ସାତ ଘଣ୍ଟାରେ ମରୁବାଲିରୁ ଉର୍ବର ମାଟି

ଦିନକୁ ଦିନ ବିଶ୍ବରେ ଜନସଂଖ୍ୟା ବଢ଼ିଚାଲିଥିବା ବେଳେ ଖାଦ୍ୟଶସ୍ୟର ଅଭାବ ପରିଲକ୍ଷିତ ହେଉଛି। ସେହିପରି ମାତ୍ରାଧିକ ସହରୀକରଣ ଯୋଗୁଁ ଚାଷଜମି ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଥି ସହିତ ବୃଷ୍ଟିପାତ ହ୍ରାସ ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଦିନକୁ ଦିନ ଅନୁର୍ବର ମରୁ ଇଲାକା ପରିମାଣ ବଢ଼ିଚାଲିଛି। ଅପରପକ୍ଷେ, ଅନେକ ବାଲୁକାମୟ ଜମି ଚାଷ ପାଇଁ ଅନୁପଯୋଗୀ ହୋଇ ପଡ଼ିରହିଛି। ତେବେ ଏହାର ସମାଧାନ ପାଇଁ ନରୱେର ବୈଜ୍ଞାନିକମାନେ ଏକ ଖୁସି ଖବର ଆଣିଛନ୍ତି। ନରୱେର ‘ଡେଜର୍ଟ କଣ୍ଟ୍ରୋଲ’ ନାମକ ଏକ ଷ୍ଟାଟ୍‌ଅପ୍‌ କମ୍ପାନି ମରୁଭୂମିର ଅନୁର୍ବର ବାଲିକୁ ମାତ୍ର କେଇ ଘଣ୍ଟା ଭିତରେ ଉର୍ବର ମୃତ୍ତିକାରେ ପରିଣତ କରିପାରୁଥିବା ଦାବି କରିଛି।

ସମ୍ପ୍ରତି ବାର୍ଷିକ ମରୁଭୂମୀକରଣ ହାର ୧.୩ ପ୍ରତିଶତ ରହିଛି, ଅର୍ଥାତ୍‌ ପ୍ରତି ମିନିଟ୍‌ରେ ବିଶ୍ବର ୨୩ ହେକ୍ଟର ଜମି ବନ୍ଧ୍ୟା ହେବାରେ ଲାଗିଛି। ମରୁଭୂମୀକରଣ ବିରୋଧରେ ଲଢ଼ିବା ଲାଗି ଦଶନ୍ଧି ଦଶନ୍ଧି ଧରି ଉଦ୍ୟମ ଜାରି ରହିବା ସହ କିଛି ବିକଳ୍ପ ସମାଧାନ ମଧ୍ୟ ମିଳିପାରିଛି। ତେବେ ନରୱେ ମୃତ୍ତିକା ବିଶେଷଜ୍ଞ କ୍ରିଷ୍ଟିଆନ୍‌ ଓଲିସେନ୍‌ଙ୍କ ଦ୍ବାରା ଉଦ୍ଭାବିତ ତରଳ କାଦୁଅ କଣିବା ବା ‘ଲିକ୍ବିଡ୍‌ ନାନୋ କ୍ଲେ’ (ଏଲ୍‌ଏନ୍‌ସି) ମରୁଭୂମୀକରଣ ସମସ୍ୟାର ଶ୍ରେଷ୍ଠ ସମାଧାନ ବୋଲି କୁହାଯାଉଛି। ଏହି ତରଳ କାଦୁଅ କଣିକାକୁ ମରୁବାଲି ଉପରେ ଛିଞ୍ଚିଦେଲେ ଏହା ଧୀରେ ଧୀରେ ବାଲିକଣା ଭିତରକୁ ପ୍ରବେଶ କରି ତାହାକୁ ଜଳଧାରଣକ୍ଷମ ମାଟିରେ ପରିଣତ କରିପାରୁଛି, ଯେଉଁଥିରେ ବୃକ୍ଷରାଜି ବଢ଼ିପାରିପାରୁଛନ୍ତି। ଏଭଳି ମାଟି ରୂପାନ୍ତରୀକରଣ ପ୍ରକ୍ରିୟା ମାତ୍ର ସାତ ଘଣ୍ଟା ଭିତରେ ସାଧିତ ହୋଇପାରୁଥିବା ବେଳେ ମରୁବାଲିର ଗୁଣ ସଂପୂର୍ଣ୍ଣ ଭାବେ ଉର୍ବର ମାଟି ସଦୃଶ ହୋଇପାରୁଛି। ଏହି ଜ୍ଞାନକୌଶଳର ବ୍ୟାପକ ଉପଯୋଗ ନୂଆ ନୂଆ ଚାଷକ୍ଷେତ ସୃଷ୍ଟି ସହ ଖାଦ୍ୟାଭାବ ଦୂର କରିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର