ହୋ‌ଟେଲ୍‌ରେ ଖାଇବାକୁ କେନ୍ଦ୍ର କରି ତୁମୁଳକାଣ୍ଡ, ‌ଖଣ୍ଡା ଚୋଟରେ ୨ ଛାତ୍ର ଗୁରୁତର

ଭୁବନେଶ୍ବର: ହୋଟେଲ୍‌ରେ ଖାଇବାକୁ କେନ୍ଦ୍ର କରି ଆଜି ବିଳମ୍ବିତ ରାତିରେ ଉତ୍କଳ ବିଶ୍ବବିଦ୍ୟାଳୟ ନିକଟରେ ୨ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଛାତ୍ରଦ୍ବୟ ହେଲେ, ସନ୍ତୋଷ ଓ ଗୌତମ। ଜଣେ ହୋଟେଲ ମାଲିକ ଛାତ୍ରଦ୍ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିବା ଜଣାଯାଇଛି। ଏଥିରେ ଦୁହିଁଙ୍କ ମୁଣ୍ଡ, ବେକ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସହିଦନଗର ଥାନା ପୁଲିସ୍‌ ଘଟଣାସ୍ଥଳରୁ ଛାତ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ତେବେ ଏହି ଖବର ପ୍ରଚାରିତ ହେବା ପରେ ବିଶ୍ବବିଦ୍ୟାଳୟ ଛାତ୍ରମହଲରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇବାରୁ କୌଣସି ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୁଲିସ୍‌ ମୁତୟନ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଆଜି ରାତି ପ୍ରାୟ ୧୨ଟାରେ ସନ୍ତୋଷ ଓ ଗୌତମ ବାଣୀବିହାର ଛକ ନିକଟରେ ଥିବା ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ସେଠାରେ କୌଣସି କଥାକୁ କେନ୍ଦ୍ର କରି ସନ୍ତୋଷଙ୍କ ସହ ହୋଟେଲ ମାଲିକଙ୍କ ଯୁକ୍ତିତର୍କ ହୋଇଥିଲା। ତେବେ କଥା ବଢ଼ିବାରୁ ହୋଟେଲ ମାଲିକ ଏକ ଖଣ୍ଡାରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ଗୌତମ ଅଟକାଇବାକୁ ଚେଷ୍ଟା କରିବାରୁ ହୋଟେଲ ମାଲିକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ଦୁହିଁଙ୍କ ବେକ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଛାତ୍ରଦ୍ବୟଙ୍କ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ତେବେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ସହିଦନଗର ଥାନା ପୁଲିସ୍‌ ସେଠାରେ ପହଞ୍ଚି ଯାଇଥିଲା। ପୁଲିସ ଛାତ୍ରଦ୍ବୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଏହି ଘଟଣାରେ ପୁଲିସ୍‌ ହୋଟେଲର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର