ବଦଳିଲା ହୋଶଙ୍ଗାବାଦ ରେଳଷ୍ଟେସନର ନାମ, ନୂଆ ନାମ ହେଲା ‘ନର୍ମଦାପୁରମ’

ଭୋପାଳ: ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନ ହବିବଗଂଜ ପରେ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରିଛି। ପୂର୍ବରୁ ହୋଶଙ୍ଗାବାଦ ଜିଲ୍ଲା ପୂର୍ବରୁ ନର୍ମଦାପୁରମ ନାମରେ ନାମିତ ହୋଇସାରିଥିବାବେଳେ ବର୍ତ୍ତମାନ ରେଳ ଷ୍ଟେସନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଷ୍ଟେସନର ନାମ ବଦଳାଇବା ସହିତ କୋଡ୍ ମଧ୍ୟ ପରିବର୍ତ୍ତନ କରାଯାଇଛି | ପଶ୍ଚିମ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନ ଏହି ଷ୍ଟେସନ୍ “ନର୍ମଦାପୁରମ” ଭାବରେ ପରିଚିତ ହେବ | ସୂଚନାଯୋଗ୍ୟ ଯେ, ଯେହେତୁ ରାଜ୍ୟ ସରକାର ହୋଶଙ୍ଗାବାଦ ଜିଲ୍ଲାର ନାମ ନର୍ମଦାପୁରମ୍ ବୋଲି ଘୋଷଣା କରିଥିଲେ, ସେତେବେଳେ ହୋଶଙ୍ଗାବାଦ ଷ୍ଟେସନର ନାମକୁ ନର୍ମଦାପୁରମରେ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା। ଯାହା ପରେ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି |

ଉଲ୍ଲେଖ ଥାଉ କି ଯେ ୨୦୨୧ ମସିହାରେ ହବିବଗଞ୍ଜ ଷ୍ଟେସନର ନାମ ବଦଳାଇ ରାନୀ କମଲାପତି ଷ୍ଟେସନ କରାଯାଇଥିଲା | ଉଲ୍ଲେଖ ଥାଉ କି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାସ୍ତାରେ ମଧ୍ୟପ୍ରଦେଶର ସରକାର ଏବେ ସହର ଏବଂ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରୁଛନ୍ତି । ଇତିହାସରେ ଲିପିବଦ୍ଧ ହୋଇଥିବା ଏହି ସହରଗୁଡ଼ିକର ପୁରୁଣା ପରିଚୟକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫେରାଉଛନ୍ତି। ଏହି ପର୍ଯ୍ୟାୟରେ, ମଧ୍ୟପ୍ରଦେଶର ଜୀବନରେଖା କୁହାଯାଉଥିବା ନର୍ମଦା କୂଳରେ ଅବସ୍ଥିତ ସହର ହୋଶଙ୍ଗାବାଦର ନାମ ନର୍ମଦାପୁରମରେ ପରିବର୍ତ୍ତନ କରାଯାଇଥିଲା | ଏକ ବର୍ଷ ପୂର୍ବେ, ଫେବୃଆରୀ ୮, ୨୦୨୨ରେ, ନର୍ମଦା ଜୟନ୍ତୀ ଦିନ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନର୍ମଦାପୁରମ ନାମ ନେଇ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର