ଅଫ୍‌ ସାଇଡ୍‌: ଚକୋଲେଟ୍‌ ଛାଡ଼ି ଖଜୁରୀ ‌‌ନେଲେ ମାହି

ରାହୁଲଙ୍କ ମନ୍ଦିର ଦର୍ଶନକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ନମ୍ରତାର ଗୁଣରେ ମହେନ୍ଦ୍ର ସିଂହ ଧୋନି ନିଶ୍ଚିତ ଆଗରେ ରହିବେ। ସୁପର୍ ଷ୍ଟାର୍ ହେବା ସତ୍ତ୍ବେ ନିଜକୁ ସାଧାରଣ ମଣିଷ ଭାବେ ବିବେଚିତ କରାଇବାର ଗୁଣ ତାଙ୍କୁ ଦେଶ ବିଦେଶରେ ଅଧିକ ଲୋକପ୍ରିୟ କରିଛି। ଯୁବ ଖେଳାଳିମାନଙ୍କୁ ସବୁବେଳେ ସମର୍ଥନ କରୁଥିବା ଏହି ମହାନ କ୍ରିକେଟର୍‌ କୌଣସି ପ୍ରତିଯୋଗିତା ଜିତିବାବେଳେ ଟ୍ରଫି ତୋଳି ଧରିବାର ସୁଯୋଗ ଯୁବଖେଳାଳିଙ୍କୁ ସମର୍ପି ଦିଅନ୍ତି। ନିକଟରେ ଏକ ଭିଡିଓ କିନ୍ତୁ ମାହିଙ୍କ ଆଉ ଏକ ନମ୍ରତାର ପରିଚୟ ଦେଇଛି। ପତ୍ନୀ ସାକ୍ଷୀଙ୍କ ସହିତ ଧୋନି ଏକ ବିମାନଯାତ୍ରା ବେଳେ ତାଙ୍କୁ ଜଣେ ବିମାନ ପରିଚାରିକା ଏକ ପ୍ଲେଟ୍‌ରେ କିଛି ଚକୋଲେଟ୍, ଖୁଜରୀ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟରେ ସ୍ବାଗତ କରିଥିଲେ। ଧୋନି କିନ୍ତୁ ସମ୍ପୃକ୍ତ ପରିଚାରିକାକୁ ସ୍ମିତ ହାସ୍ୟ ଦେଇ କେବଳ ଖଜୁରୀ ନେଇ ନିଜ ବାଟରେ ଚାଲିଯାଇଥିଲେ। ସୂଚନାଯୋଗ୍ୟ, ୪୨ ବର୍ଷୀୟ ଧୋନି କଠୋର ଭାବେ ଖାଦ୍ୟ ପାନୀୟ କଟକଣାକୁ ଅନୁକରଣ କରିଥାନ୍ତି। ଏଣୁ ସେ ମିଠା ସାମଗ୍ରୀକୁ (ଚକୋଲେଟ୍) ଛାଡ଼ି ଆଗକୁ ବଢ଼ିଥିଲେ। ଏହି ଭିଡିଓରେ ମଧ୍ୟ ଜଣାପଡ଼ିଥିଲା ଧୋନି ଇକୋନୋମି କ୍ଲାସରେ ଯାତ୍ରା କରୁଛନ୍ତି ଏବଂ ଲୋକପ୍ରିୟ ଭିଡିଓ ଗେମ୍‌ ‘କ୍ୟାଣ୍ଡି କ୍ରସ୍‌’ ଖେଳୁଛନ୍ତି। ଏହା ଟ୍ରେଣ୍ଡିଂ ହେବା ପରେ ୩ ଘଣ୍ଟା ମଧ୍ୟରେ ଏହି ଭିଡିଓ ଗେମ୍‌ ୩୬ ଲକ୍ଷ ନୂଆ ଡାଉନଲୋଡ୍‌ ହୋଇଛି। ଏହି ତଥ୍ୟକୁ କ୍ୟାଣ୍ଡି କ୍ରସ୍‌ କମ୍ପାନି ସ୍ପଷ୍ଟ କରିବା ସହ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି।

ରାହୁଲଙ୍କ ମନ୍ଦିର ଦର୍ଶନକୁ ନେଇ ପ୍ରଶ୍ନ

ଭାରତୀୟ ଦଳର ପ୍ରମୁଖ ଖେଳାଳି କେଏଲ୍ ରାହୁଲଙ୍କ ସହ ଏକାଧିକ‌ ଖେଳାଳି ଏବେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ପୁନଃଥଇଥାନ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଆଇପିଏଲ୍‌ ଖେଳିବା ବେଳେ ସେ ଆହତ ହେବାରୁ ଗତ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ସ‌ଫଳ ଅସ୍ତ୍ରୋପଚାର କରିବା ପରଠାରୁ ଏନସିଏରେ ରହିଛନ୍ତି। ସେପ୍ଟେମ୍ବର ମାସର ଏସିଆ କପ୍‌ ପାଇଁ ସେ ଉପଲବ୍‌ଧ ‌ହୋଇପାରନ୍ତି। ଇତିମଧ୍ୟରେ ରାହୁଲ ଏନ୍‌ସିଏରୁ ସମୟ କାଢ଼ି କର୍ଣ୍ଣାଟକର ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ବାମୀ ମନ୍ଦିର ପରିଦର୍ଶନ କରି ପୂଜାରୀଙ୍କ ଆଶୀର୍ବାଦ ନେଉଥିବାର ଫଟୋ ଭାଇରାଲ୍ ହୋଇଛି। ଏହାକୁ ଦେଖିବା ପରେ କିଛି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି ‘ଏବେ କ’ଣ ମନ୍ଦିରରେ ସମସ୍ତଙ୍କର ପୁନଃଥଇଥାନ ହେଉଛି?’

ସମ୍ବନ୍ଧିତ ଖବର