କଂଗ୍ରେସ ଚାପରେ ନରମିଲେ ସିଦ୍ଧୁ

ନୂଆଦିଲ୍ଲୀ : ପଞ୍ଜାବ ମନ୍ତ୍ରୀ ନବ୍‌ଜୋତ ସିଂହ ସିଦ୍ଧୁ ‘କ୍ୟାପ୍‌ଟେନ୍‌’ ବୟାନକୁ ନେଇ ଏତେ ହଟହଟା ହେବେ ବୋଲି ଜାଣିନଥିଲେ। କ୍ୟାପଟେନ୍‌ ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ସହ ନିଜ ଦଳରେ ମଧ୍ୟ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଲା। ପଞ୍ଜାବର ବହୁ ମନ୍ତ୍ରୀ ସିଦ୍ଧୁଙ୍କ ଇସ୍ତଫା ଦାବି କରିବା ପରେ ସିଦ୍ଧୁ ଆଜି ନରମ ପଡ଼ିଛନ୍ତି। ଏମିତି କି କଂଗ୍ରେସ ପକ୍ଷରୁ ମଧ୍ୟ ତାଙ୍କୁ ତାଗିଦ୍‌ କରାଯାଇଛି। ଶେଷରେ ସିଦ୍ଧୁ ନରମ ପଡ଼ି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କ୍ୟାପ୍‌ଟେନ ଅମରିନ୍ଦର ସିଂହ ଜଣେ ପିତୃତୁଲ୍ୟ ବ୍ୟକ୍ତି। ତାଙ୍କୁ ସେ ଭଲପାଆନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି। ଏଭଳି ଏକ ପ୍ରସଙ୍ଗରେ ସେ ସିଧାସଳଖ ଭାବେ କ୍ୟାପଟେନ୍‌ ଅମରିନ୍ଦରଙ୍କ ସହ ଆଲୋଚନା କରିବେ ଏବଂ ବ୍ୟକ୍ତିଗତ ସ୍ତରରେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି। ସୂଚନାନୁାୟୀ କଂଗ୍ରେସ ପକ୍ଷରୁ ସିଦ୍ଧୁଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଅମରିନ୍ଦର ସିଂହ ହିଁ ସିଦ୍ଧୁଙ୍କ ବସ୍‌ ଏବଂ ବସ୍‌ଙ୍କ ବିରୋଧରେ ସେ ଏଭଳି ବୟାନ ଦେଇପାରିବେନି ବୋଲି କଂଗ୍ରେସ ପକ୍ଷରୁ କୁହାଯିବା ପରେ ସିଦ୍ଧୁ ନରମ ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର