ବିଜେପିର ବିକ୍ଷୋଭ, ଟିପିସିଓଡିଏଲ୍‌ ଅଫିସ୍‌ ତାଲା ପକାଇବା ବେଳେ ଉତ୍ତେଜନା

ଭୁବନେଶ୍ୱର : ୩୦ଦିନରେ ବିଜୁଳି ବିଲ୍‌ ଆସିବା କଥା, ହେଲେ ୪୦ରୁ ୪୫ ଦିନରେ ବିଲ୍‌ ଦେଇ ଟାଟା ପାୱାର କମ୍ପାନି ଉପଭୋକ୍ତାଙ୍କୁ ଲୁଟୁଛି। ହିସାବ କଲେ ଜଣେ ଜଣେ ଲୋକଙ୍କ ଠାରୁ ୧୦ ରୁ ୨୦ % ଅଧିକ ଶୁଳ୍କ ଆଦାୟ ହେଉଛି। ଏଣେ ବିଗତ ୧୦ ବର୍ଷ ଭିତରେ ୨୦୦୦୦ କୋଟିରୁ ୫୦୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ୧୫୦୦୦ କୋଟି ବାଟ ମାରଣା ହୋଇଛି। ଏହାର ତଦନ୍ତ ହେବା ସହ ତତ୍‌କାଳୀନ ଶକ୍ତି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଦୁର୍ନୀତିର ପର୍ଦ୍ଦାଫାସ ନ ହୋଇଛି, ନିରବଚ୍ଛିନ୍ନ ଉତ୍ତମ ଗୁଣବତ୍ତାର ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଅନ୍ଦୋଳନ ହେବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ଆଜି ବିଜେପି ପକ୍ଷରୁ ପାୱାର ହାଉସ୍ ଛକରେ ଥିବା ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତାଲା ପକାଇବାକୁ କର୍ମୀମାନେ ଉଦ୍ୟମ କରିବା ବେଳେ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଛି।

ବିଜେପି ଅଭିଯୋଗ ମୁତାବକ, ୨୭୨୭ କୋଟି ଉପଭୋକ୍ତାଙ୍କୁ ଫେରାଇବା ପାଇଁ ଓଇଆର୍‌ସି ନିର୍ଦ୍ଦେଶ ଦେଇଥିଲେ, ହେଲେ ସଂସ୍ଥା ଫେରାଉ ନାହିଁ। ବରଂ ୩୦ଦିନିଆ ବିଲ୍‌କୁ ୪୦ଦିନିଆ କରି ଲୁଟୁଛି। ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପାଖାପାଖି ୨୦ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ୍ ପିଛା ୪ଟଙ୍କା ୯୯ପଇସା ଦେଉଥିବାବେଳେ ଓଡ଼ିଶାରେ ଉପରୋକ୍ତାମାନେ ୫ଟଙ୍କା ୨୨ପଇସା ଦେଉଛନ୍ତି। ବିଦ୍ୟୁତ ବଳକା ରାଜ୍ୟର ଉପଭୋକ୍ତା କାହିଁକି ଅଧିକ ଟଙ୍କା ଦେବେ? ଟାଟା ପାୱାର ଓଡ଼ିଶାରେ ଦାୟିତ୍ୱ ନେବା ପରେ ତାର ଦାୟିତ୍ୱ ନିର୍ବାହ କରୁନାହିଁ, ମିଳିତ ଭାବରେ ଦୁର୍ନୀତିଖୋରଙ୍କ ସାଥୀରେ ସାମିଲ ହୋଇଛି ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ଦାସ, ଯୁବ ମୋର୍ଚ୍ଚା ସଭାପତି ସୋୟମ୍ ସେବକରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ପ୍ରଶିକ୍ଷଣ ପ୍ରକୋଷ୍ଠ ସଂଯୋଜକ ରବି ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର