ଇଓଡବ୍ଲୁ ପଞ୍ଝାରେ ସାଇବର୍‌ ଠକ ଗ୍ୟାଙ୍ଗ୍‌

ରାଜସ୍ଥାନରୁ ୨ ମାଷ୍ଟରମାଇଣ୍ଡ୍‌ଙ୍କ ସମେତ ୩ ଗିରଫ

ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଅର୍ଥ‌‌ନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ଧରି ଲୋକଙ୍କୁ ବିଭିନ୍ନ ଉପାୟରେ ଲୁଟି ଆସୁଥିବା ଏକ ସାଇବର୍‌ ଠକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି। ରାଜସ୍ଥାନରୁ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ସେମାନଙ୍କୁ ସିମ୍‌ ଯୋଗାଉଥିବା ମୟୂରଭଞ୍ଜର ବୈଶିଙ୍ଗା ଅଞ୍ଚଳର ଅନିଲ ଖିଲାରକୁ ଗିରଫ କରିଛି। ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡଦ୍ବୟ ହେଲେ, ମହମ୍ମଦ ଖାଁ ଏବଂ ମୁନ୍ ଫେଡ୍ ଖାଁ। ରାଜସ୍ଥାନ ପୁଲିସ ସହାୟତାରେ ଇଓଡବ୍ଲୁ ଦୁହିଁଙ୍କୁ ରାଜସ୍ଥାନର ଆଲୱାର ଜିଲ୍ଲା ରାମଗଡ଼ ଥାନା ଅଞ୍ଚଳରୁ ଗିରଫ କରିଛି। ଅନିଲ ଏହି ଗ୍ୟାଙ୍ଗ୍‌କୁ ୧୨ଶହରୁ ଅଧିକ ସିମ୍‌ ଯୋଗାଇଥିବା ଜଣାପଡ଼ିଛି। ଇଓଡବ୍ଲୁ ସେମାନଙ୍କୁ ଜେରା କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ କୋର୍ଟଚାଲାଣ କରିଥିବା ଜଣାଯାଇଛି।

ଏହି ଠକ ଗ୍ୟାଙ୍ଗ୍‌ ହ୍ବାଟସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ୍, ଫେସ୍‌ବୁକ୍‌ ଆଦି ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ଜାଲରେ ଫସାଉଥିଲେ। କାହାକୁ ହନିଟ୍ରାପ୍‌ କରି ତ କାହାକୁ ଚାକିରି କରାଇଦେବା ଆଳରେ, ଆଉ ପୁଣି କାହାକୁ ଶସ୍ତାରେ ଘର ଆସବାବପତ୍ର ଯୋଗାଇ ଦେବାର ଲୋଭ ଦେଖାଇ ଠକୁଥିଲେ। ତେବେ ଏମାନେ କେତେ ଲୋକଙ୍କଠାରୁ କେତେ ଟଙ୍କା ଠକେଇ କରିଛନ୍ତି, ତା’ ଉପରେ ଇଓଡବ୍ଲୁ ଅଧିକ ତଦନ୍ତ ଚଳାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ଦେଶର ବିଭିନ୍ନ ରାଜ୍ୟରେ ସକ୍ରିୟ ଥିଲା। ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଆସାମର ବିଭିନ୍ନ ସହରକୁ ଏମାନେ ଟାର୍ଗେଟ୍‌ କରିଥିଲେ। ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ବ୍ୟବହାର କରି ଆର୍ଥିକ କାରବାର ପାଇଁ ବ୍ୟାଙ୍କ, ଗୁଗଲ୍‌ ପେ’, ଫୋନ୍‌‌ ପେ’, ପେଟିଏମ୍‌ ଆଦିରେ ଆକାଉଣ୍ଟ ଖୋଲୁଥିଲେ। ସେହିପରି ସେହି ଜାଲ୍‌ ନମ୍ବର ବ୍ୟବହାର କରି ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଇନ୍‌ଷ୍ଟା ଭଳି ସୋସିଆଲ୍‌ ମିଡିଆର ଆଇଡି, ପେଜ୍‌ ଖୋଲି ଲୋକଙ୍କୁ ଫସାଉଥିଲେ। ତେବେ ଠକେଇ କରୁଥିବା ଟଙ୍କାକୁ ଏମାନେ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆକାଉଣ୍ଟ ଜରିଆରେ ଉଠାଣ କରୁଥିଲେ। ଏଥିପାଇଁ ସେମାନେ ସ୍ବତନ୍ତ୍ର ଭାବେ ୧୦ରୁ ୧୫ଟି ଗ୍ରୁପ୍‌ ତିଆରି କରିଥିଲେ। ତେବେ ଏହି ଠକଙ୍କୁ ପ୍ରି-ଆକ୍ଟିଭେ‌ଟେଡ୍‌ ସିମ୍‌ ଯୋଗାଇବା ପଛରେ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଯୁବକ ସାମିଲ ଥିବା ଜଣାଯାଇଛି। ସେମାନେ ୩ ଶହ ଟଙ୍କାରେ ସିମ୍‌ କିଣି ସାଇବର୍‌ ଠକଙ୍କୁ ହଜାରେ ଟଙ୍କାରେ ବିକ୍ରି କରୁଥିବା ଜଣାଯାଇଛି।

ପୂର୍ବରୁ ଇଓଡବ୍ଲୁ ଗିରଫ କରିଥିବା ରାଜସ୍ଥାନର ସୁବୀର ବନିଆ, ଉପେନ୍ଦ୍ର ସମର୍ଥା, ରାଜେନ୍ଦ୍ର ହରିଜନ, ଧନସିଂହ ହରିଜନ ଏବଂ ସାନସାଇ ସାଣ୍ଟାଠାରୁ ଏହି ସାଇବର ଠକ ଗ୍ୟାଙ୍ଗ ବାବଦରେ ସୂଚନା ମିଳିଥିଲା। ଏମାନେ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି)ରେ ୨ହାଜରରୁ ଅଧିକ ନକଲି ଆକାଉଣ୍ଟ ଖୋଲିଥିଲେ। ପ୍ରତି ଆକାଉଣ୍ଟ ଖୋଲିବା ପାଇଁ ସେମାନେ ସାଇବର ଠକଙ୍କଠାରୁ ୨ହଜାର ଟଙ୍କା ନେଉଥିଲେ। ଏଥିପାଇଁ ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରିଥିଲେ। ସରକାରୀ ଯୋଜନାର ବିଭିନ୍ନ ସୁଫଳ ମିଳିବାର ଲୋଭ ଦେଖାଇ ଗ୍ରାମାଞ୍ଚଳ ଲୋକଙ୍କ ଆଧାର, ପାନ୍ ଓ ଫଟୋ ସଂଗ୍ରହ କରିବା ପରେ ସେମାନଙ୍କ ନାଁରେ ଆଇପିପିବିରେ ଆକାଉଣ୍ଟ ଖୋଲୁଥିଲେ। ସେହି ଆକାଉଣ୍ଟଗୁଡ଼ିକୁ ଠକ ବ୍ୟବହାର କରୁଥିବା ସିମ୍‌ ସହ ଲିଙ୍କ କରାଯାଉଥିଲା। ଫଳରେ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ ସହଜ ହେଉନଥିଲା। ଏହି ଗ୍ୟାଙ୍ଗ ନବରଙ୍ଗପୁର ଅଞ୍ଚଳରେ ମଧ୍ୟ ହଜାର ହଜାର ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ୬୨ଲକ୍ଷରୁ ଊର୍ଧ୍ବ ଟଙ୍କା ନେଇଥିବା ଜଣାପଡ଼ିଥିଲା।

ରାଜସ୍ଥାନରୁ ହେଉଥିଲା ଅପରେସନ୍‌

ଠକଙ୍କ ପାଖକୁ ଓଡ଼ିଶାରୁ ଯାଇଛି ୧୨ଶହ ସିମ୍‌

ନବରଙ୍ଗପୁର ଆକାଉଣ୍ଟରୁ ଯାଇଛି ୬୨ଲକ୍ଷ

ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ମହମ୍ମଦ ଖାଁ ଓ ମୁନଫେଡ୍ ଖାଁ ଲିଙ୍କ୍‌ ମିଳିବା ପରେ ଇଓଡବ୍ଲୁ ଦୁହିଁଙ୍କୁ ଗିରଫ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଇଓଡବ୍ଲୁର ଏକ ସ୍ବତନ୍ତ୍ର ଟିମ୍‌ ରାଜସ୍ଥାନରେ ଡେରା ପକାଇଥିଲା। ଉଭୟଙ୍କୁ ଗିରଫ ପରେ ଗତ ୯ତାରିଖ ଦିନ ରାଜସ୍ଥାନ ଆଲୱାର ଏସିଜେଏମ୍‌‌ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଛି। ଆଜି ସେମାନଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ତେବେ ଏହି ଗ୍ୟାଙ୍ଗରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଓଡ଼ିଶାରେ ଆଉ କେଉଁ କେଉଁ ସ୍ଥାନରେ ଲୋକ ଗ୍ୟାଙ୍ଗ୍‌ର ଜାଲରେ ଫସିଛନ୍ତି? ‌ସିମ୍‌ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପଛରେ ଓଡ଼ିଶାର କେତେ ଜଣ ସାମିଲ୍‌ ଅଛନ୍ତି? ଏସବୁର ପର୍ଦ୍ଦାଫାସ୍‌ ପାଇଁ ୩ଜଣଙ୍କୁ ପୁଣିଥରେ ରିମାଣ୍ଡ ଆଣିବାକୁ ଇଓଡବ୍ଲୁ ଯୋଜନା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର