ବିଦେଶ ମାଟିରେ ମୁଁ ନୁହେଁ, ପ୍ରଧାନମନ୍ତ୍ରୀ ଭାରତକୁ ଅପମାନିତ କରିଛନ୍ତି: ରାହୁଲ ଗାନ୍ଧି

ଲଣ୍ଡନ : ବିଦେଶ ମାଟିରେ ମୁଁ ନୁହେଁ ପ୍ରଧାନମନ୍ତ୍ରୀ ଭାରତକୁ ଅପମାନିତ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଇଂଲଣ୍ଡର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେଇ ମୋଦୀ ସରକାରକୁ ଟାର୍ଗେଟ୍‌ କରିଥିଲେ ରାହୁଲ। ଏହାକୁ ନେଇ ବିଜେପି ଅସନ୍ତୋଷ ବ୍ୟକ୍ତ କରିବା ସହ ବିଦେଶ ମାଟିରେ ଭାରତ ବିରୋଧରେ କହିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି କହିଥିଲା।

ଏହା ଉପରେ ପ୍ରତିକ୍ରିୟା ରଖି ଲଣ୍ଡନରେ ଥିବା ଭାରତୀୟ ସାମ୍ବାଦିକ ସଂଘକୁ ରାହୁଲ କହିଛନ୍ତି ଯେ, “ମୁଁ ମୋ ଦେଶକୁ କେବେ ବଦନାମ କରି ନାହିଁ। ଏହା କରିବାର ଆଗ୍ରହ ମଧ୍ୟ ନାହିଁ ଏବଂ ଏହା ମୁଁ କେବେବି କରିବି ନାହିଁ। ହେଲେ ବିଜେପି ମୋ କଥାକୁ ଭୁଲ ଭାବରେ ଲୋକଙ୍କ ପ‌ାଖକୁ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଟିଆରପି ପାଇଁ ଗଣମାଧ୍ୟମ ମଧ୍ୟ ମୋ କଥାର ଭିନ୍ନ ଅର୍ଥ ବାହାର କରୁଛି। କିନ୍ତୁ ପ୍ରକୃତ କଥା ହେଉଛି ଯିଏ ବିଦେଶ ଗଲାବେଳେ ଭାରତକୁ ବଦନାମ କରନ୍ତି ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ”

ସେ ଆହୁରି କହିଛନ୍ତି, “ଆପଣ ତାଙ୍କ ଭାଷଣ ଶୁଣି ନାହାଁନ୍ତି କି, ଯେଉଁଥିରେ ସେ କହିଛନ୍ତି ୭୦ବର୍ଷ ମଧ୍ୟରେ ଭାରତରେ କିଛି ଘଟିନାହିଁ? ଏଭଳି କହି ସେ ପ୍ରତ୍ୟେକ ଭାରତୀୟଙ୍କୁ ଅପମାନିତ କରିବା, ପ୍ରତ୍ୟେକ ଭାରତୀୟ ପିତାମାତା ଏବଂ ଜେଜେବାପାମା’ଙ୍କୁ ଅପମାନିତ କରିବା କାମ କରିଛନ୍ତି। ଏଭଳି କହିବା ବେଳେ ସେ ୧୦ବର୍ଷ ମଧ୍ୟରେ ଭାରତକୁ ଆଗକୁ ନେଇଥିବା ଲୋକଙ୍କ କଥା ଭୁଲିଯାଇଥିଲେ। ତେଣୁ ମୁଁ ନୁହେଁ ସେ ହିଁ ଭାରତକୁ ବିଦେଶ ମାଟିରେ ଅପମାନିତ କରିଛନ୍ତି।”

ଉଲ୍ଲେଖଯୋଗ୍ୟ, କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ସମୟରେ ରାହୁଲ କହିଥିଲେ ଭାରତୀୟ ଗଣତନ୍ତ୍ର ପାଇଁ ଆବଶ୍ୟକ ସଂସ୍ଥାଗତ ଢାଞ୍ଚା ବାଧାପ୍ରାପ୍ତ ହୋଇଛି ଏବଂ ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ବିପଦରେ ରହିଛି। ସରକାର ମୋ ବିରୋଧରେ ଗୁଇନ୍ଦାଗିରି କରିବାପାଇଁ ପେଗାସସ୍‌ ସଫ୍ଟୱେର ବ୍ୟବହାର କରିଛନ୍ତି । ମୋ ପାଖରେ ଥିବା ଫୋନ୍‌ରେ ପେଗାସସ୍‌ ଥିଲା। ଅନେକ ରାଜନେତାଙ୍କ ଫୋନ୍‌ରେ ମଧ୍ୟ ପେଗାସସ୍‌ ଥିଲା। ମୁଁ ଫୋନ୍‌ରେ କଥା ହେବା ସମୟରେ ଅତ୍ୟନ୍ତ ସାବଧାନତାର ସହ କଥା ହେବାକୁ ମତେ କୁହାଯାଇଥିଲା ବୋଲି ରାହୁଲ କହିଥିଲେ।

ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ପେଗାସସ୍‌ ରାହୁଲଙ୍କ ଫୋନ୍‌ରେ ନାହିଁ, ତାଙ୍କ ମସ୍ତିଷ୍କରେ ରହିଛି। ରାହୁଲ ଗାନ୍ଧି ବିଦେଶ ମାଟିରେ ଭାରତ ବିରୋଧରେ କହିବାକୁ ଏକ ଅଭ୍ୟାସରେ ପରିଣତ କରିନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସାରା ବିଶ୍ବରେ ଭାରତ ପ୍ରତି ସମ୍ମାନ ବଢ଼ିଥିବାରୁ ରାହୁଲ ଏହାକୁ ସହ୍ୟ କରିପାରୁ ନାହାନ୍ତି। ଯଦି ତାଙ୍କ ଫୋନ୍‌ରେ ପେଗାସସ୍‌ ଥିଲା ବୋଲି ରାହୁଲ କହିଛନ୍ତି ତା’ହେଲେ ଏହାର ଯାଞ୍ଚ ପାଇଁ ଫୋନ୍‌ ଜମା କଲେନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର