ମାଓ ସଂଗଠନର ହାତ ଛାଡ଼ିଲେ ୩୫ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସକୁ ବଡ଼ ସଫଳତା ମିଳିଛି। ୩୫ ଜଣ ନକ୍ସଲ ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ଏହି ମାଓବାଦୀମାନେ ସଂଗଠନରେ ଚାଲିଥିବା ଭେଦଭାବ, ନିର୍ଯାତନା ଏବଂ ମହିଳାଙ୍କ ପ୍ରତି ଅସଦାଚରଣ ଯୋଗୁଁ ସଂଗଠନ ଛାଡିଥିବା କହିଛନ୍ତି। ନିରୀହ ଜନତାଙ୍କୁ ଟାର୍ଗେଟ କରିବା ନକ୍ସଲଙ୍କର ମୂଳ ଉଦେଶ୍ୟ ବୋଲି କହିଛନ୍ତି।

ପୁଲିସ ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ‘(ଲୋନ ବର୍ଟାଟୁ) ଯୋଜନାରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ଦୀର୍ଘ ଦିନ ଧରି ସଂଗଠନ ଛାଡ଼ିବାର ଯୋଜନା କରିସାରିଥିଲେ। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ କରାଯାଉଥିବା ଜଣାପଡିଛି। ଲଗାତାର ପୁଲିସର ଚଢାଉରେ ଏମାନେ ଏକ ପ୍ରକାର ଆତଙ୍କିତ ହୋଇପଡ଼ିଥିଲେ। ନିଜର ଜୀବନ ବଞ୍ଚାଇବା ସହ ପରିବାର ପାଇଁ ଆଗକୁ କିଛି କରିବାର ଇଛା ନେଇ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ହିଂସା ଛାଡି ଏମାନେ ଅହିଂସା ପଥକୁ ଆପଣେଇବା ପରେ ପୁଲିସ ଏବଂ ସରକାର ସମସ୍ତ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର