କାଳ ସାଜିଲା ଝୁଲା ପୋଲ: ୧୪୦ ବର୍ଷ ପୁରୁଣା ପୋଲ, ଫିଟନେସ୍ ସାର୍ଟିଫିକେଟ୍‌ ନଥାଇ ଖୋଲି ଦିଆଯାଇଥିଲା

ମରାମତି ପରେ ୪ ଦିନ ତଳେ ଖୋଲିଥିଲା, ୟୁରୋପର ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର ହୋଇଥିଲା

ମୋର୍ବି: ଗୁଜରାଟ ମୋର୍ବି ଜିଲ୍ଲାର ମାଚ୍ଛୁ ନଦୀରେ ରବିବାର ସନ୍ଧ୍ୟାରେ ଭାଙ୍ଗି ପଡ଼ିଥିବା ପୋଲ ୧୪୦ ବର୍ଷ ତଳେ ନିର୍ମାଣ ହୋଇଥିଲା। ମୋର୍ବି ବଂଶର ଶାସକ ସାର୍‌ ବାଘଜୀ ଠାକୋରଙ୍କ ଦ୍ବାରା ନିର୍ମାଣ ହୋଇଥିବା ଏହି ପୋଲର ଲମ୍ବ ୨୩୩ ମିଟର ଏବଂ ଚଉଡ଼ା ୪.୬ ଫୁଟ। ପ୍ରାୟ ୭ ମାସ ଧରି ମରାମତି ପରେ ୪ ଦିନ ତଳେ ଖୋଲିଥିବା ଏହି ପୋଲ୍‌ ରବିବାର ରାତିରେ ଭୁଶୁଡ଼ି ପଡ଼ିବାରୁ  ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଦୀର୍ଘଦିନ ଧରି ଲୋକଙ୍କ ଯାତାୟାତ ପାଇଁ ଏହି ପୋଲ ବନ୍ଦ ଥିଲା। ତେବେ ୭ ମାସ ତଳେ ଏକ ଘରୋଇ କମ୍ପାନିକୁ ଉକ୍ତ ପୋଲର ନବୀକରଣ ଏବଂ ମରାମତି ଦାୟିତ୍ବ ଦିଆଯାଇଥିଲା। ଅକ୍ଟୋବର ୨୬ ତାରିଖ (ଗୁଜରାଟ ନବବର୍ଷ)ରେ ଉକ୍ତ ପୋଲକୁ ଘରୋଇ କମ୍ପାନି ଦ୍ବାରା ଖୋଲା ଯାଇଥିଲା। ତେବେ ଚକିତ କରିବା ଭଳି ବିଷୟ ହେଲା ମରାମତି ଓ ନବୀକରଣ ପରେ ଉକ୍ତ ପୋଲକୁ ଫିଟନେସ୍‌ ବା ଯାତାୟାତ ପାଇଁ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇ ନଥିଲା। ମୋର୍ବି ମୁନିସପାଲିଟିର ସିଇଓ ଏସ୍‌ଭି ଜାଲା ସୂଚନା ଦେଇଛନ୍ତି। ବିନା ଫିଟନେସ ପ୍ରମାଣପତ୍ରରେ ଲୋକଙ୍କ ପାଇଁ ଉକ୍ତ ପୋଲକୁ ଖୋଲି ଦିଆଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମକୁ ‌ସେ କହିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଇଞ୍ଜିନିୟରିଂ ସଂସ୍ଥାଠାରୁ କମ୍ପାନି ଫିଟ‌ନେସ୍ ପ୍ରମାଣପତ୍ର ହାସଲ କରିଥାଇପାରେ। କିନ୍ତୁ ଆଜି ସୁଦ୍ଧା ମୁନସିପାଲିଟିରେ ତାହାକୁ ଜମା କରାଯାଇନାହିଁ। ସ୍ଥାନୀୟ ପ୍ରଶାସନକୁ ନଜଣାଇ କମ୍ପାନି ସର୍ବସାଧାରଣଙ୍କ ପାଇଁ ପୋଲକୁ ଖୋଲି ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି, ସାଧାରଣତଃ ଯେତେବେଳେ ପୋଲର ନବୀକରଣ ଏବଂ ମରାମତି କରାଯାଏ ତାହାକୁ ଲୋକଙ୍କ ପାଇଁ ଖୋଲିବା ପୂର୍ବରୁ ବୈଷୟିକ ଆକଳନ ଜରୁରୀ। ପୋଲ କେତେ ଭାର ବହନ କରିବା ରଖିଛି ତାହା ପରୀକ୍ଷା ହେବାର ଆବଶ୍ୟକତା ରହିଥାଏ। ତାହାପରେ ସ୍ଥାନୀୟ କର୍ତ୍ତୃପକ୍ଷ ପୋଲ ବ୍ୟବହାର ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ କରିଥାନ୍ତି। ଏହାପରେ ହିଁ ପୋଲକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଖୋଲାଯାଇଥାଏ।

ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ
ମୋର୍ବି ଜିଲ୍ଲାର ମାଚ୍ଛୁ ନଦୀରେ ଝୁଲା ପୋଲ ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ଅହମଦାବାଦ ମ୍ୟୁନିସିପାଲ କମିସନର ରାଜ କୁମାର ବେନିୱାଲ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କେଏମ୍‌ ପଟେଲ, ବିଶିଷ୍ଟ ଇଂଜିନିୟର ଡ. ଗୋପାଳ ଟଙ୍କ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସଚିବ ସନ୍ଦୀପ ବାସବ, ସିଆଇଡି ଆଇଜି ସୁବାଷ ତ୍ରିବେଦୀ ଏହି କମିଟିର ସଦସ୍ୟ ଅଛନ୍ତି।

ୟୁରୋପର ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର ହୋଇଥିଲା

ମୋର୍ବି ବଂଶର ଶାସକଙ୍କ ଦ୍ବାରା ନିର୍ମାଣ ହୋଇଥିବା ଝୁଲା ପୋଲ ୧୪୦ ତଳ ବର୍ଷ ‌ତଳେ ପ୍ରାୟ ୧୮୮୭ ମସିହା ବେଳକୁ ନିର୍ମାଣ ହୋଇଥିଲା। ଉକ୍ତ ପୋଲ ନିର୍ମାଣରେ ସେତେବେଳେ ୟୁରୋପର ସର୍ବାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଥିଲା। ବ୍ରିଟିସ ଶାସନ ସମୟରେ ମଧ୍ୟ ଏହା ଆଧୁନିକ ପ୍ରଯୁକ୍ତିର ଏକ ପ୍ରତୀକ ପାଲଟି ଥିଲା। ରାଜା ନଦୀ ପାର ହେବା ପାଇଁ ଏହି ପୋଲ ନିର୍ମାଣ କରିଥିବା କୁହାଯାଏ। ଗତ କିଛି ବର୍ଷ ହେଲା ନିୟମିତ ଭାବେ ଏହାକୁ ମରାମତି କରାଯାଉଥିଲା। ଅକ୍ଟୋବର ୨୬ରେ ପୋଲକୁ ଖୋଲାଯିବା ପୂର୍ବରୁ ୭ ମାସ ଧରି ଏହାର ମରାମତି ହୋଇଥିଲା। ୭ ମାସ ବନ୍ଦ ରହିବା ପରେ ପୋଲ ଖୋଲଯାଇଥିବାରୁ ବହୁସଂଖ୍ୟକ ଲୋକ ଏଥିରେ ଯାତାୟାତ କରିଥିଲେ। ଦୁର୍ଘଟଣାର ଏହା ଏକ କାରଣ ବୋଲି କୁହାଯାଉଛି। ପୋଲ ମରାମତି ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଦରବାର ଗଡ଼ ପ୍ରାସାଦରୁ ଲଖଧୀରଜୀ ଇଞ୍ଜିନିୟରିଂ କଲେଜକୁ ସଂଯୋଗ କରୁଥିଲା
‌ଝୁଲା ପୋଲର ଗୋଟିଏ ପଟେ ଦରବାର ଗଡ଼ ପ୍ରାସାଦ ଥିବାବେଳେ ଅନ୍ୟ ପଟେ ଲଖଧୀରଜୀ ଇଞ୍ଜିନିୟରିଂ କଲେଜ ରହିଛି। ତେଣୁ ଏହି ଦୁଇସ୍ଥାନକୁ ଉକ୍ତ ‌ପୋଲ ‌ସଂଯୋଗ କରୁଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ପୋଲ ଭାଙ୍ଗିବା ବେଳେ କ୍ଷମତାଠାରୁ ଯଥେଷ୍ଟ ଅଧିକ ଲୋକ ଥିଲେ। ଏଥିପାଇଁ ପୋଲ ନଦୀ ଭିତରେ ଭାଙ୍ଗି ପଡ଼ିଥିଲା। ଏକ ସୂଚନା ମୁତାବକ ପୋଲର ନବୀକରଣ କାର୍ଯ୍ୟ ପାଇଁ ଓଧବଜୀ ପଟେଲଙ୍କ ମାଲିକାନାରେ ଥିବା ଓରେବା ଗ୍ରୁପ୍‌କୁ ଦିଆଯାଇଥିଲା। ଏହି ଗ୍ରୁପ ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ପାଇଥିଲା। କିନ୍ତୁ ପୋଲରେ ଲୋକ ଯାଆସ କରିବାର ୫ ଦିନ ଭିତରେ ଏହା ଭୁଶୁଡ଼ି ପଡ଼ିଛି।

ବିଜେପିକୁ ଘେରିଲେ ବିରୋଧୀ
ଗୁଜରାଟର ମୋର୍ବି ଜିଲ୍ଲାରେ ନଦୀ ଭିତରେ ଖସି ପଡ଼ିଥିବା ଝୁଲା ପୋଲ ଦୁର୍ଘଟଣା ମାମଲାରେ ବିଜେପି ଓ ଗୁଜରାଟ ସରକାରଙ୍କୁ ବିରୋଧୀ ଦଳ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ନିର୍ବାଚନ ପାଇଁ ପୋଲକୁ ଆଗୁଆ ଖୋଲି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେହିଭଳି ଦୁର୍ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର