନ୍ତୁ ଜୀବନ ବଞ୍ଚିଯିବା ବଡ କଥା ବୋଲି ମୋଦୀ କହିଛନ୍ତି। ଏବେ ପାଣି, ବିଜୁଳି ଏବଂ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ନବୀନ ସରକାର ବହୁତ ଭଲ ଯୋଜନା କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଭୟଙ୍କର ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବ ପରେ ଛାରଖାର ହୋଇଯାଇଛି ଉପକୂଳ ଓଡ଼ିଶା। ବାତ୍ୟା ଚାଲିଯାଇଛି ସତ, କିନ୍ତୁ ଯେଉଁ ଚିହ୍ନ ଛାଡ଼ିଯାଇଛି, ତାହା କେବେ ଯେ ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ। ଓଡ଼ିଶାର ହାତମୁଠାକୁ ଆହୁରି ଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ପକ୍ଷରୁ ପୂର୍ବରୁ ସହାୟତା ରାଶି ଘୋଷଣା କରାଯାଇଛି। ତେବେ ଆଜି ଦିନିକିଆ ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ପରେ ଓଡିଶାକୁ ଆଉ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ମୋଦିଙ୍କ ଏହି ବଡ଼ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେପଟେ ବାତ୍ୟା ଫୋନିରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ରାଜ୍ୟ ସରକାର। ଯାହା ସାରା ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବାତ୍ୟାରେ କ୍ଷୟକ୍ଷତି ହୋଇଛି ସତ, କିନ୍ତୁ ୯୯ ମହାବାତ୍ୟା ଭଳି ଏଥର ସେହି ପରିମାଣରେ ଜୀବନ ହାରିନାହାନ୍ତି ଲୋକେ। ଆଉ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧିତ ଖବର