କାର୍ତ୍ତିଙ୍କ ବିଦେଶ ଯାତ୍ରା ଅନୁମତି ଆବେଦନକୁ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କେତେକ ଅପରାଧିକ ମାମଲାରେ ସମ୍ମୁଖୀନ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ବିଦେଶ ଯାତ୍ରା ପାଇଁ କରିଥିବା ଆବେଦନର ଜରୁରୀ ଭିତ୍ତିରେ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ ଅଗ୍ରାହ୍ୟ କରି ଦେଇଛନ୍ତି।

ଏ ସପ୍ତାହ ଶେଷରେ କାର୍ତ୍ତି ବିଦେଶ ଯାତ୍ରା କରିବାକୁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁମତି ମାଗିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ କି, କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିଦେଶ ଯାତ୍ରା ମାମଲା ଜରୁରୀ ମାମଲା ହୋଇ ନ ଥିବାରୁ ଜରୁରୀ ଭିତ୍ତିରେ ଶୁଣାଣି ଅନାବଶ୍ୟକ।

କାର୍ତ୍ତିଙ୍କ ଓକିଲ ଅନୁରୋଧ କରିବାରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଲେ: ଯାଅ ନାହିଁ… ଭାରତରେ ରୁହ।

ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ଓ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସମ୍ପୃକ୍ତ କାର୍ତ୍ତିଙ୍କୁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛନ୍ତି। ଏ ବର୍ଷ ଜୁଲାଇ ମାସରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ପ୍ରାୟ ଗୋଟିଏ ସପ୍ତାହ ସକାଶ ଇଂଲଣ୍ଡ, ଫ୍ରାନ୍‌ସ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରିବାକୁ ଅନୁମତି ଦେଇଥିଲେ।

ସେ ପୁଣି ଥରେ ବିଦେଶ ଗସ୍ତରେ ଯିବାକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି ମାଗିବାରୁ କୋର୍ଟ ସ୍ପଷ୍ଟ କରି ଦେଲେ ଯେ ଏହା ଜରୁରୀ ଭିତ୍ତିରେ ଶୁଣା ହେବା ପରି ମାମଲା ନୁହେଁ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ଗୁରୁତ୍ୱ ଦେଇ କହିଲେ: ଆସନ୍ତାକାଲି ଶୁଣାଣି ପାଇଁ ରଖିବା ନିମନ୍ତେ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିଦେଶ ଯାତ୍ରା ଏକ ମାମଲା ନୁହେଁ।

ସମ୍ବନ୍ଧିତ ଖବର