ଇଂଲଣ୍ଡ ପରିବେଶ ଏବଂ କୋହଲିଙ୍କ ମତ ଉପରେ ବିଶ୍ବକପ୍‌ ଚୟନ ନିର୍ଭରଶୀଳ: ରୋହିତ ଶର୍ମା

ନୂଆଦିଲ୍ଲୀ: ଇଂଲଣ୍ଡରେ ଆସନ୍ତା ମାସରେ‌ ଖେଳାଯିବାକୁ ଥିବା ଆଇସିସି ୫୦ ଓଭରିଆ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ପୂର୍ବରୁ ବିଭିନ୍ନ ଖେଳାଳି ନିଜ ନିଜ ମତ ରଖିବାରେ ଲାଗିଛନ୍ତି। ଭାରତୀୟ ସୀମିତ ଓଭର ଦଳର ଉପ ଅଧିନାୟକ ରୋହିତ ଶର୍ମା କିନ୍ତୁ ଦୁଇ ଦିନ ହେବ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ମାତ୍ର କିଛି ସ୍ଥାନକୁ ଛାଡ଼ି ଭାରତୀୟ ଦଳ ଚୟନ ଏକ ପ୍ରକାର ଚୂଡାନ୍ତ ‌ହୋଇସାରିଥିବା ବିଶ୍ବାସ କରାଯାଉଛି। ରୋହିତଙ୍କ ବିଶ୍ବାସ ଇଂଲଣ୍ଡର ପରିବେଶ ଓ ଅଧିନାୟକ ବିରାଟ‌ କୋହଲିଙ୍କ ମତ ଉପରେ ଭାରତର ଦଳ ଚୟନ ନିର୍ଭର କରୁଛି। ଭାରତର ଦଳ ଚୟନରେ ଆଇପିଏଲ୍‌ ପ୍ରଦର୍ଶନକୁ ବିଚାରକୁ ନିଆଯିବା ଉଚିତ୍ ନୁହେଁ ବୋଲି ରୋହିତ ପୂର୍ବରୁ କହିଥିଲେ। କିନ୍ତୁ ଚଳିତ ଆଇପିଏଲ୍‌ ପ୍ରଦର୍ଶନ ଭିତ୍ତିରେ ୨ ଜଣ ନିଶ୍ଚିତ ଚୂଡାନ୍ତ ଏକାଦଶକୁ ଆସିବେ। ଦଳ ଚୟନ ଏକପ୍ରକାର ଶେଷ ହୋଇଛି। ଅଧିନାୟକ, ପ୍ରଶିକ୍ଷକ ଏବଂ ଚୟନକର୍ତା କେଉଁ ଖେଳାଳିଙ୍କୁ ଅତିରିକ୍ତ ଭାବେ ନେବାକୁ ଚାହିଁବେ ସ୍ପଷ୍ଟ ହେବ। ଅତିରିକ୍ତ ସିମର, ସ୍ପିନର, ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ କି ସଂରକ୍ଷିତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ନିଆଯିବ ତାହା ସେମାନେ ନିଷ୍ପତ୍ତି ନେବେ। ଗତଥର ଆମେ ଇଂଲଣ୍ଡ ଗସ୍ତ ବେଳେ ପାଗ ବେଶ୍‌ ଶୁଖିଲା ରହିଥିଲା,‌ ସେଭଳି ସ୍ଥିତି ଥିଲେ ଅତିରିକ୍ତ ସ୍ପିନର୍ ନେବାକୁ ପଡ଼ିବ। ନଚେତ୍‌ ଅତିରିକ୍ତ ସିମର ନିଆଯିବା ସମ୍ଭାବନା ରହିଛି ବୋଲି ରୋହିତ କହିଛନ୍ତି।

ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ମଧ୍ୟ ରୋହିତଙ୍କ ସହ ଏକମତ ହୋଇଛନ୍ତି। ବିଶ୍ବକପ୍‌ ପାଇଁ ଆଇପିଏଲ୍‌ ପ୍ରଦର୍ଶନ ଠିକଣା ମାପକାଠି ନୁହେଁ। କିନ୍ତୁ ବହୁ ଖେଳାଳିଙ୍କ ଲଗାତାର ବିଫଳତା ପରେ ଚୟନକର୍ତାମାନେ ୪ ନମ୍ବର ସ୍ଥାନକୁ ନେଇ ସୀମିତ ବିକଳ୍ପରେ ରହିଛନ୍ତି। ଦୁଇ ଥର ବିଜେତା ଭାରତର ଶୀର୍ଷକ୍ରମକୁ ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ସମ୍ଭାଳିବେ। କିନ୍ତୁ ଦ୍ବିତୀୟ ୱିକେଟ୍‌ ପତନ ପରେ କିଏ ଆସି‌େବ ଚୟନକର୍ତାମାନେ ଅଦ୍ୟାବଧି ନିଶ୍ଚିତ ହୋଇପାରିନାହାନ୍ତି। ଅଜିଙ୍କ୍ୟ ରା‌ହାଣେ, ମନୀଷ ପାଣ୍ଡେ, ‌ଲୋକେଶ ରାହୁଲ, ଦୀନେଶ କାର୍ତିକ, ଅମ୍ବାତି ରାୟୁଡୁ, ବିଜୟ ଶଙ୍କର ଏହି ଦୌଡ଼ରେ ରହିଥିଲେ ବି କେହି ଭରସାଯୋଗ୍ୟ ପ୍ରଦର୍ଶନ ଦେଇନାହାନ୍ତି। ରାୟୁଡୁ ଦୃଢ଼ ଦାବିଦାର ଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଦର୍ଶନରେ ଖରାପ କରି ଚାପରେ ରହିଛନ୍ତି। ବିଜୟ ଶଙ୍କର ବି ପସନ୍ଦରେ ରହିଛନ୍ତି। କିନ୍ତୁ ଏପ୍ରିଲ୍ ୨୩ ତାରିଖ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର