ମାଲକାନଗିରି: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ସମୟରେ ଦେଖିଥିଲୁ ନିଆରା ଚିତ୍ର। ଏଠାରେ ସ୍ବାଧୀନ ପ୍ରାର୍ଥୀ ଘେନୁ ମୁଦୁଲିଙ୍କୁ ପ୍ରଚାର ପାଇଁ ଅର୍ଥ ବାଧକ ସାଜୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ଗ୍ରାମବାସୀ। ଗଂଗଲାଗୁଡା ଗାଁରେ ଘେନୁ ମୁଦୁଲି ତୃତୀୟ ଥର ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏଭଳି ସହଯୋଗ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ଥର ଘେନୁ ମୁଦୁଲି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ତରଫରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟିକଟ ଆସିନପାରିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇଛନ୍ତି। ୨୦୧୪ ଓ ୨୦୧୯ରେ ସେ ସମତା କ୍ରାନ୍ତି ଦଳର ଟିକଟ ପାଇ ଲଢେଇ କରିଥିଲେ। ଘେନୁଙ୍କ ନିଜ ଘର କୋରକୋଣ୍ଡା ବ୍ଲକର ତାଲରାକୋଟା ପଞ୍ଚାୟତର ମହୁଲପୁଟ ଗ୍ରାମ। ପିଲାଟି ଦିନରୁ ସେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ଜଣେ ଆଦିବାସୀ ନେତା ଭାବେ ଜିଲ୍ଲାରେ ବେଶ ପରିଚିତ। ପୂର୍ବରୁ ସେ ଆଦିବାସୀ ମହାସଂଘର ସଭାପତି ରହିଥିଲେ। ଏବେ ମହାସଂଘର ଉପଦେଷ୍ଟା ଭାବେ ରହିଛନ୍ତି। ଆଦିବାସୀ ସମାଜ ତାଂକୁ ଏଥର ନିଶ୍ଚିତ ଭାବେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଗାଁ ଗାଁ ବୁଲି ନିଜେ ନିଜର ଭୋଟ ଭିକ୍ଷା କରୁଥିବା ବେଳେ ଗାଁର ଲୋକେ ତାଂକୁ ଆର୍ଥିକ ସହାୟତା ଦେଇ ଆଗକୁ ବଢିବାକୁ ସହଯୋଗ କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ଘେନୁ ମୁଦୁଲି କିନ୍ତୁ ଲୋକଙ୍କ ଟଂକାରେ ଲଢେଇ କରୁଛନ୍ତି। ଲୋକଙ୍କ ପାଇଁ ସେ ଅହରହ କାମ କରୁଥିବାରୁ ଲୋକେ ମଧ୍ୟ ତାଂକୁ ନିଜର ସାମର୍ଥ୍ୟ ଦେଖି ଟଂକା ଦେଉଥିବା ଦେଖିବାକୁ ମିଳିଛି। ନିଜର ଅଳ୍ପ ସମର୍ଥକଙ୍କୁ ନେଇ ସେ ଦିନରାତି ଏକ କରି ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି।ସେ ୨୦୧୪ରେ ୨୬୨୯ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ୫୪୩୯ ଖଣ୍ଡ ଭୋଟ ପାଇଥିଲେ। ଏଥର ମଧ୍ୟ ସେ ଭଲ ଭୋଟ ପାଇବେ ବୋଲି କହିଛନ୍ତି।
ଘେନୁ ଗ୍ରାମବାସୀଙ୍କ ନିକଟରେ ଭୋଟ ଭିକ୍ଷା ସହ ଆର୍ଥିକ ସହଯୋଗ କରିବା ପାଇଁ ମଧ୍ୟ ନେହୁରା ହେଉଛନ୍ତି। ଲୋକେ କୌଣସି ଦଳ ଅପେକ୍ଷା ତାଂକୁ ଭଲ ପାଉଥିବା ସେ କହନ୍ତି। ଲୋକଙ୍କ ସହ ଜଡିତ ଥିବାରୁ ସେ ଏଥର ନିଶ୍ଚୟ ବିଜୟ ହେବେ ବୋଲି କହନ୍ତି। ତିନି ପ୍ରମୁଖ ଦଳର ପାରଂପାରିକ ଭୋଟକୁ ସେ ହାତେଇ ନେବେ ବୋଲି ଚର୍ଚ୍ଚା ହେଉଛି। ଘେନୁ ନିର୍ବାଚନରେ ବିଜୟ ହୁଅନ୍ତୁ ବା ନହୁଅନ୍ତୁ କିନ୍ତୁ କୌଣସି ପ୍ରମୁଖ ଦଳକୁ ହରାଇବାରେ ବଡ ଭୁମିକା ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।