୯ ସେକେଣ୍ଡରେ ଟ୍ୱିନ୍‌ ଟାୱାର ଧ୍ୱସ୍ତ, ଆବର୍ଜନା ସଫା ପାଇଁ ୩ ମାସ ଲାଗିବ

ଦାୟୀ ୨୬ ଅଧିକାରୀ, ଜଣେ ବି ଜେଲ୍‌ ଯାଇନାହାନ୍ତି

ନୂଆଦିଲ୍ଲୀ : ନଏଡ଼ାରେ ବେଆଇନ ଭାବେ ସୁପରଟେକ୍ ସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିବା ୩୨ ଏବଂ ୨୯ ମହଲା ବିଶିଷ୍ଟ ଦୁଇଟି ବିଶାଳ ଅଟ୍ଟାଳିକା ବା ଟ୍ବିନ ଟାୱାର ରବିବାର ଦିନ ମାଟିରେ ମିଶିଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ଣ ୨ଟା ୩୦ ମିନିଟ୍‌ରେ ଅଟ୍ଟାଳିକାରେ ଖଞ୍ଜାଯାଇଥିବା ବିସ୍ଫୋରକକୁ ସକ୍ରିୟ କରାଯାଇଥିଲା। ମାତ୍ର ୯ ସେକେଣ୍ଡ ମଧ୍ୟରେ ଟ୍ବିନ୍ ଟାୱାର ଧ୍ବଂସସ୍ତୂପରେ ପରିଣତ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଏତେବଡ଼ କୋଠାକୁ ନିମିଷକ ମଧ୍ୟରେ ଜଳପ୍ରପାତ ପରି ତଳକୁ ଖସାଇ ଦିଆଯାଇଛି।

ଟେଲିଭିଜନରେ ଏହି ଦୃଶ୍ୟ ଭାରତୀୟମାନଙ୍କୁ କେବଳ ଚକିତ କରିନାହିଁ ନିରାପଦରେ ଟାୱାର ଭାଙ୍ଗିବା ନେଇ ଯେଉଁ ସଂଶୟ ସ୍ଥାନୀୟ ବାସିନ୍ଦାଙ୍କ ମନରେ ରହିଥିଲା ତାହା ମଧ୍ୟ ଦୂର ହୋଇଯାଇଛି। ଦୀର୍ଘ ୭ ମାସର କସରତ ପରେ ମୁମ୍ବାଇର ଏଡିଫାଇସ ଇଞ୍ଜିନିୟରିଂ ଦକ୍ଷିଣ ଆଫ୍ରିକାର ଏକ କମ୍ପାନି ସହ ମିଶି ୧୦୦ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉକ୍ତ କୋଠାକୁ ଧରାଶାୟୀ କରିଛନ୍ତି। ଫଳରେ ୯ ବର୍ଷ ଧରି ଉକ୍ତ ଟ୍ବିନ ଟାୱାରକୁ ସ୍ଥାନୀୟ ବାସିନ୍ଦା ଏବଂ କମ୍ପାନି ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇର ଯବନିକା ପଡ଼ିଛି।
ଉକ୍ତ ଟାୱାର ଧ୍ବଂସ ପରେ ବର୍ତ୍ତମାନ ନଏଡା କର୍ତ୍ତୃପକ୍ଷଙ୍କ ପ୍ରାଥମିକତା ପାଲଟିଛି ସେଠାରେ ପାହାଡ଼ ଭଳି ଗଦା ହୋଇଥିବା ଧ୍ବଂସାବଶେଷକୁ ଅନ୍ୟତ୍ର ସ୍ଥାନାନ୍ତର କରିବା। ପୂର୍ବରୁ ଉକ୍ତ କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନେ ସୂଚନା ଦେଇଥିଲେ ଯେ ଏହି ପ୍ରକଳ୍ପ ଭଙ୍ଗାଯିବା ଦ୍ବାରା ୫୫ ହଜାର ମେଟ୍ରିକ ଟନ୍‌ର ଡେବ୍ରିସ ବାହାରିବ। ଏହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ସମୟ ଲାଗିବ। ଦୁଇଟି ଟାୱାରରେ ୩୭୦୦ କିଗ୍ରାରୁ ଅଧିକ ବିସ୍ଫୋରକ ପାଖାପାଖି ୭୦୦୦ ଗାତ କରି ଖଞ୍ଜାଯାଇଥିଲା। ୨୦ ହଜାର ସର୍କିଟ ଲାଗିଥିଲା। ଟାୱାରଟି ଯେଭଳି କୌଣସି ପଟକୁ ନଢ଼ଳି ସିଧା ସିଧା ତଳକୁ ଖଣ୍ଡ ଖଣ୍ଡ ହୋଇ ଖସିବ ତାହାର ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ୱାଟରଫଲ୍ ପ୍ରଯୁକ୍ତିରେ ଭାଙ୍ଗିଲା
୧୦୦ କୋଟିର ବୀମା ହୋଇଥିଲା
ବେଆଇନ ନିର୍ମାଣ ହୋଇଥିଲା
ଭାଙ୍ଗିବା ପାଇଁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ

ଏହା ପୂର୍ବରୁ ସକାଳେ ସେକ୍ଟର ୯୩-ଏର ସେହି ଅଞ୍ଚଳରେ ରହୁଥିବା ପାଖାପାଖି ୭୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଗ୍ୟାସ୍ ଏବଂ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଥିଲା। ଆଖପାଖ ଅଞ୍ଚଳର ଲୋକଙ୍କୁ ସେମାନଙ୍କ ଘରକୁ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ଫେରିବା ପାଇଁ ଅନୁମତି ଦିଆଯାଇଥିଲା। ଘରକୁ ଫେରିବା ସମୟରେ ଲୋକମାନେ ଧୂଳିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ଟାୱାର ଧ୍ବଂସ ପାଇଁ ଆଜି ଅଧଘଣ୍ଟା ଲାଗି ଗ୍ରେଟର ନଏଡ଼ା ଏକ୍ସପ୍ରେସୱେର ୪୫୦ ମିଟରକୁ ନୋ-ଗୋ-‌ଜୋନ୍‌ ଘୋଷଣା କରାଯାଇଥିଲା। ବିସ୍ଫୋରଣର ୧୫ ମିନିଟ ପୂର୍ବରୁ ଏବଂ ୧୫ ମିନିଟ ପରେ ଏହି ରାସ୍ତାରେ କୌଣସି ଗାଡ଼ି ଚଳାଚଳ ଅନୁମତି ଦିଆଯାଇ ନଥିଲା। ଟ୍ବିନ୍ ଟାୱାରର ଅତି ନିକଟରେ ଏପରିକି ୮ ମିଟର ଏବଂ ୧୨ ମିଟର ଦୂରତାରେ ଅନ୍ୟ ଟାୱାରଗୁଡ଼ିକ ରହିଛି। ସେଗୁଡ଼ିକର ଯେଭଳି କୌଣସି କ୍ଷତି ନହେବ ଏବଂ ଘର ଭିତରକୁ କମ୍ ଧୂଳି ପ୍ରବେଶ କରିବ ସେଥିପାଇଁ ଟାୱାରଗୁଡ଼ିକୁ ସ୍ବତନ୍ତ୍ର କପଡ଼ାରେ ଘୋଡ଼ାଇ ରଖାଯାଇଥିଲା। ଉକ୍ତ ଟାୱାରକୁ ୪୦ ମହଲା ଲେଖାଏଁ କରିବାକୁ କମ୍ପାନି ଯୋଜନା କରିଥିଲା। କିନ୍ତୁ କୋର୍ଟ ରାୟ ଦ୍ବାରା ଏହା ନିର୍ମାଣ ହୋଇପାରି ନଥିଲା। ଏପରିକି କେତେକ ମହଲାକୁ ବିସ୍ଫୋରଣ ପୂର୍ବରୁ ପାରମ୍ପରିକ ଢଙ୍ଗରେ ଭଙ୍ଗା ଯାଇଥିଲା। ୯୦୦ରୁ ଅଧିକ ଫ୍ଲାଟ ଥିବା ଉକ୍ତ ଟାୱାର ଦୁଇଟିର ଦୁଇ ତୃତୀୟାଂଶରୁ ଅଧିକ ଫ୍ଲାଟ ବୁକ୍‌ କିମ୍ବା ବିକ୍ରି ହୋଇଥିଲା। ଏଠାରେ ଫ୍ଲାଟ ବୁକ୍ କରିଥିବା କିମ୍ବା କିଣିଥିବା ଗ୍ରାହକଙ୍କୁ ୧୨ ପ୍ରତିଶତ ସୁଧ ସହ ଅର୍ଥ ଫେରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୨ ମସିହାରେ ସୁପରଟେକ୍ ଏମରାଲ୍ଡ କୋର୍ଟ ସୋସାଇଟିର ବାସିନ୍ଦାମାନେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ। ଯେଉଁ ସ୍ଥାନରେ ଉକ୍ତ ଟାୱାର ନିର୍ମାଣ ହୋଇଛି ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଉଦ୍ୟାନ ପାଇଁ ଯୋଜନା ରହିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଉକ୍ତ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନରେ ଅନିୟମିତତା ଦେଖିବାକୁ ମିଳିଥିଲା। ଏଥିପାଇଁ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ମଧ୍ୟ ନିଆଯାଇଥିଲା। ୨୦୧୪ ମସିହାରେ ଉକ୍ତ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମ୍ପାନି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟରେ ୩ ମାସ ମଧ୍ୟରେ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବୈଷୟିକ କାରଣ ଯୋଗୁ ଟାୱାର ଧ୍ବଂସ କରିବା ଲାଗି ପାଖାପାଖି ୧ ବର୍ଷ ସମୟ ଲାଗିଯାଇଛି।

ଦାୟୀ ୨୬ ଅଧିକାରୀ, ଜଣେ ବି ଜେଲ୍‌ ଯାଇନାହାନ୍ତି
ନଏଡ଼ା : ରବିବାର ନଏଡ଼ା ସେକ୍ଟର ୯୩-ଏ’ରେ ସୁପରଟେକ୍ ଗ୍ରୁପ୍ ଦ୍ବାରା ନିର୍ମିତ ଟ୍ବିନ୍ ଟାୱାରକୁ ଭାଙ୍ଗିଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଟାୱାର ବେଆଇନ ଭାବେ ନିର୍ମାଣ ହେଲା କେମିତି? ଏଥିପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି? ଯଦିଚ ବିଭିନ୍ନ ଏଜେନ୍ସି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ତଥାପି ଏପର୍ଯ୍ୟନ୍ତ ସୁପରଟେକ୍, ନଏଡ଼ା କର୍ତ୍ତୃପକ୍ଷ ବା ଫାୟାର ଡିପାର୍ଟମେଣ୍ଟର କୌଣସି ଅଧିକାରୀ ଜେଲ ଯାଇ ନାହାନ୍ତି।

ଯେଉଁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଯୋଗୁ ଶହେ କୋଟିରୁ ଅଧିକ ଟଙ୍କାର ବହୁତଳ ଅଟ୍ଟାଳିକା ନିର୍ମାଣ ହେଲା ଓ ପୁଣି ଭଙ୍ଗା ହେଲା ସେମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ଅଧିକାରୀ ଅଛନ୍ତି। ଗତବର୍ଷ ସୁପ୍ରିମ୍‌କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ବିଲ୍‌ଡର ସଂସ୍ଥା ଓ ସରକାରୀ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଉପରେ ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ଆଦେଶ ଦେଇଥିଲେ। ତଦନ୍ତରୁ ଜଣାଗଲା ଯେ ନଏଡ଼ାର ୨୬ ଜଣ ଅଧିକାରୀ ସୁପରଟେକ୍‌କୁ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଉକ୍ତ ୨୬ ଜଣଙ୍କ ମଧ୍ୟରୁ ୨୦ ଜଣ ଅବସର ନେଇସାରିଲେଣି, ୨ ଜଣ ଇହଧାମରୁ ବିଦାୟ ବି ନେଲେଣି ଏବଂ ଯେଉଁ ମାତ୍ର ୪ ଜଣ ଏବେ ଚାକିରିରେ ଅଛନ୍ତି ସେମାନଙ୍କୁ ନିଲମ୍ବିତ କରାଯାଇଛି। ଅଗ୍ନିଶମ ବିଭାଗର ୩ ଜଣ ଅଧିକାରୀ ମଧ୍ୟ ସୁପରଟେକ୍ ଗ୍ରୁପ୍‌କୁ ନୋ-ଅବ୍‌ଜେକ୍ସନ ସାର୍ଟିଫିକେଟ୍ ଦେଇଥିଲେ, ଯେଉଁମାନେ ଏବେ ଅବସର ନେଇସାରିଲେଣି। ସୁପରଟେକ୍‌ର ୪ ଜଣ ନିର୍ଦ୍ଦେଶକ ମଧ୍ୟ ବେଆଇନ ନିର୍ମାଣକାରୀ ତାଲିକାରେ ଅଛନ୍ତି।

ସମ୍ବନ୍ଧିତ ଖବର