ନାଗପୁର: ଗତ କିଛି ଦିନ ହେଲା ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଅନ୍ତର୍ଗତ ଲୋନାର୍ କ୍ରାଟର ଅଭୟାରଣ୍ୟ ହ୍ରଦ ନିଜର ରଙ୍ଗ ବଦଳାଇ ଗୋଲାପି ରୂପ ନେବା ସମସ୍ତଙ୍କୁ ବିସ୍ମିତ କରିଛି। ଦୀର୍ଘ ୫୬ ହଜାର ବର୍ଷର ଏହି ପୁରୁଣା ହ୍ରଦ ଏପରି ହଠାତ୍ ରଙ୍ଗ ପରିବର୍ତ୍ତନ କରିବାର କାରଣ ସମ୍ପ୍ରତି ପରିବେଶବିତ୍, ପ୍ରକୃତିପ୍ରେମୀ, ସାମାଜିକ ଗଣମାଧ୍ୟମ ଓ ବନବିଭାଗ ପାଇଁ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, ୩.୬୬ ବର୍ଗ କିମି ଆୟତନ ବିଶିଷ୍ଟ ଲୋନାର ଅଭୟାରଣ୍ୟରେ ଅବସ୍ଥିତ ଏହି ୭୭.୬୯ ହେକ୍ଟର ପରିମିତ ହ୍ରଦଟି ଦାକ୍ଷିଣାତ୍ୟ ମାଳଭୂମିର ଅଂଶବିଶେଷ। ମୁମ୍ବାଇଠାରୁ ୫୦୦ କିମି ଦୂରରେ ଥିବା ଏହି ମନୋରମ ସ୍ଥଳଟି ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଆଜିଠୁ ୫୬ ହଜାର ହଜାର ବର୍ଷ ତଳେ ଉଲ୍କା/ଗ୍ରହାଣୁ ପିଣ୍ତ ମାଡ଼ ଦ୍ବାରା ସୃଷ୍ଟ ହୋଇ ବିଶ୍ବର ସବୁଠୁ ବଡ଼ ଆଗ୍ନେୟ ଶିଳାର ମାନ୍ୟତା ରଖିଥିବା ଏହି ହ୍ରଦ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଅଭିଯାତ୍ରୀଙ୍କ ସମେତ ବିଭିନ୍ନ ବୈଜ୍ଞାନିକମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଅବଶ୍ୟ ମଧ୍ୟପ୍ରଦେଶର ଧାଲା ଓ ରାଜସ୍ଥାନର ରାମଗଡ଼ରେ ଅନୁରୂପ ଭାବେ ସୃଷ୍ଟ ଦୁଇଟି ହ୍ରଦ ରହିଛି। ମାତ୍ର ସେମାନେ ବୁଲଧାନା ଜିଲ୍ଲାର ହ୍ରଦ ପରି ସେତେ ଲୋକପ୍ରିୟ ହୋଇପାରିନାହାନ୍ତି। ତେବେ ଏହି ହ୍ରଦରେ ଦେଖାଦେଇଥିବା ଏପରି ପ୍ରାକୃତିକ ରଙ୍ଗ ପରିବର୍ତ୍ତନର କାରଣ ଜାଣିବା ପାଇଁ ଏହାର ଜଳ ଓ ମାଟିକୁ ପରୀକ୍ଷା ପାଇଁ ପଠାଯାଇଛି। ତେବେ କିଛି ବିଶେଷଜ୍ଞଙ୍କ ମତରେ, ଏହି ଲୋନାର ହ୍ରଦର ଜଳ ଭୀଷଣ ମାତ୍ରାରେ କ୍ଷାରୀୟ ହୋଇଥିବାରୁ ଏହା କାର୍ବୋନେଟ୍ ଲବଣରେ ପରିପୂର୍ଣ୍ଣ ଥିବା ସ୍ପଷ୍ଟ ଅନୁମେୟା ଏହି କାରଣରୁ ସେଠାକାର ଅତିଶୟ କ୍ଷାରୀୟ ପରିବେଶକୁ ସହ୍ୟ କରିପାରୁଥିବା ହାଲୋବାକ୍ଟୋରିଆସି ପ୍ରଜାତିର ବୀଜାଣୁଙ୍କର ବଂଶବୃଦ୍ଧି ଘଟିଛି। ଏହି ବୀଜାଣୁଗୁଡି଼କ ସୂର୍ଯ୍ୟକିରଣକୁ ଶୋଷଣ କରି ଗୋଲାପି–ନାଲିଆ ରଙ୍ଗର ଏକପ୍ରକାର ପ୍ରାକୃତିକ ଉପାଦାନ ଛାଡି଼ଥାନ୍ତି। ସୁତରାଂ ବହୁଳ ସଂଖ୍ୟାର ଏଭଳି ବୀଜାଣୁଙ୍କ ଏହି ପ୍ରକ୍ରିୟା ଯୋଗୁଁ ଜଳର ରଙ୍ଗ ଏପରି ଗୋଲାପି ହୋଇଥିବ ବୋଲି ଅନୁମାନ କରାଯାଉଛିା ସେହିପରି ଇରାନ୍ର ଉମ୍ରିଆ ହ୍ରଦରେ ମଧ୍ୟ ଅନୁରୂପ ପ୍ରାକୃତିକ ପ୍ରକ୍ରିୟା ଦେଖାଦେଇଥିବା ଜଣାଯାଇଛିା ସେଠାକାର ସ୍ଥିତିକୁ ଅନୁଧ୍ୟାନ କରି ବୈଜ୍ଞାନିକମାନଙ୍କ ମତ ହେଲା, ଶୁଷ୍କ ଋତୁରେ ହ୍ରଦର ଜଳସ୍ତର କମିଯିବା ଯୋଗୁଁ ଏହାର ଲବଣାକ୍ତ ବଡ଼ିଯାଇଥାଏା ଏପରି ଲବଣାକ୍ତ ବୃଦ୍ଧି ଓ ଉଷ୍ଣ ଜଳ ହିଁ ଡନାଲିଏଲ୍ଲା ନାମକ ଏକପ୍ରକାରର ଶୈବାଳ ସୃଷ୍ଟି କରିଥାଏ।