ବାଲିପାଟ: ପାକିସ୍ତାନ ଓ ବାଂଲାଦେଶ ସହିତ ଭାରତର ସଂପର୍କ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗତି କରୁଥିବାରୁ ଏହି ଦୁଇ ଦେଶର ନାଗରିକମାନଙ୍କୁ ଭାରତରୁ ବିଦା କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବହୁ ବାଂଲାଦେଶୀ ସ୍ଥାୟୀ ବାସିନ୍ଦା ହୋଇଗଲେଣି। ସରକାରୀ ଜମିକୁ ଅକ୍ତିଆର କରି ବସ୍ତି ନିର୍ମାଣ ହୋଇଛି। ଏହି ବସ୍ତିକୁ ଉଚ୍ଛେଦ ଲାଗି ବହୁବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଫଳ ଶୂନ। ତେବେ ଖୁବ୍‌ଶୀଘ୍ର ବେଆଇନ ବସ୍ତି ଉଚ୍ଛେଦ ହେବ ବୋଲି ବାଲିପାଟଣା ତହସିଲଦାର କଳ୍ପନା ଦାସ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ବଳଭଦ୍ରପୁର ରାସ୍ତା, କିଆଯୋଡ଼ି, ବାଲିପାଟଣା ବ୍ଲକ୍‌ ପଛ ପଡ଼ିଆ ସମେତ ଅନେକ ସ୍ଥାନରେ ବାଂଲାଦେଶୀ ବସ୍ତି ଗଢ଼ିଉଠିଛି। ବହୁବର୍ଷ ପୂର୍ବରୁ ଜଣଙ୍କ ପରେ ଜଣେ ଆସି ସରକାରୀ ଜମି ମାଡ଼ି ବସିଲେ। କିଛି ବର୍ଷ ରହିବା ପରେ ସ୍ଥାୟୀ ବାସିନ୍ଦା ପାଲଟି ଗଲେ। ଧୀରେ ଧୀରେ ସେମାନଙ୍କ ବଂଶ ବଢ଼ିଲା। ସମ୍ପର୍କୀୟଙ୍କୁ ଆଣି ପାଖରେ ରଖିଲେ। ଏବେ ୫୦ରୁ ଊର୍ଦ୍ଧ୍ବ ପରିବାର ଏଠାରେ ଅଛନ୍ତି। ଜମିବାଡ଼ି କିଣି କିଛି ଲୋକ ସ୍ଥାୟୀ ପକ୍କା ଘର କରିନେଲେଣି। ସ୍ଥାନୀୟ ଲୋକେ ୨୦୨୨ ଓ ୨୦୨୩ ମସିହାରେ ଦୁଇଦୁଇଥର ବାଲିପାଟଣା ତହସିଲଦାରଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ଅନୁରୋଧ କରିଥିଲେ। ହେଲେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିଲାନି।‌ ଶେଷରେ ସ୍ଥାନୀୟ ଲୋକେ ବିଭାଗୀୟ ପ୍ରମୁଖ ସଚିବ ଓ ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୯୮୨୫ରେ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହା ଉପରେ ତହସିଲଦାର କଳ୍ପନା ଦାସ କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଚାଲିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।