ଅକ୍ଷୟ ପରିଜା ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣା: ତଦନ୍ତରେ ତାଲା ମାରି ବସିଛି ନୂଆପଲ୍ଲୀ ଥାନା

ପୀଡ଼ିତାଙ୍କ ସଂପୃକ୍ତିକୁ ଘଣ୍ଟ ଘୋଡ଼ାଉଛି ପୁଲିସ!

ଭୁବନେଶ୍ବର : କିଛି ଅଭିଯୋଗ ନଥିଲା। ନା ପୀଡ଼ିତା ଥାନାର ଦ୍ବାରସ୍ଥ ହୋଇଥିଲେ, ନା କାହା ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଅଶ୍ଳୀଳ ଫଟୋ ଓ ତାଙ୍କ ବିରୋଧରେ ଏକ ଏତଲା କପି ଘୂରି ବୁଲିଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପରିଜା ରାତାରାତି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହେଲେ। ଅଭିଯୋଗ ଥିଲା, ଜଣେ ଯୁବତୀ ଓ ଅର୍ଚ୍ଚନା ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରଖିଛନ୍ତି। ଉକ୍ତ ଫଟୋ ଡିଲିଟ୍ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲ୍‌ରେ ତାଙ୍କୁ ୩ କୋଟି ଟଙ୍କା ମଗା ଯାଇଥିଲା। ମାତ୍ର ମୂଲଚାଲରେ ରାଜି ନ ହେବାରୁ ଯୁବତୀ ଓ ଅର୍ଚ୍ଚନା ସେସବୁ ଭାଇରାଲ୍ କରିଛନ୍ତି ବୋଲି ଶ୍ରୀ ପରିଜା ଅଭିଯୋଗ ଆଣିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ଆଣିବା ପରେ ନୂଆପଲ୍ଲୀ ଥାନା ପୁଲିସ ଦଫା ୩୮୪, ୩୮୫, ୩୮୭, ୫୦୬, ୧୨୦-ବି ଓ ଆଇଟି ଆକ୍ଟ ୬୭ରେ ମାମଲା ରୁଜୁ କରିଥିଲା। ନିଜେ ଥାନା ଅଧିକାରୀ ବିଶ୍ବରଂଜନ ସାହୁ ଏହାର ତଦନ୍ତ ଆରମ୍ଭ କରିଥିଲେ।

ଅପରପକ୍ଷେ ଅଭିଯୋଗର ମାତ୍ର ୪୮ଘଣ୍ଟା ମଧ୍ୟରେ ଅର୍ଚ୍ଚନାଙ୍କ ବିରୋଧରେ ପୀଡ଼ିତା ଖଣ୍ଡଗିରି ଥାନାରେ ଦେହ ବ୍ୟବସାୟର ଗୁରୁତର ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ୪ଦିନ ମଧ୍ୟରେ ଅର୍ଚ୍ଚନାକୁ ଗିରଫ କରିଥିଲା। କିନ୍ତୁ ନୂଆପଲ୍ଲୀ ଥାନା‌ରେ ଶ୍ରୀ ପରିଜା ଆଣିଥିବା ଅଭିଯୋଗ ଫାଇଲ୍ ଭିତରେ ବନ୍ଦ ପଡ଼ିଛି। ଠିକ୍ ୫ବର୍ଷ ପୂର୍ବରୁ ଯେମିତି ଅର୍ଚ୍ଚନା ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଓ ନେତାଙ୍କ ନାଁରେ ଅଭିଯୋଗ ଆଣିଥିଲେ, ଏହି ଅଭିଯୋଗ ସେହିଭଳି ସମାନ ଢଙ୍ଗରେ ବନ୍ଦ ହୋଇଯିବ ବୋଲି କୁହାଯାଉଛି।

ଜଣେ ବରିଷ୍ଠ ପୁଲିସ ନାଁ ଗୋପନ ରଖିବା ସୂତ୍ରରେ କହିଛନ୍ତି, ଥାନାରେ ମାମଲା ରୁଜୁ ହେଉଛି। କିନ୍ତୁ ତଦନ୍ତ କେମିତି ହେବ ଏବଂ କିଏ କରିବ, ସେ ସବୁ ଥାନା ଅଧିକାରୀଙ୍କ ହାତରେ ନାହିଁ। ସବୁର ପରିଚାଳନା ଗୁପ୍ତ କୋଠରି ମଧ୍ୟରେ ଚାଲୁଛି। ତଦନ୍ତ ବାବଦରେ ତଦନ୍ତକାରୀ ଅଧିକାରୀଙ୍କୁ ପଚରାଗଲେ ଚିରାଚରିତ ଢଙ୍ଗରେ ‘ତଦନ୍ତ ଚାଲୁଛି’ ବୋଲି କହି ଏଡ଼ାଇ ଦେଉଛନ୍ତି।

ଏହାରି ଭିତରେ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣି ନିଜକୁ ନିର୍ମଳ ବୋଲି କହୁଥିବା ବେଳେ ଅକ୍ଷୟ କିନ୍ତୁ ଭିଡିଓ ଭାଇରାଲ୍ ଏବଂ ହନିଟ୍ରାପ୍ ମାମଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି। ମାଳମାଳ ବଡ଼ବଡ଼ିଆଙ୍କ ସଂପୃକ୍ତି ଏଥିରେ ଥିବାରୁ ପୁଲିସ ମାମଲାକୁ ବେଶି ଆଗକୁ ନ ନେଇ ଏହିଠାରେ ହିଁ ବନ୍ଦ କରିବ ବୋଲି ଯୋଜନା ଚାଲିଥିବା ନେଇ କୁହାଯାଉଛି।

ସମ୍ବନ୍ଧିତ ଖବର