ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରିସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି। ସମ୍ମିଳିତ ଅତିଥିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ।
ଗତ ନଅବର୍ଷ ମଧ୍ୟରେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ପଦକ୍ଷେପକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ବିଶ୍ୱର ସବୁଠାରୁ ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି। ଦେଶ ପ୍ରଯୁକ୍ତି ବିଦ୍ୟାର ଯଥାସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ଆଣିବା ସହ ଏହାକୁ ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି । ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ । ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି ।
ସେ ଜେଏଏମ୍ (ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ) କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ ଭାଗ ବାସ୍ତବିକ ଦେୟ ପଇଠ କାର୍ଯ୍ୟ ଭାରତରେ ହିଁ ହୋଇଥାଏ । ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟିକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି।
କାର୍ଯ୍ୟକାରୀ ଗୋଷ୍ଠୀ ଏକ ଜି-୨୦ ଆଭାସୀ ବୈଶ୍ୱିକ ଡିଜିଟାଲ ଜନ ଭିତ୍ତିଭୂମି ଭଣ୍ଡାର ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । ଏକ ଜନ ସାଧାରଣର ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଉତ୍ତମ ଡିଜିଟାଲ ବାତାବରଣ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ସେ ମଧ୍ୟ ଡିଜିଟାଲ କୌଶଳ ଓ ଆଭାସୀ ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଦେଶ ଦେଶ ମଧ୍ୟରେ ଏକ ରୋଡ ମ୍ୟାପ ତିଆରିର ମଧ୍ୟ ସ୍ୱାଗତ କରିଥିଲେ । ଭବିଷ୍ୟତ ପାଇଁ ସୃଷ୍ଟି ହେଉଥିବା ମାନବ ସମ୍ବଳ ନିମନ୍ତେ ଏପରି ଉଦ୍ୟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ଅର୍ଥ ବ୍ୟବସ୍ଥା ବୈଶ୍ୱିକ ହେବା ସହ ଏହା ପ୍ରତି ସୁରକ୍ଷାଗତ ଆତଙ୍କ ମଧ୍ୟ ରହିଛି । ସେ ଦୃଷ୍ଟିରୁ ଜି-୨୦ଉଚ୍ଚସ୍ତରୀୟ ଓ ନୀତିଗତ ସହମତି ଦ୍ୱାରା ଏକ ସୁରକ୍ଷିତ, ଆସ୍ଥାଭାଜନକାରୀ ଓ ନମନୀୟ ଡିଜିଟାଲ ଅର୍ଥ ବ୍ୟବସ୍ଥା କାଏମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମାନବ ସମାଜ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ପ୍ରଯୁକ୍ତିଜ୍ଞାନ ଦ୍ୱାରା ସମାଧାନ କରି ହେବ । ଆମ ପାଇଁ ଏହା ସାକାର କରିବାକୁ ଚାରିଟି ‘ସି’ ଆବଶ୍ୟକ। ତାହାହେଲା କନଭିକସନ(ଦୃଢ଼ତା), କମିଟ୍ମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ-ଅର୍ଡିନେସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା) ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ । ଏ ଦିଗରେ କାର୍ଯ୍ୟକାରୀ ଗୋଷ୍ଠୀ ଆମକୁ ଆଗକୁ ଆଗକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।