ରାଜଧାନୀରେ ଅପରାଧ: ପ୍ରେମିକ ପେଟରେ ଛୁରି ଭୁସିଦେଲା ପ୍ରେମିକା

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଚନ୍ଦ୍ରଶେଖରପୁର: ପ୍ରେମିକାର ଛୁରା ମାଡ଼ରେ ପ୍ରେମିକ ଗୁରୁତର। ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଆପରାଧିକ ଘଟଣା ଘଟିଛି। ଗୁରୁତର ଆହତ ଯୁବକଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଏ ସଂପର୍କରେ ଯୁବକ କିମ୍ବା ତାଙ୍କ ପରିବାରଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇନଥିବା ଜଣାଯାଇଛି। ମିଳିଥିବା ସୂଚନାନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ରାଗ‌ରେ ଯୁବତୀଜଣଙ୍କ ଯୁବକଙ୍କ ପେଟରେ ଏକ ପରିବା କଟା ଛୁରି ଭୁସି ଦେଇଥିଲେ। ପରେ ସେ ଯୁବକଙ୍କୁ ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ହସ୍ପିଟାଲରେ ପହଞ୍ଚିଥିଲେ ହେଁ ଯୁବକ କିମ୍ବା ତାଙ୍କ ପରିବାରଲୋକଙ୍କ ପକ୍ଷରୁ ଏତଲା ଦିଆନଯିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିନାହିଁ। ତେବେ ଯୁବକ ସୁସ୍ଥ ହେବା ପରେ ଥାନାରେ ଅଭିଯୋଗ କରାଯିବ ବୋଲି ତାଙ୍କ ପରିବାରଲୋକ କହିଛନ୍ତି।

ନାବାଳିକାଙ୍କ ଫଟୋ ଭାଇରାଲ୍‌ କରି ଯୁବକ ଗିରଫ

Pragativadi

ଭୁବନେଶ୍ବର: ସୋସିଆଲ ମିଡିଆରେ ଜଣେ ନାବାଳିକାର ମା’ଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ସେଥିରେ ନାବାଳିକାଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍‌ କରିବା ଅଭିଯୋଗରେ ସାଇବର୍‌ ଥାନା ପୁଲିସ୍‌ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ମୁକେଶ କୁମାର ନାୟକ (୧୮)। ସେ ଏଠାରେ ସାମନ୍ତରାପୁର ଅଞ୍ଚଳରେ ରୁହେ। ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ସେ ଏଭଳି କାଣ୍ଡ କରିଥିବା ପୁଲିସ୍‌ କହିଛି।

ସୂଚନା ମୁତାବକ, ମୁକେଶ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। ସ୍କୁଲଠାରୁ ଆରମ୍ଭ କରି ମାର୍କେଟ୍‌ ପର୍ଯ୍ୟନ୍ତ ସେ ତାଙ୍କୁ ପିଛା କରୁଥିଲା। ମଉକା ପାଇଲେ ପ୍ରେମ ନିବେଦନ କରୁଥିଲା। କିନ୍ତୁ ନାବାଳିକାଜଣଙ୍କ ତା’ ନିବେଦନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରୁ ସେ ପ୍ରତିଶୋଧପରାୟଣ ହୋଇ ଉଠିଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ନାବାଳିକାଙ୍କ ମା’ଙ୍କ ନାମରେ ଏକ ନକଲି ଆକାଉଣ୍ଟ ଖୋଲି ତାଙ୍କର ସମ୍ପର୍କୀୟ ଏବଂ ବନ୍ଧୁଙ୍କ ସହ ଯୋଡ଼ି ହୋଇଥିଲା। କିଛି ଦିନ ପରେ ସେଥିରେ ନାବାଳିକାଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍‌ କରିଥିଲା। ଏ ସଂପର୍କରେ ଜଣାପଡ଼ିବା ପରେ ଗତ ୨୫ ତାରିଖରେ ନାବାଳିକାଙ୍କ ପରିବାରଲୋକ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।

ଏମ୍‌ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌, ୨ ଗିରଫ

ଭୁବନେଶ୍ବର: ଏମ୍‌ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ଭରତପୁର ଅଞ୍ଚଳର ଶିବ ଦାସ(୨୧) ଓ ମଣିରାଜ ଦାସ(୩୦)। ସୂଚନା ମୁତାବକ, ଗତ ୧୩ ତାରିଖ ରାତିରେ ଆଲୋକ ନାୟକ ନାମକ ଜଣେ ଏମ୍ସ କର୍ମଚାରୀ ସତ୍ୟନଗର ଶିବ ମନ୍ଦିର ନିକଟ ଏକ ଦୋକାନରୁ ଜିନିଷ କିଣି ଘରକୁ ଫେରୁଥିଲେ। ବାଟରେ ଆସୁଥିବା ବେଳେ ଅଜାଣତରେ ସେ ଶିବର ଗୋଡ଼ ଉପରେ ଚଢ଼ି ଯାଇଥିଲେ। ଏଇ କଥାକୁ କେନ୍ଦ୍ର କରି ଶିବ ଓ ତା’ ସହଯୋଗୀ ମଣିରାଜ ତାଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ସାଢ଼େ ୧୩ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏ ସଂପର୍କରେ ଆଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ଆଇନଜୀବୀଙ୍କୁ ଆକ୍ରମଣ କରି ଚାଳକ ଗିରଫ

ଭୁବନେଶ୍ବର: ଆଇନଜୀବୀଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଚାଳକକୁ ଗିରଫ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ରଂଜନ ନାୟକ(୩୩)। ସେ ଏଠାରେ ୟୁନିଟ୍‌-୩ ଅଞ୍ଚଳରେ ଥିବା ସେଣ୍ଟଜନ୍‌ ଆମ୍ବୁଲାନ୍ସରେ ଚାଳକ କାମ କରେ। ସୂଚନା ମୁତାବକ, ସୋମବାର ଦିନ ପାଖାପାଖି ୧୦ଟାରେ ସତ୍ୟବ୍ରତ ସୂତାର ନାମକ ଜଣେ ଆଇନଜୀବୀ କୌଣସି କାମରେ ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଅଫିସ୍‌କୁ ଯାଇଥିଲେ। ତେବେ ସେ କାମ ସାରି ଫେରିବା ବେଳକୁ ରଂଜନ ଅଚାନକ ତାଙ୍କ ପାଖରେ ପହଞ୍ଚି ଗାଳିମନ୍ଦ କରିଥିଲା। ସେ ବିରୋଧ କରିବାରୁ ରଂଜନ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏନେଇ ସତ୍ୟବ୍ରତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦେଢ଼ଲକ୍ଷର ବ୍ରାଉନ୍‌ସୁଗାର ଜବତ

Sambad English

ଭୁବନେଶ୍ବର: ବ୍ରାଉନ୍‌ସୁଗାର କାରବାର ବେଳେ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା କାଇମାଟିଆ ଅଞ୍ଚଳର ସନ୍ଦୀପ ପରିଡ଼ା ଓରଫ ସାନୁ(୩୦)। ପୁଲିସ ତା’ଠାରୁ ୧୭ଗ୍ରାମ ବ୍ରାଉନ୍‌ସୁଗାର, ୨୨ଶହ ଟଙ୍କା ଏବଂ ଗୋଟିଏ ସ୍କୁଟି ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ମୁତାବକ, କିଛିଦିନ ହେବ ସାନୁ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ୍‌ସୁଗାର ନେଇ ରାଜଧାନୀରେ ବିକ୍ରି କରୁଥିଲା। ଗତକାଲି ସନ୍ଧ୍ୟାରେ ସେ ବ୍ରାଉନ୍‌ସୁଗାର ନେଇ ବଡ଼ରଘୁନାଥପୁର ଛକ ଅଞ୍ଚଳରେ କିଛି ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଇନଫୋଭ୍ୟାଲି ଥାନାର ଏକ ସ୍ବତନ୍ତ୍ର ଟିମ୍‌ ତାକୁ କାବୁ କରିଥିଲା।

ସମ୍ବନ୍ଧିତ ଖବର