ଟାଇମ୍‌ସ ହାଇଅର ଏଜୁକେସନ ବିଶ୍ୱବିଦ୍ୟାଳୟ ଇମ୍ପାକ୍ଟ ରୢାଙ୍କିଙ୍ଗ୍‌: ‘୩୦୧+’ ରୢାଙ୍କରେ କିଟ୍‌ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ଦି ଟାଇମ୍ସ ହାଇଅର୍‌ ଏଜୁକେସନ ବିଶ୍ୱବିଦ୍ୟାଳୟ ଇମ୍ପାକ୍ଟ ରୢାଙ୍କିଙ୍ଗ୍‌-୨୦୧୯ ପ୍ରକାଶ ପାଇଛି। ଏପ୍ରିଲ ୩ରେ ପ୍ରକାଶିତ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ଇମ୍ପାକ୍ଟ ରୢାଙ୍କିଙ୍ଗ୍‌ର ପ୍ରଥମ ସଂସ୍କରଣରେ କିଟ୍‌ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛି। ତାଲିକାରେ ୭୬ଟି ଦେଶର ପ୍ରାୟ ୪୫୦ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସମଗ୍ର ପୂର୍ବ ଭାରତ ଓ ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ୱବିଦଦ୍ୟାଳୟ ଭାବେ କିଟ୍‌ ଏହି ରୢାଙ୍କିଙ୍ଗର ‘୩୦୧+’ତମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛି। ଗତବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟ ଦି ଟାଇମ୍‌ସ ହାଇଅର ଏଜୁକେସନ ବିଶ୍ୱ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇ ସମଗ୍ର ଓଡ଼ିଶା ତଥା ପୂର୍ବ ଭାରତର ଗୌରବ ବୃଦ୍ଧି କରିଥିଲା। ରୢାଙ୍କିଙ୍ଗ୍‌ ରିପୋର୍ଟ ଅନୁସାରେ ଅସମାନତା ହ୍ରାସ କରିବା(ଏସଡିଜି-୧୦), ଶାନ୍ତି, ନ୍ୟାୟ ଓ ମଜଭୂତ ଅନୁଷ୍ଠାନ(ଏସଡିଜି-୧୬), ସଫଳତା ପାଇଁ ଭାଗୀଦାରି(ଏସଡିଜି-୧୭) ଓ ଗୁଣାତ୍ମକ ଶିକ୍ଷା(ଏସଡିଜି-୪) ଭଳି ଶତତ ବିକାଶ ମାନଦଣ୍ଡକୁ ନେଇ କିଟ୍‌ ବିଶ୍ୱବିଦ୍ୟାଳୟକୁ ତାଲିକାର ଉଚ୍ଚ ସ୍ଥାନରେ ରଖାଯାଇଛି। ୨୦୧୬ରେ ଜାତିସଂଘ ଦ୍ୱାରା ପ୍ରଣୀତ ଶତତ ବିକାଶ ଲକ୍ଷ୍ୟ, ବିଶ୍ୱକୁ ସ୍ଥାୟୀ ଭାବେ ବିକଶିତ କରିବା ପାଇଁ ଏକ ସଂପୂର୍ଣ୍ଣ ରୂପରେଖ ପ୍ରଦାନ କରୁଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କିଟ୍‌ ଅସମାନତା ହ୍ରାସରେ ୧୦୧ରୁ ୨୦୦ ମଧ୍ୟରେ ସ୍ଥାନ ପାଇବା ସହ ଶାନ୍ତି, ନ୍ୟାୟ ଓ ମଜଭୂତ ଅନୁଷ୍ଠାନରେ ‘୨୦୧+’ ତମ ସ୍ଥାନ ଓ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ‘୩୦୧+’ତମ ସ୍ଥାନରେ ରହିବା ସହ ମୋଟାମୋଟି ୩୦୧+ ତମ ସ୍ଥାନରେ ରହିଛି। ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌ରେ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ସ୍ଥାନ ପାଇଛି। ଓଡ଼ିଶାର ଆଇଆଇଟି ଓ ଦକ୍ଷିଣ ଭାରତର ଅଳ୍ପ କେତେକ ଜଣାଶୁଣା ଘରୋଇ ବିଶ୍ୱବିଦଦ୍ୟାଳୟ ଏଥିରେ ସ୍ଥାନ ପାଇଛି। ଏହି ସଫଳତା ପାଇଁ କିଟ୍‌ ଓ କିସର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାମନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର